କଟକ: କଳା ପ୍ରତି ସମର୍ପିତ ଜଣେ କଳାକାରର ପ୍ରତିଶ୍ରୁତିବଦ୍ଧତାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ମାଣିଆବନ୍ଧରେ। ଅପେରା ଚାଲିଥିବା ସମୟରେ ଖବର ପହଞ୍ଚିଲା ବାପା ମରିଯାଇଛନ୍ତି। କିନ୍ତୁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜିତେନ୍ଦ୍ରୀୟ ଦାଶ ମଞ୍ଚ ନଛାଡ଼ି ଅଭିନୟ ଜାରି ରଖିଥିଲେ। ବାପାଙ୍କ ଚାଲି ଯିବାର ଦୁଃଖରେ ତାଙ୍କ ଆଖିର ଲୁହକୁ ଅଭିନୟର ଲୁହ ଭାବି ଦର୍ଶକ ଖୁବ ତାଳି ମାରିଥିଲେ। ଅପେରା ଶେଷ ପର୍ଯ୍ୟନ୍ତ ଛାତି ଭିତରେ କୋହ ଚାପି ରଖି ଦର୍ଶକଙ୍କ ମନୋରଂଜନ କରି ଚାଲିଥିଲେ ଜିତେନ୍ଦ୍ରୀୟ। ଅପେରା ଶେଷ ହେବା ପରେ ଆୟୋଜକ କମିଟି ପକ୍ଷରୁ ଏହି ଦୁଃଖଦ ଖବର ଘୋଷଣା କରାଯିବା ବେଳେ ଦର୍ଶକମାନେ ବି ହତବାକ୍ ହୋଇଯାଇଥିଲେ। ତାଙ୍କର ଏଭଳି ତ୍ୟାଗକୁ ସମସ୍ତେ କରତାଳି ଦେଇ ଅଭିବାଦନ ଜଣାଇଥିଲେ।
ଅଭିନୟରେ ଲୁଚାଇ ଦେଲେ ଅସଲି ଲୁହ
ମାଣିଆବନ୍ଧରେ ଗଣେଶ ପୂଜା ଉପଲକ୍ଷେ କୋଣାର୍କ ଗଣନାଟ୍ୟ ଅପେରା ପରିବେଷଣ କରୁଥିଲା। ପୁରୀଜିଲ୍ଲା ବ୍ରହ୍ମଗିରି ପାରିକୁଦର ମୁଖ୍ୟ ନାୟକ ଜିତୁ ଓରଫ ଜିତେନ୍ଦୀୟଙ୍କ ବାପା ବାର୍ଦ୍ଧକ୍ୟ କାରଣରୁ ମୃତ୍ୟୁବରଣ କରିଥିଲେ। ହେଲେ ବାପାଙ୍କ ମୁହଁରେ ଗଙ୍ଗା ଜଳ କିମ୍ବା ଶବକୁ କାନ୍ଧେଇବାର ସୌଭାଗ୍ୟ ତାଙ୍କୁ ଜୁଟି ନଥିଲା। ରାତିରେ ଅପେରା ଚାଲିଥିଲା ସମୟରେ ବାପାଙ୍କ ମୃତ୍ୟୁ ଖବର ପାଇଥିଲେ। ଶହଶହ ଦର୍ଶକଙ୍କୁ ନିରାଶ ନ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ଏପରିକି ପାର୍ଟି ମାଲିକ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଅଭିନୟ ସୁଯୋଗ ଦେଇ ତାଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଥିଲେ। କୌଣସି କାରଣ ପାଇଁ ଅନୁଷ୍ଠାନକୁ କେହି ନିନ୍ଦା ନ କରନ୍ତୁ ସେଥିପାଇଁ ନିଜ ମନକୁ ଦୃଢ଼ କରି ଅଭିନୟ କରିଥିଲେ ଜିତୁ।
ଜିତୁଙ୍କ କହିବାନୁସାରେ, ଲୋକକଥା ଅଛି ବଡ଼ପୁଅ ବାପାର, ସାନ ପୁଅ ମା’ର, ମଝିଆ ପୁଅ କାହାର ନୁହଁ। ଆଜି ତାହା ମୋ ସହ ଘଟିଗଲା। ଆଗରୁ ମା’ ଚାଲିଯିବା ବେଳେ ଅପେରା ଦୂର ସ୍ଥାନରେ ପଡ଼ିଥିଲା। ସେ ପହଞ୍ଚି ପାରି ନଥିଲେ। ଏବେ ବାପାଙ୍କ ଦେହାନ୍ତ ସମୟରେ ମଧ୍ୟ ସମାନ ଘଟଣା ଘଟିଲା। ବାପାଙ୍କ କର୍ମରେ ସାମିଲ ହୋଇପାରି ନଥିବାରୁ ସେ ଦୁଃଖିତ ଥିଲେ ବି ନାଟକର ଗୁରୁତ୍ବକୁ ଦେଖି ଏହାକୁ ଛାଡ଼ି ଯାଇ ହେଲାନି। କଳା ପ୍ରତି ସମର୍ପଣ ଭାବ ରଖିବାକୁ ବାପା ସବୁବେଳେ ପରାମର୍ଶ ଦେଉଥିଲେ। ତେଣୁ ଏହା ମୋ ପାଇଁ ତାଙ୍କର ଆଶୀର୍ବାଦ ହେବ ବୋଲି କୋହଭରା କଣ୍ଠରେ କହିଛନ୍ତି ଜିତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/02/dgjdgjdgjcn-2025-09-02-02-34-16.jpg)