ଭୁବନେଶ୍ୱର : ସିବିଏସ୍ଇ ପକ୍ଷରୁ ଜେଇଇ ମେନ୍ ୨୦୧୮ର ଅଫଲାଇନ୍ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିପାଇଁ ସାରା ଦେଶରେ ୧୧୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସାରା ଦେଶରୁ ୧୨,୪୮,୭୩୬ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରୁ ୪୬,୭୮୯ ଜଣ ଅଛନ୍ତି। ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ସହରରେ ୮୨ଟି ପରୀକ୍ଷା କେନ୍ଦ୍ର ହୋଇଛି। ଜେଇଇ ମେନ୍ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୯ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପ୍ରଥମ ସିଟିଂ ବିଇ/ବିଟେକ୍ ଆବେଦନକାରୀଙ୍କ ପାଇଁ ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂ ବିଆର୍କ/ବିପ୍ଲାନ୍ ପରୀକ୍ଷାର୍ଥୀଙ୍କ ପାଇଁ ହେବ। ପ୍ରଥମ ସିଟିଂ ସକାଳ ୯ଟା ୩୦ରୁ ୧୨ଟା ୩୦ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ହେବ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ରିପୋର୍ଟିଂ କରିବାକୁ ପଡ଼ିବ। ଜେଇଇ ମେନ୍ ପରୀକ୍ଷା ପରିଚାଳନା ପାଇଁ ସିବିଏସ୍ଇ ପକ୍ଷରୁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲକୁ କଲମ କିମ୍ବା ପେନ୍ସିଲ୍ ନେଇପାରିବେ ନାହିଁ। ସିବିଏସ୍ଇ କର୍ତ୍ତୃପକ୍ଷ ସେମାନଙ୍କୁ ଏସବୁ ଯୋଗାଇବେ। ସେହିପରି ଛାତ୍ରଛାତ୍ରୀ ଘଣ୍ଟା, ମୁଦି, କାନଫୁଲ କିମ୍ବା କୌଣସି ଗହଣା ଆଦି ପିନ୍ଧି ପରୀକ୍ଷା ହଲକୁ ଯିବାକୁ ବାରଣ କରାଯାଇଛି। ଏହାସହିତ ମୋବାଇଲ ଫୋନ, କାଲ୍କୁଲେଟର, ଇଲେକ୍ଟେନିକ୍ସ ସାମଗ୍ରୀ ନେଇ କେନ୍ଦ୍ରକୁ ପ୍ରବେଶ ପାଇଁ ନିଷେଧ ଜାରି କରାଯାଇଛି। ପରୀକ୍ଷା ପରିଚାଳନା ପାଇଁ କେନ୍ଦ୍ରରେ ତ୍ରି-ସ୍ତରୀୟ ସ୍କ୍ଵାଡ୍ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି।
ଆଜି ଜେଇଇ ମେନ୍: ୮୨ କେନ୍ଦ୍ରରେ ପରୀକ୍ଷା ଦେବେ ୪୬,୭୮୯ ପରୀକ୍ଷାର୍ଥୀ
/sambad/media/post_attachments/wp-content/uploads/2018/04/jee-main.jpg)