ବାରିପଦା: ଶିମଳିପାଳରୁ ଝାଡ଼ଖଣ୍ଡ ହୋଇ ୧୯ ତାରିଖ ରାତିରୁ ପଶ୍ଚିମବଙ୍ଗକୁ ଚାଲିଯାଇଛି ବାଘୁଣୀ ‘ଜୀନତ୍’। ଏବେ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଅଞ୍ଚଳରେ ‘ଜୀନତ୍’ ରହିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ଖାସ୍କରି ଏହି ଅଞ୍ଚଳରେ ଶୀତଋତୁରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିବାରୁ ଏବେ ଲୋକଙ୍କ ସୁରକ୍ଷା ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଜୀନତ୍ ଦିନତମାମ ନିଜ ସ୍ଥାନ ବଦଳାଉ ଥିବାରୁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ପଡ଼ିଛନ୍ତି। ଆଜି ବେଲ୍ପାହାଡ଼ି ରେଞ୍ଜ ଅଧୀନ ଓଦଲଚୁଅ ଓ ମାସଗେରିଆ ଜଙ୍ଗଲ ମଧ୍ୟରେ ଜୀନତ୍ର ଅବସ୍ଥିତି ଟ୍ରାକ୍ ହୋଇଥିବାରୁ ଏହି ଅଞ୍ଚଳରେ ରହିଥିବା ସମସ୍ତ ହୋଟେଲ୍ ଓ ରିସର୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ। ଏଥିସହ ପର୍ଯ୍ୟଟକଙ୍କ ଆଗମନକୁ ବାରଣ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ୩୦ରୁ ଅଧିକ କର୍ମଚାରୀଙ୍କ ସହ ପଶ୍ଚିମବଙ୍ଗ ବନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଜୀନତ୍ ଉପରେ ନଜର ରଖିଛନ୍ତି। ତେବେ ବାଘୁଣୀଟି କୌଣସି କ୍ଷତି କରିବା ଆଗରୁ ଜାଲ ପକାଇ ଏହାକୁ ଧରିବା ପାଇଁ ସୁନ୍ଦରବନରୁ ଏକ ଟିମ୍କୁ ଡକାଇଛନ୍ତି ପଶ୍ଚିମବଙ୍ଗ ସରକାର। ଏହି ଟିମ୍ ଶନିବାର ସନ୍ଧ୍ୟାରେ ଝାଡ଼ଗ୍ରାମରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛି।
ହୋଟେଲ୍, ରିସର୍ଟରେ ତାଲା
ସରକାରଙ୍କ ପକ୍ଷରୁ ହାଇଆଲର୍ଟ
ସୁନ୍ଦରବନରୁ ଡକାଗଲା ସ୍ବତନ୍ତ୍ର ଟିମ୍
ଶିମିଳିପାଳ ଫେରିଲା ଯମୁନା
ତେବେ ବାଘୁଣୀକୁ ଜାଲରେ ଧରି ନ ପାରିଲେ ଟ୍ରାଙ୍କୁଲାଇଜ୍ କରାଯିବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଜୀନତ୍ ଏବେ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଲାଲ୍ଗଡ଼ ଅଞ୍ଚଳଠାରୁ ମାତ୍ର ୪୦ କିମି ଦୂରରେ ଥିବାରୁ ତାର ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ୨୦୧୮ରେ ଏଠାରେ ଏକ ମହାବଳ ବାଘକୁ ଶିକାରୀମାନେ ହତ୍ୟା କରିଥିଲେ। ସେହିପରି ଏହି ଅଞ୍ଚଳ ଏକଦା ମାଓବାଦୀଙ୍କ ଗଡ଼ ଥିଲା। ଯଦିଓ ଏବେ ମାଓପ୍ରବଣତା ନାହିଁ, ତଥାପି ବାଘୁଣୀ ପ୍ରତି ଶିକାରୀଙ୍କ ଭୟ ଅଧିକ ରହିଛି। ଏନେଇ ପଶ୍ଚିମବଙ୍ଗର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବୀରବାହା ହାଁସଦା କହିଛନ୍ତି, ଆମେ ବାଘୁଣୀ ଉପରେ ନଜର ରଖିଛୁ। ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ଯିବାକୁ ବାରଣ କରାଯାଇଛି। ଏନେଇ ଲୋକଙ୍କୁ ସଚେତନ କରାଯାଉଛି। ଏପଟେ ଶିମିଳିପାଳରୁ ବାଲେଶ୍ବର ଜିଲ୍ଲା କୁଲଡିହା ରେଞ୍ଜକୁ ପଳାଇଥିବା ବାଘୁଣୀ ‘ଯମୁନା’ କିନ୍ତୁ ୪ ଦିନ ପରେ ଶିମିଳିପାଳ ଜଙ୍ଗଲକୁ ଫେରିଆସିଛି। ‘ଯମୁନା’ ଏବେ ରାଜ୍ୟ ମଧ୍ୟରେ ଥିବାରୁ ତାହାର ସୁରକ୍ଷା ପାଇଁ କୌଣସି ଚିନ୍ତା ନଥିବା ସ୍ପଷ୍ଟ କରିଛନ୍ତି ଆର୍ସିସିଏଫ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/22/uovbQdd7uUFi7VsvmsZz.jpg)