ଏପ୍ରିଲ୍‌ରେ ଜେଇଇ ମେନ୍‌

୮, ୧୫ ଓ ୧୬ରେ ପରୀକ୍ଷା, ଡିସେମ୍ବର ୧ରୁ ଆବେଦନ

ଭୁବନେଶ୍ୱର : ଏନ୍‌ଆଇଟି, ଆଇଆଇଟି, ଆଇଆଇଆଇଟି ସମେତ ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ୨୦୧୮ ଏପ୍ରିଲ ମାସରେ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ ମେନ୍‌) ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ଡିସେମ୍ବର ୧ରୁ ୨୦୧୮ ଜାନୁଆରି ୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ‘www.jeemain.nic.in’ରେ ଆବେଦନ କରିପାରିବେ। ଏପ୍ରିଲ ୮ରେ ଅଫ୍‌ ଲାଇନ୍‌ ଏବଂ ଏପ୍ରିଲ ୧୫ ଓ ୧୬ରେ ଅନ୍‌ଲାଇନ୍‌ରେ ପରୀକ୍ଷା ହେବ। ଅଫ୍‌ ଲାଇନ୍‌ ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପୂର୍ବାହ୍ନ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ପେପର-୧(ବି.ଇ/ବି.ଟେକ୍‌) ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପେପର-୨(ବି.ଆର୍କ/ବି.ପ୍ଲାନିଂ) ପରୀକ୍ଷା ହେବ। ଅନ୍‌ ଲାଇନ୍‌ ପରୀକ୍ଷା ପୂର୍ବାହ୍ନ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ (ବି.ଇ/ବି.ଟେକ୍‌) ହେବ। ଓଡ଼ିଶାର ୮ଟି ସହରରେ ପରୀକ୍ଷା କେନ୍ଦ୍ର ହେବ। ଭୁବନେଶ୍ୱର ସମେତ ବାଲେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ଅନୁଗୁଳ, ଜୟପୁରରେ ଏକାଧିକ ପରୀକ୍ଷା କେନ୍ଦ୍ର କରାଯିବ।

ଜେଇଇ ମେନ୍‌ ଲାଗି ଛାତ୍ରଛାତ୍ରୀ ଏଥର କେବଳ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଫର୍ମ ପୂରଣ ସମୟରେ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପରୀକ୍ଷା ଦେବେ। ପରୀକ୍ଷା ଲାଗି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଜେଇଇ ମେନ୍‌ େଓ୍ଵବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ଏପ୍ରିଲ ୩୦ ତାରିଖରେ ପେପର-୧ର ସର୍ବଭାରତୀୟ ର‍୍ୟାଙ୍କ୍‌ କାର୍ଡ ପ୍ରକାଶ ପାଇବ। ଏଥିରୁ ୨ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଲାଗି ଯୋଗ୍ୟତା ଅର୍ଜନ କରିବେ। ମେ’ ୩୧ରେ ପେପର-୨ର ସର୍ବଭାରତୀୟ ର‍୍ୟାଙ୍କ କାର୍ଡ ପ୍ରକାଶିତ ହେବ।

ସମ୍ବନ୍ଧିତ ଖବର