ବର୍ଷକୁ ୪ଥର ହେବ ଜେଇଇ ମେନ୍‌

ପ୍ରସ୍ତାବ ଉପରେ ବିଚାର କରୁଛି ଶିକ୍ଷା ମନ୍ତ୍ରଣାଳୟ

ଜେଇଇ ମେନ୍‌ ଓ ନିଟ୍‌ ପାଠ୍ୟକ୍ରମ ବଦଳିବନି
ଦଶମ ଓ ଦ୍ବାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷାର ବିକଳ୍ପ ଖୋଜାଯିବ

ଭୁବନେଶ୍ବର : ବି.ଟେକ୍‌ ସମେତ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମଲେଖା ଲାଗି ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌କୁ ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ୨୦୨୦‌ରେ ଉକ୍ତ ପରୀକ୍ଷା ବିଳମ୍ବିତ ହୋଇଥିବାରୁ ୨୦୨୧ରେ ବି ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ କହିଛନ୍ତି ଯେ ୨୦୨୧ର ଜେଇଇ ମେନ୍‌ ପରୀକ୍ଷା ବର୍ଷକୁ ୪ ଥର କରିବା ପାଇଁ ପ୍ରସ୍ତାବ ଆସିଛି। ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି। ଏହି ପରୀକ୍ଷାକୁ ବର୍ଷକୁ ୪ ଥର(ଫେବ୍ରୁଆରି ଶେଷ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସ) କରାଯିବ। ପ୍ରତ୍ୟେକ ଥର ୩ରୁ ୪ଦିନ ପରୀକ୍ଷା କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଥିବା ନେଇ ମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ ଏକ ୱେବିନାର୍‌ରେ ଯୋଗ ଦେଇ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଜେଇଇ ମେନ୍‌ ୨୦୨୧ ପାଠ୍ୟକ୍ରମ ସମାନ ରହିବ। ପରୀକ୍ଷାର୍ଥୀଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ୨୫ଟି ଲେଖାଏଁ ପ୍ରଶ୍ନ; ଏହିପରି ୭୫ଟି ପ୍ରଶ୍ନର ଉତ୍ତର ନିଜ ପସନ୍ଦ(ଚଏସ୍‌) ଅନୁସାରେ ଦେବାକୁ ଯେଉଁ ପ୍ରସ୍ତାବ ଆସିଛି, ତାହାକୁ ମନ୍ତ୍ରଣାଳୟ ଗୁରୁତ୍ୱର ସହ ବିଚାର କରି ଦେଖିବ। ଜେଇଇ ମେନ୍‌ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ମୋଟ ୭୫ଟି ପ୍ରଶ୍ନ ପଡ଼ିଥିଲା ଏବଂ ସେ ସବୁର ଉତ୍ତର ଦେବା ବାଧ୍ୟତାମୂଳକ ଥିଲା। ୨୦୨୧ ପରୀକ୍ଷାରେ ଏହି ପ୍ରଶ୍ନ ସଂଖ୍ୟା ୭୫ ପରିବର୍ତ୍ତେ ୯୦କୁ ବୃଦ୍ଧି କରି ପିଲାଙ୍କୁ ଅଧିକ ଚଏସ୍‌ ବା ପସନ୍ଦ ଦେବାକୁ ପ୍ରସ୍ତାବ ରହିଛି। ପରୀକ୍ଷାର୍ଥୀ ୨୦୨୧ ଜେଇଇ ମେନ୍‌ରେ ୧/୨/୩/୪ ଥର ପରୀକ୍ଷା ଦେଇ ନୂଆ ଶିକ୍ଷାବର୍ଷରେ ନାମ ଲେଖାଇବାର ସୁଯୋଗ ପାଇବା ପ୍ରସ୍ତାବକୁ ମଧ୍ୟ ବିଚାର କରି ଦେଖାଯିବ।

ଅନ୍ୟପକ୍ଷରେ ମେଡିକାଲ ନାମଲେଖା ଲାଗି ଅନୁଷ୍ଠିତ ହେଉଥିବା ନିଟ୍‌ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ ସ୍ପଷ୍ଟ କରିଛନ୍ତି ଯେ ୨୦୨୧ ନିଟ୍‌ ପରୀକ୍ଷାର ତାରିଖ ଚୂଡ଼ାନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଜାତୀୟ ମେଡିକାଲ କମିସନଙ୍କ ସହ ପରାମର୍ଶ ଚାଲିଛି। ଖୁବ୍‌ଶୀଘ୍ର ଏହି ତାରିଖ ଘୋଷଣା କରାଯିବ। ନିଟ୍‌ ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ ହେବ ନାହିଁ। ଚଳିତ ବର୍ଷ ଭଳି ୨୦୨୧ରେ ବି ପାଠ୍ୟକ୍ରମ ସମାନ ରହିବ। ପରୀକ୍ଷା ପରିଚାଳନା ଉଭୟ ଅଫ୍‌ଲାଇନ ଓ ଅନ୍‌ଲାଇନରେ କରାଯିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଜାତୀୟ ମେଡିକାଲ କମିସନ୍‌ଙ୍କ ସହ ପରାମର୍ଶ ଚାଲିଛି।

ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ସମ୍ପୃକ୍ତ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି। ସମସ୍ତଙ୍କ ମତାମତ ମିଳିବା ପରେ ବୋର୍ଡ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯିବ। ସିବିଏସ୍‌ଇ ଏ ପର୍ଯ୍ୟନ୍ତ ବୋର୍ଡ ଓ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଚୂଡ଼ାନ୍ତ କରିନାହିଁ। ଯଦି ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀ ନିଜ ନିଜ ଶ୍ରେଣୀରେ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ସକ୍ଷମ ନ ହୁଅନ୍ତି, ତେବେ ପ୍ରାକ୍ଟିକାଲ ପରୀକ୍ଷାର ବିକଳ୍ପ ଖୋଜାଯିବ। ସିବିଏସ୍‌ଇର ସଂଶୋଧିତ ପାଠ୍ୟକ୍ରମ ତା’ ୱେବସାଇଟ୍‌ରେ ଅପ୍‌ଲୋଡ ହୋଇଛି। ଯେଉଁସବୁ ପାଠ୍ୟକ୍ରମ ବାଦ୍‌ ପଡ଼ିଛି, ତାହାର ଏକ ବିବରଣୀ ସାରାଂଶ ଆକାରରେ ଏଥିରେ ସ୍ଥାନ ପାଇଛି। ଏ କ୍ଷେତ୍ରରେ କୌଣସି ସନ୍ଦେହ ଥିଲେ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ସିବିଏସ୍‌ଇ ସହ ଯୋଗାଯୋଗ କରିପାରିବେ। ସିବିଏସ୍‌ଇ ୱେବସାଇଟ୍‌ www.cbseacademic.nic.in କୁ ଦେଖିପାରିବେ। ପ୍ରତ୍ୟେକ ବିଷୟ (ଚାପ୍ଟର)ର ଭିଡିଓ ୱେବସାଇଟରେ ଅପ୍‌ଲୋଡ କରିବାକୁ ସିବିଏସ୍‌ଇକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର