ବୁର୍ଲା : ରବିବାର ଦିନ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ ହୋଇଥିବା ବେଳେ ପାଖରେ ଥିବା ଏକ ଦଳୀୟ ସମର୍ଥକ ଜୀବନ କୁମାର ନାଏକ(୩୮) ଆହତ ହୋଇଛନ୍ତି। ଜୀବନଙ୍କ ନିଜ ଘର ଗଜପତି ଜିଲ୍ଲା କୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପଡ଼ା ଅଞ୍ଚଳରେ ହୋଇଥିବା ବେଳେ ସେ ବ୍ରଜରାଜନଗର ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗାଡ଼ିରୁ ଓହ୍ଲାଇଲା ବେଳେ ତାଙ୍କୁ ପାଦଛୁଇଁ ନମସ୍କାର କରିବାକୁ ଯିବା ସମୟରେ ମନ୍ତ୍ରୀଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଗୁଳିର ଖୋକା ତାଙ୍କ ବେକର ପଛପଟେ ଘଷି ହୋଇ ଚାଲି ଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇିଲା। ସେଠାରୁ ସନ୍ଧ୍ୟା ୫ଟା ସମୟରେ ତାଙ୍କୁ ପ୍ରଥମେ ବୁର୍ଲା ଭିମସାର୍ ଆଶୁଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଇଏନ୍ଟି ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।