ନଭେମ୍ବରରୁ ଜେଇଇ ମେନ୍ ଲାଗି ନାମ ପଞ୍ଜୀକରଣ
ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ ଜେଇଇ ମେନ୍ ଅନୁଷ୍ଠିତ ହେବ। ଏଥିପାଇଁ ଅକ୍ଟୋବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ନଭେମ୍ବରରୁ ଆରମ୍ଭ ହେବ ନାମ ପଞ୍ଜୀକରଣ। ୨୦୧୪ଠାରୁ ଓଡ଼ିଶାର ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଜେଇଇ ମେନ୍ରେ ଅଂଶଗ୍ରହଣ କରୁଥିବା ବେଳେ ଏଥର ଭାଗ ନ ନେବାକୁ ଦାବି କରିଛି ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)। ଏ ନେଇ ଗତ ସେପ୍ଟେମ୍ବର ମାସରେ ଓପେକା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିବାରୁ ଏଥର ଓଡ଼ିଶାର ଛାତ୍ରଛାତ୍ରୀ ଜେଇଇ ମେନ୍ରେ ଭାଗନେବେ ନା ଓଜେଇଇରେ ଅଂଶଗ୍ରହଣ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।
ଗତ ତିନି ବର୍ଷ ହେଲା ବି.ଟେକ୍ ପାଠ୍ୟକ୍ରମରେ ଲଗାତାର ଭାବେ ସିଟ୍ ଖାଲି ପଡ଼ୁଛି। ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ଅଧିକାଂଶ ସିଟ୍ ପୂରଣ ହେଉଥିବା ବେଳେ ଘରୋଇ କଲେଜରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ସିଟ୍ ଖାଲି ପଡ଼ୁଛି। ଯେଉଁଥିପାଇଁ ଘରୋଇ କଲେଜଗୁଡ଼ିକ ବ୍ୟାପକ କ୍ଷତି ସହୁଛନ୍ତି। ଜେଇଇ ମେନ୍ ପରେ ଓପେକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଓଜେଇଇ କରି ଖାଲି ସିଟ୍ଗୁଡ଼ିକ ପୂରଣ କରୁଛନ୍ତି। ଗତ ତିନି ବର୍ଷ ହେଲା ଏଭଳି ଚାଲି ଆସୁଥିବାରୁ ଓଡ଼ିଶା ସରକାର ଜେଇଇ ମେନ୍ରେ ଭାଗ ନ ନେବାକୁ ଓପେକା ଗତ ମାସରେ ଦାବି କରିଥିଲା।
ଓପେକା ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି ଯେ ମାତ୍ର ୬ଟି ରାଜ୍ୟର ପିଲାମାନେ ଜେଇଇ ମେନ୍ରେ ଅଂଶଗ୍ରହଣ କରୁଛନ୍ତି। ଅଧିକାଂଶ ରାଜ୍ୟ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସ୍ୱତନ୍ତ୍ର ପରୀକ୍ଷା କରୁଛନ୍ତି। ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ପରି ରାଜ୍ୟ ଏପର୍ଯ୍ୟନ୍ତ ଜେଇଇ ମେନ୍ରେ ଭାଗନେଇ ନାହାନ୍ତି। ଯେଉଁଥିପାଇଁ ସେମାନଙ୍କ ପିଲାମାନେ ଅଧିକ ସଂଖ୍ୟାରେ ପାସ୍ କରି ନାମଲେଖାର ସୁଯୋଗ ପାଉଛନ୍ତି। ଜେଇଇ ମେନ୍ ଲାଗି ଓଡ଼ିଶାରେ ମାତ୍ର ୯ଟି ସହରରେ ଜେଇଇ ମେନ୍ କେନ୍ଦ୍ର ହେଉଛି। ଯେତେବେଳେ କି ୩୦ଟି ଜିଲ୍ଲାରେ ୩୦ଟି କେନ୍ଦ୍ରର ଆବଶ୍ୟକତା ରହିଛି। ଏମ୍ସିଏ, ଏମ୍ବିଏ, ଫାର୍ମାସି ପାଠ୍ୟକ୍ରମରେ ନାମଲେଖା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଜେଇଇ ହେଉଛି। ତେଣୁ ସେଥିରେ ବି.ଟେକ୍ ପାଠ୍ୟକ୍ରମକୁ ସାମିଲ କରାଗଲେ ଅଧିକ ଚାପ ପଡ଼ିବ ନାହିଁ ବୋଲି ଓପେକା ସମ୍ପାଦକ ବିନୋଦ ଦାଶ କହିଛନ୍ତି। ଓପେକା ଦାବିକୁ ଇତିମଧ୍ୟରେ ୧୫ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଚିତ୍ର ସ୍ପଷ୍ଟ କରିନାହାନ୍ତି।
ବୈଷୟିକ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିବା ଉଚିତ୍ ନୁହେଁ। ୨୦୧୪ରୁ ଚାଲି ଆସୁଥିବା ନିୟମରେ ଏପର୍ଯ୍ୟନ୍ତ କୌଣସି ପରିବର୍ତନ ନେଇ ନିଷ୍ପତ୍ତି ହୋଇ ନାହିଁ। ତେଣୁ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ନ ପଡ଼ି ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହୁଅନ୍ତୁ। ଯଦି କୌଣସି ପରିବର୍ତନ ହୁଏ ତେବେ ସେମାନଙ୍କୁ ଜଣାଇ ଦିଆଯିବ।
ଓପେକା ସମ୍ପାଦକ ଶ୍ରୀ ଦାଶ କହିଛନ୍ତି ଯେ, ନିଷ୍ପତ୍ତି ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରହିଛି। ୫ରୁ ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରୁଛୁ। ଯଦି କୌଣସି ନିଷ୍ପତ୍ତି ନ ହୁଏ ତେବେ ଓପେକା ଆଇନର ଆଶ୍ରୟ ନେବ ବୋଲି ସେ କହିଛନ୍ତି।
ଓଜେଇଇ ଅଧ୍ୟକ୍ଷ ତୁଷାର ନାଥ କହିଛନ୍ତି ଯେ ସାଧାରଣତଃ ଜେଇଇ ମେନ୍ ଲାଗି ନଭେମ୍ବରରୁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ଆରମ୍ଭ ହୋଇଥାଏ। ତେଣୁ ଛାତ୍ରଛାତ୍ରୀ ଏବେଠାରୁ ନିଜକୁ ପ୍ରସ୍ତୁତ କରିନିଅନ୍ତୁ। ଗତବର୍ଷଠାରୁ ନାମ ପଞ୍ଜୀକରଣ ସମୟରେ ଛାତ୍ରଛାତ୍ରୀଙ୍କ ଲାଗି ଆଧାର ବାଧ୍ୟତାମୂଳକ କରାଯାଇଛି। ତେଣୁ ପିଲାମାନେ ସେମାନଙ୍କ ଆଧାର କାର୍ଡରେ ଜନ୍ମ ତାରିଖ, ପିତାଙ୍କ ନାମ, ନିଜ ନାମ ଯେପରି ଠିକ୍ ରହିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।