ଜେଇଇ ଆଡଭାନ୍ସଡ୍‌ ଦେବାକୁ ଅଢ଼େଇ ଲକ୍ଷ ଯୋଗ୍ୟ
ସାଧାରଣ ବର୍ଗରେ କଟ୍‌ଅଫ୍‌ ମାର୍କ ୮୭.୮୯%
୪୪ ଜଣ ରଖିଛନ୍ତି ୧୦୦ ପର୍ସେଣ୍ଟାଇଲ୍‌, ୧୮ ଜଣଙ୍କୁ ନମ୍ବର ୧ ର‍୍ୟାଙ୍କ

Advertisment

ଭୁବନେଶ୍ୱର : ବି-ଟେକ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଅଗଷ୍ଟରେ ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେବା ପାଇଁ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ମାତ୍ର ୪ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୪ ଜଣ ୧୦୦ ପର୍ସେଣ୍ଟାଇଲ୍‌ ରଖିଛନ୍ତି। ୧୮ ଜଣ ଛାତ୍ରଛାତ୍ରୀ ଏକ ନମ୍ବର ରୢାଙ୍କ୍‌ରେ ରହିଥିବା ସୂଚନା ମିଳିଛି। ଓଡ଼ିଶାରୁ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍‌ ରୢାଙ୍କ ହାସଲ କରିଥିବା ଜଣାପଡ଼ିଛି। ୪ଟି ସେସନ୍ସରେ ପରୀକ୍ଷା ଦେଇଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ର ଗୌତମ ଦାସ ୯୯.୯୯ ସ୍କୋର ରଖି ଓଡ଼ିଶା ଟପର୍‌ ହୋଇଛନ୍ତି।

ବୁଧବାର ଭୋର୍‌ ସମୟରେ ଫଳ ବାହାରିଥିଲେ ମଧ୍ୟ ମଧ୍ୟାହ୍ନରେ ଏନ୍‌ଟିଏ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଥିଲା ଏବଂ ଛାତ୍ରଛାତ୍ରୀ ୱେବସାଇଟ୍‌ରୁ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିଥିଲେ। ଚଳିତବର୍ଷ ଜେଇଇ ମେନ୍‌ର ୪ଟି ଯାକ ସେସନ୍ସର ରେଜଲ୍ଟକୁ ମିଶାଇ ସର୍ବଭାରତୀୟ ରୢାଙ୍କିଙ୍ଗ୍‌ ନିର୍ଦ୍ଧାରଣ କରାଯାଇଛି।

ଜେଇଇ ମେନ୍‌ ପରୀକ୍ଷା ଦେବାକୁ ୪ଟି ସେସନ୍ସରେ ୧୦ ଲକ୍ଷ ୪୮ ହଜାର ୧୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୯ ଲକ୍ଷ ୩୯ ହଜାର ୮ ଜଣ ପରୀକ୍ଷା ଦେଇଥିଲେ। ଛାତ୍ରଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଛାତ୍ରୀ ଏଥର ପରୀକ୍ଷାରେ ଭାଗ ନେଇଥିଲେ। ଜେଇଇ ମେନ୍‌ରେ ଶ୍ରେଷ୍ଠତ୍ବ ଅର୍ଜନ କରିଥିବା ପ୍ରାୟ ୨ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧ ହଜାର ୨୫୦ ଜଣ ସାଧାରଣ ବର୍ଗ, ୨୫ ହଜାର ଆର୍ଥିକ ଦୁର୍ବଳ ବର୍ଗ, ୬୭ ହଜାର ୫୦୦ ଜଣ ଓବିସି, ୩୭ ହଜାର ୫୦୦ ଜଣ ଏସ୍‌ସି ଓ ୧୮ ହଜାର ୭୫୦ ଜଣ ଏସ୍‌ଟି ବର୍ଗର ରହିଥିବା ସୂଚନା ମିଳିଛି। ସାଧାରଣ ବର୍ଗରେ ଏଥର କଟ୍‌ ଅଫ୍‌ ମାର୍କ ୮୭.୮୯ ରହିଥିବା ବେଳେ ଓବିସି-ଏନ୍‌ସିଏଲ୍‌ ବର୍ଗରେ ୬୮.୦୨, ଏସ୍‌ସିରେ ୪୬.୮୮, ଏସ୍‌ଟିରେ ୩୪.୬୭, ସାଧାରଣବର୍ଗ-ଇଡବ୍ଲୁଏସ୍‌ରେ ୬୬.୨୨ ପ୍ରତିଶତ ହୋଇଛି। ପରୀକ୍ଷା ସମୟରେ ଅସଦ୍‌ ଉପାୟ ଅବଲମ୍ବନ କରିଥିବା ୨୦ ଜଣ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ସ୍ଥଗିତ ରଖାଯାଇଛି। ଜେଇଇ ଆଡଭାନ୍ସଡ୍‌ ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ jeeadv.nic.in ମାଧ୍ୟମରେ ପଞ୍ଜୀକରଣ କରିପାରିବେ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି।

ବିଟେକ୍‌ କଲା ପରେ ଆଇଏଏସ୍‌ ହେବାକୁ ଲକ୍ଷ୍ୟ: ଗୌତମ
ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ର ଗୌତମ ଦାସ ରାଜ୍ୟ ଟପର ହୋଇଥିବାବେଳେ ସର୍ବଭାରତୀୟସ୍ତରରେ ସେ ୨୮ତମ ସ୍ଥାନରେ ରହିଛନ୍ତି। ଗୌତମଙ୍କ ଘର ବାଲେଶ୍ୱରରେ ହୋଇଥିବାବେଳେ ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ମଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ଗ୍ରହଣ କରିଥିଲେ। ଭଲ ମାର୍କ ରଖିଥିବାରୁ ତାଙ୍କୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ନାମ ଲେଖାଇବାର ସୁଯୋଗ ମିଳିଥିଲା। ସ୍କୁଲ ତରଫରୁ ତାଙ୍କୁ ଶତ ପ୍ରତିଶତ ସ୍କଲାରସିପ୍‌ ଦିଆଯାଇଥିଲା। ସାଇ ଇଣ୍ଟରନ୍ୟାସନାଲ୍‌ର ଅଧ୍ୟକ୍ଷା ଶିଳ୍ପୀ ସାହୁ ଆଜି ଗୌତମ ଓ ତାଙ୍କର ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନିଜର ସଫଳତା ନେଇ ଗୌତମ କହିଛନ୍ତି ଯେ ରାଜ୍ୟ ଟପର ହୋଇଥିବାରୁ ବହୁତ ଖୁସି ଲାଗୁଛି। ପରୀକ୍ଷା ପାଇଁ ପ୍ରତିଦିନ ୬ ଘଣ୍ଟା ଲେଖାଏ ପଢ଼ୁଥିଲି। କରୋନା ସମୟରେ ସ୍କୁଲ ବନ୍ଦ ଥିବା ବେଳେ ଶିକ୍ଷକମାନଙ୍କ ସହଯୋଗ ଓ ପିତା ମାତାଙ୍କ ପ୍ରେରଣା ପାଇଁ ଜେଇଇ ମେନ୍‌ ଦେବାକୁ ପ୍ରସ୍ତୁତ ହୋଇଥିଲି। ଏବେ ସଫଳତା ମିଳିଛି। ଆଗକୁ ବମ୍ବେ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିବାକୁ ଲକ୍ଷ୍ୟ ରଖିଛି। ଏଥିସହ ଜଣେ ଆଇଏଏସ୍ ଅଫିସର ହୋଇ ଦେଶର ସେବା କରିବାକୁ ବହୁତ ଇଚ୍ଛା ଅଛି।