ଜେଇଇ ମେନ୍‌-୨ ଫଳ ପ୍ରକାଶ : ଦେବାଶିଷ ଓଡ଼ିଶା ଟପର୍‌

ଭୁବନେଶ୍ବର : ଦେଶର ବିଭିନ୍ନ ଇଞ୍ଜିନିୟରିଂ (ବି.ଇ/ବି.ଟେକ୍‌) ପାଠ୍ୟକ୍ରମରେ ନାମଲେଖା ଲାଗି ମାର୍ଚ୍ଚରେ ଅନୁଷ୍ଠିତ ଜେଇଇ ମେନ୍‌-୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ବରସ୍ଥିତ ଓଡିଏମ୍‌ ପବ୍ଲିକ ସ୍କୁଲର ଛାତ୍ର ଦେବାଶିଷ ପଣ୍ଡା ୯୯.୯୫ ପର୍ସେଣ୍ଟାଇଲ୍‌ ରଖି ଓଡ଼ିଶା ଟପର୍‌ ହୋଇଛନ୍ତି। ମାର୍ଚ୍ଚ ମାସର ପରୀକ୍ଷା ଲାଗି ସାରା ଦେଶରୁ ୬ ଲକ୍ଷ ୧୯ ହଜାର ୬୩୮ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୩ଜଣ ପରୀକ୍ଷାର୍ଥୀ ୧୦୦ ଏନ୍‌ଟିଏ ସ୍କୋର୍‌ କରିଛନ୍ତି। ସେମାନେ ହେଲେ, ତେଲେଙ୍ଗାନାର ବିଆରକେ ରେଡ୍ଡୀ, ମଧୁର ଆଦର୍ଶ ରେଡ୍ଡୀ ଓ ଜେ.ଭି ଆଦିତ୍ୟ, ପଶ୍ଚିମବଙ୍ଗର ବି ମଣ୍ଡଳ, ଦିଲ୍ଲୀ(ଏନ୍‌ସିଟି)ର ସିଦ୍ଧାର୍ଥ କାଲରା, ବିହାରର କୁମାର ସତ୍ୟଦର୍ଶୀ, ରାଜସ୍ଥାନର ଏମ୍‌ ଅଗ୍ରୱାଲ, ଜେନିଥ୍‌ ମଲହୋତ୍ରା ଓ ରୋହିତ କୁମାର, ତାମିଲନାଡ଼ୁର ଅଶ୍ବିନୀ ଆବ୍ରାହମ୍‌, ମହାରାଷ୍ଟ୍ରର ଏ. ବି ଟାମ୍ବଟ, ବି.ଜି ମକରନ୍ଦ।

ବି.ଇ ଓ ଏବଂ ବି.ଟେକ୍‌ ଲାଗି ମାର୍ଚ୍ଚ ୧୬ରୁ ୧୮ ମଧ୍ୟରେ ୩୩୪ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜରାଟୀ, ଆସାମୀ, ବେଙ୍ଗଲୀ, କନ୍ନଡ଼, ମାଲାୟଲମ୍‌, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଊର୍ଦ୍ଦୁ ଭାଷାରେ ପରୀକ୍ଷା କରାଯାଇଥିଲା। ଗତ ଫେବ୍ରୁଆରି ଜେଇଇ ମେନ୍‌ ସମେତ ଆସନ୍ତା ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷା ଫଳକୁ ଆଧାର କରି ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ରୢାଙ୍କ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର