ଜେଇଇ ସ୍ଥଗିତ, ଜୁନ୍‌ ୧୫ ଯାଏ ବଢ଼ିଲା ଆବେଦନ ସମୟ

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌. ଆର୍କିଟେକ୍‌, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନ୍‌ ୧୭ରୁ ୨୪ ମଧ୍ୟରେ ହେବାକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟି‌ରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷା ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଏଥିସହ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୧୪ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ମେ’ ୧୫ରେ ଶେଷ ହେବାର ଥିଲା। ତେବେ ବହୁତ କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ଓଜେଇଇ ଦେବା ଲାଗି ଆବେଦନ କରିଥିବାରୁ ସମୟସୀମାକୁ ଜୁନ୍‌ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହ ଜୁନ୍‌ ୧୭ ଯାଏ ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ। ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ସମେତ ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ଜୁନ୍‌ ୧୫ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ତେଣୁ ଛାତ୍ରଛାତ୍ରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ‌ନିୟମିତ ଭାବେ ୱେବ୍‌ସାଇଟ୍‌ ଦେଖିବାକୁ ଓଜେଇଇ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନା ଅନୁଯାୟୀ, କମ୍ପ୍ୟୁଟର୍‌ ବେସଡ୍‌ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ଆଗ୍ରହୀ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା, ଆବେଦନର ନିୟମାବଳୀ, ସଂରକ୍ଷଣ ବ୍ୟବସ୍ଥା, ପରୀକ୍ଷା ପ୍ରଣାଳୀ, ସିଲାବସ୍‌ ଆଦି ସମ୍ପର୍କରେ ଓଜେଇଇ ୱେବସାଇଟ୍‌ରେ ଉଲ୍ଲେଖ ହୋଇଛି। ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ ନାହିଁ। ତେବେ ସେମାନେ ଘରୋଇ ଶିକ୍ଷାନୁଷ୍ଠାନ ଲାଗି ଆବେଦନ କରିପାରିବେ। ଏହାବ୍ୟତୀତ ସରକାରୀ ଓ ଘରୋଇ କଲେଜର ବି.ଟେକ୍‌, ଏମ୍‌ବିବିଏସ୍‌/ବିଡିଏସ୍‌/ବିଏଏମ୍‌ଏସ୍‌/ବିଏଚ୍‌ଏମ୍‌ଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କୁ ଏନ୍‌ଟିଏ ଦ୍ବାରା ଆୟୋଜିତ ଜେଇଇ ମେନ୍‌/ନିଟ୍‌ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର