ନବୀନଙ୍କ ଜନ୍ମଦିନ ଅବସରରେ ୭୭ ସ୍ଥାନରେ ରକ୍ତଦାନ ଶିବିର : ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୧୨୩୨୫ ୟୁନିଟ୍‌ ରକ୍ତ ସଂଗ୍ରହ

ଭୁବନେଶ୍ବର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନ ଉପଲକ୍ଷେ ବିଜେଡି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭୁବନେଶ୍ବର ସ‌େମତ ୭୭ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ୧୨,୩୨୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ଆଠଗଡ଼ରେ ଅନୁଷ୍ଠିତ ଶିବିରରେ ସର୍ବାଧିକ ୬୭୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଦ୍ବିତୀୟରେ ବ୍ରହ୍ମପୁର(୬୧୬ ୟୁନିଟ୍‌) ଓ ତୃତୀୟରେ ରାଉରକେଲା(୫୧୧ ୟୁନିଟ୍‌) ରହିଛନ୍ତି।

ଭୁବନେଶ୍ବରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୩୭୨ ଜଣ ରକ୍ତଦାତା ରକ୍ତ ଦେଇଥି‌େଲ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଠାରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସେ କିଛି ରକ୍ତଦାତାଙ୍କୁ ଫୁଲ ଓ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅମର ପଟ୍ଟନାୟକ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଣବ ବଳବନ୍ତରାୟ, ସୁଶାନ୍ତ କୁମାର ରାଉତ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ, ସଂଯୋଜକ ‌ବିଜୟ କୁମାର ନାୟକ, ସଂଖ୍ୟାଲଘୁ ସେଲ୍‌ ସଭାପତି ମୁନା ଖାନ୍, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା, ମହିଳା ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସାଧାରଣ ସମ୍ପାଦକ ପ୍ରକାଶ ଦାସ, ସମ୍ପାଦକ ବିରଞ୍ଚି ନାରାୟଣ ମହାସୂପକାର, ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ ସେନାପତି ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି କଳ୍ପତରୁ ଓଝା ପ୍ରମୁଖ ଯୋଗ ଦେଇଥି‌େଲ। ବହୁ ପୂର୍ବତନ କର୍ପୋରେଟର୍‌, ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର