ଜେଇଇ ମେନ୍‌ ଲାଗି ସରିଲା ଆବେଦନ ପ୍ରକ୍ରିୟା : ଏଥର ବି ମୁହଁ ମୋଡ଼ିଲେ ପିଲା

ପରୀକ୍ଷା ଲାଗି ଆବେଦନ କଲେ ୪୪,୫୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଗତ ୭ ବର୍ଷ ପରି ଏଥର ମଧ୍ୟ ଇଞ୍ଜିନିୟରିଂ ପାଠ୍ୟକ୍ରମରୁ ମୁହଁ ମୋଡ଼ିଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଜେଇଇ ମେନ୍‌ ପରୀକ୍ଷା ଲାଗି ଆଜି ମଧ୍ୟରାତ୍ରିରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଓଡ଼ିଶାରୁ ପ୍ରାୟ ୪୪,୫୦୦ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡ଼ିଛି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ୨୦୧୧ରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଅନାଗ୍ରହ ଦେଖିବାକୁ ମିଳୁଛି। ଏହା ପୂର୍ବରୁ ହାତଗଣତି କଲେଜ ରହିଥିବା ବେଳେ ସିଟ୍‌ ସଂଖ୍ୟା ବି ବେଶି ନ ଥିଲା। ଯେଉଁଥିପାଇଁ ବି.ଟେକ୍‌ ପାସ୍‌ କରିବା କ୍ଷଣି ଛାତ୍ରଛାତ୍ରୀ ନିଯୁକ୍ତି ପାଉଥିଲେ। ହେଲେ ଏବେ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳୁ ନ ଥିବାରୁ ସିଟ୍‌ ଖାଲି ପଡ଼ୁଛି। ପିଲାଙ୍କ ସଂଖ୍ୟା ବି ହ୍ରାସ ପାଉଛି। ଏମ୍‌.ଟେକ୍‌ ପଢ଼ିବା ପରେ ମଧ୍ୟ ପିଲାଙ୍କ ଲାଗି ନିଯୁକ୍ତି ନାହିଁ। ବେକାର ହୋଇ ରହୁଛନ୍ତି। ଯଦି ବି କିଏ ଧରାଧରି କରି ନିଯୁକ୍ତି ପାଉଛନ୍ତି ସେଭଳି ଦରମା ମିଳୁ ନ ଥିବାରୁ ପିଲା ଇଞ୍ଜିନିୟରିଂ ପଢ଼ୁନାହାନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ ୭ ବର୍ଷ ହେଲା ସମସ୍ତ ସିଟ୍‌ ପୂରଣ ହେଉ ନାହିଁ। ୨୦୧୧ ଏବଂ ୨୦୧୨ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ହଜାର ପର୍ଯ୍ୟନ୍ତ ଯାଇଥିଲା। ତଥାପି ସିଟ୍‌ ପୂରଣ ହୋଇ ନ ଥିଲା।

୨୦୧୩ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀ ଚୟନ କରାଯାଉଥିବାରୁ ପିଲାଙ୍କ ସଂଖ୍ୟା ଅଧିକ ରହୁଥିବା ଜଣାପଡ଼ୁଥିଲା। ହେଲେ ସବୁଥର ୫୫ ପ୍ରତିଶତ ସିଟ୍‌ ଖାଲି ରହୁଛି। ୨୦୧୪ରୁ ଜେଇଇ ମେନ୍‌ରେ ପିଲାମାନେ ଭାଗ ନେଉଥିବାରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଥିବା ପଦାକୁ ଆସିଛି। ଗତ ତିନି ବର୍ଷର ତଥ୍ୟକୁ ଦେଖିଲେ ୨୦୧୬ରେ ୪୬ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍‌ ଲାଗି ଆବେଦନ କରିଥିଲେ। ଗତବର୍ଷ ଏହି ସଂଖ୍ୟା ୪୫ ହଜାରକୁ ଖସି ଆସିଥିଲା। ଏଥର ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ରାତି ୧୦ଟା ସୁଦ୍ଧା ରିପୋର୍ଟ ଲେଖାଯିବା ବେଳକୁ ୪୪,୨୫୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ହାତରେ ଦୁଇ ଘଣ୍ଟା ବାକି ଥିବାରୁ ଆଉ ୨୦୦ ଛାତ୍ରଛାତ୍ରୀ ଆବେଦନ କରିବାର ସମ୍ଭାବନା ରହିଛି। ତେଣୁ ଗତବର୍ଷ ପରି ଏଥର ମଧ୍ୟ ୪୪,୫୦୦ ଛାତ୍ରଛାତ୍ରୀ ଜେଇଇ ମେନ୍‌ ଦେବା ଲାଗି ଆବେଦନ କରିବା ଏକ ପ୍ରକାର ନିଶ୍ଚିନ୍ତ।

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)ର ଯୁକ୍ତି ହେଉଛି ଯେ ଜେଇଇ ମେନ୍‌ରେ ଓଡ଼ିଶା ଭାଗନେଉଥିବାରୁ ପିଲାଙ୍କ ସଂଖ୍ୟା କମୁଛି। ପରୀକ୍ଷା ସମୟରେ ସମସ୍ତ ସହରରେ କେନ୍ଦ୍ର ହେଉନି। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ପରୀକ୍ଷା ଦେବାରେ ସମସ୍ୟା ଭୋଗୁଥିବାରୁ ଆବେଦନ କରୁନାହାନ୍ତି। ଯଦି ରାଜ୍ୟ ସରକାର ଜେଇଇ ମେନ୍‌ରେ ଭାଗ ନେବା ପରିବର୍ତେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଲାଗି ଓଜେଇଇ କରନ୍ତି ତେବେ ଆହୁରି ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ପିଲାଙ୍କ ସଂଖ୍ୟା ମଧ୍ୟ ବଢ଼ିବ। ଗତ ତିନି ବର୍ଷ ହେଲା ଜେଇଇ ମେନ୍‌ ପରେ ସ୍ୱତନ୍ତ୍ର ଜେଇଇ କରାଯାଉଥିବାରୁ ସେଥିରେ ୫ରୁ ୬ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୮ରେ ଅଫ୍‌ ଲାଇନ୍‌ ଏବଂ ଏପ୍ରିଲ ୧୫ ଓ ୧୬ରେ ଅନ୍‌ଲାଇନ୍‌ରେ ଜେଇଇ ମେନ୍‌ ଅନୁଷ୍ଠିତ ହେବ। ଭୁବନେଶ୍ୱର ସମେତ ବାଲେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ଅନୁଗୁଳ, ଜୟପୁରରେ ଏକାଧିକ ପରୀକ୍ଷା କେନ୍ଦ୍ର କରାଯିବ।

ସମ୍ବନ୍ଧିତ ଖବର