ଭୁବନେଶ୍ବର: ୨୦୨୦-୨୧ ଶିକ୍ଷାବର୍ଷରେ ଦେଶର ସମସ୍ତ ଆଇଆଇଟି, ଆଇଆଇଆଇଟି ଓ ଅନ୍ୟ କେନ୍ଦ୍ରୀୟ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଏଥର ମଧ୍ୟ ଦୁଇଟି ଜେଇଇ(ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍ ଅନୁଷ୍ଠିତ ହେବ। ୨୦୨୦ ଜାନୁଆରି ୬ରୁ ୧୧ ମଧ୍ୟରେ ପ୍ରଥମ ଓ ଏପ୍ରିଲ ୩ରୁ ୯ ମଧ୍ୟରେ ଦ୍ବିତୀୟ ଜେଇଇ ମେନ୍ କରାଯିବ। ଜାନୁଆରିରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ଲାଗି ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପ୍ଟେମ୍ବର ୩୦ ଆବେଦନର ଶେଷ ତାରିଖ ରହିଛି। ଅକ୍ଟୋବର ୧ ସୁଦ୍ଧା ଆବେଦନକାରୀ କେବଳ ଅନ୍ଲାଇନ୍ରେ ଫି’ ଦାଖଲ କରିପାରିବେ। ଛାତ୍ରଛାତ୍ରୀ ‘www.nta.ac.in’ ୱେବସାଇଟ୍ରେ ପରୀକ୍ଷା ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଓ ପ୍ରଶ୍ନ ସଂଖ୍ୟାରେ କିଛିଟା ପରିବର୍ତନ ଅଣାଯାଇଛି। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ବି.ଆର୍କିଟେକ୍ ଓ ବି. ପ୍ଲାନିଂ ପାଠ୍ୟକ୍ରମ ପାଇଁ ପ୍ରଶ୍ନପତ୍ରରେ ପରିବର୍ତନ ହୋଇଛି। ସେହିପରି ଜେଇଇ ଆପେକ୍ସ ବୋର୍ଡର ଅନୁମୋଦନକ୍ରମେ ବିଇ/ବିଟେକ୍ ଓ ବି ପ୍ଲାନିଂ ପାଠ୍ୟକ୍ରମର ପ୍ରଶ୍ନ ସଂଖ୍ୟା ସ୍ଥିର କରାଯାଇଛି। ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ବିଇ/ବିଟେକ୍ ଓ ବି.ଆର୍କିଟେକ୍ ପ୍ରବେଶିକା ପରୀକ୍ଷାର ପ୍ରଥମ ସିଟିଂ ପୂର୍ବାହ୍ନ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ବିତୀୟ ସିଟିଂ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ମଧ୍ୟରେ ହେବ। ବି ପ୍ଲାନିଂ ପରୀକ୍ଷା ଗୋଟିଏ ସିଟିଂରେ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ମଧ୍ୟରେ କରାଯିବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ହେବ। କେବଳ ବି.ଆର୍କିଟେକ୍ର ଡ୍ରଇଂ ଟେଷ୍ଟ ‘ପେନ୍ ଆଣ୍ଡ ପେପର ମୋଡ୍’ ତଥା ଅଫ୍ଲାଇନ୍ରେ କରାଯିବ। ଛାତ୍ରଛାତ୍ରୀ ନିଜ ଇଚ୍ଛା ଅନୁଯାୟୀ ବି.ଇ/ବି.ଟେକ୍, ବି.ଆର୍କିଟେକ୍ ଓ ବି.ପ୍ଲାନିଂ ପାଠ୍ୟକ୍ରମ ଲାଗି ଫର୍ମ ପୂରଣ କରିପାରିବେ।
ଏହି ପ୍ରବେଶିକା ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରୁଥିବା ଛାତ୍ରଛାତ୍ରୀ ଦେଶରେ ଥିବା ଆଇଆଇଟିଗୁଡ଼ିକରେ ନାମ ଲେଖାଇ ପାରିବେ। ଏଥିପାଇଁ ସେମାନଙ୍କୁ ଜେଇଇ ଆଡଭାନ୍ସଡ୍ ଦେବାକୁ ହେବ। ଅଲ୍ ଇଣ୍ଡିଆ ରୢାଙ୍କ୍ ଅନୁଯାୟୀ ପିଲାମାନେ କିଭଳି ଚୟନ ହେବେ ସେନେଇ ଜେଇଇ ଆଡଭାନ୍ସଡ୍-୨୦୨୦ ୱେବସାଇଟ୍ରେ ପ୍ରକାଶ କରାଯିବ। ୨୦୨୦ ଏପ୍ରିଲରେ ହେବାକୁ ଥିବା ଜେଇଇ ମେନ୍ ଲାଗି ପରେ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରାଯିବ। ଛାତ୍ରଛାତ୍ରୀଙ୍କୁ ଉଭୟ ପରୀକ୍ଷାରେ ଭାଗନେବା ବାଧ୍ୟତାମୂଳକ ନୁହେଁ। ଯଦି କୌଣସି ଛାତ୍ରଛାତ୍ରୀ ଉଭୟ ପରୀକ୍ଷାରେ ସାମିଲ ଦେଉଛନ୍ତି ତେବେ ଭଲ ସ୍କୋର ରଖିଥିବା ପରୀକ୍ଷାର ରୢାଙ୍କ୍ ଅନୁଯାୟୀ ଜେଇଇ ଆଡଭାନ୍ସଡ୍ ଲାଗି ଯୋଗ୍ୟ ବିବେଚିତ ହେବେ।