ଜୀବନପ୍ରଦୀପ ବିଜେଡିରୁ ନିଲମ୍ବିତ

ଉପନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରୁଥିଲେ: ରବୀନ୍ଦ୍ର

ବାଲେଶ୍ୱର : ଆସନ୍ତା ୧୦ରେ ଆସିବ ବାଲେଶ୍ବର ସଦର ଉପନିର୍ବାଚନ ଫଳାଫଳ। ଜନମତ କାହା ସପକ୍ଷରେ ଯିବ ସେ ନେଇ ଆରମ୍ଭ ହୋଇଗଲାଣି କଳ୍ପନାଜଳ୍ପନା। ଏହିଭଳି ଏକ ସମୟରେ ବିଜେଡି ଆଜି ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଦଳ ବିରୋଧୀ କାମ ଅଭିଯୋଗରେ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛି। ଏହାକୁ ନେଇ ରାଜନୈତିକ ପାଣିପାଗ ପୁଣି ସରଗରମ ହୋଇଉଠିଛି।

୨୦୦୪ରେ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଜୀବନପ୍ରଦୀପ ଦାଶ ବାଲେଶ୍ୱର ସଦର ଆସନରୁ ବିଜେପି ଟିକେଟରୁ ଲଢ଼ି ପ୍ରଥମଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳରୁ ସେ ଦୁଇଥର ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ମଦନମୋହନ ଦତ୍ତଙ୍କଠାରୁ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ତେବେ ବିଧାୟକ ହେବାର ମାତ୍ର ଦେଢ଼ ବର୍ଷ ମଧ୍ୟରେ ମଦନମୋହନଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ପାଇଁ ବାଟ ଫିଟିଥିଲା। ବିଜେଡିରୁ ପୁଣିଥରେ ଆଶାୟୀ ଥିଲେ ଶ୍ରୀ ଦାଶ। ସେପଟେ ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁବାସିନୀ ଜେନା ମଧ୍ୟ ପ୍ରମୁଖ ଦାବିଦାର ଭାବେ ଆଗକୁ ଆସିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଥିଲା। ପରେ ଏ ବିବାଦ ଦଳର ରାଜ୍ୟନେତାଙ୍କ ହସ୍ତକ୍ଷେପରେ ସମାଧାନ ହୋଇଥିଲା ଏବଂ ବାଲେଶ୍ବର ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ସ୍ବରୁପ ଦାସଙ୍କୁ ଦଳ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା। ଗତ ୩ ତାରିଖରେ ଉପନିର୍ବାଚନ ସରିଥିବାବେଳେ ଆଜି ଶ୍ରୀ ଦାଶଙ୍କୁ ଦଳରୁ ହଠାତ୍‌ ନିଲମ୍ବନ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ଏ ସଂପର୍କରେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଜୀବନପ୍ରଦୀପ ଉପନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରୁଥିଲେ। ବିଭିନ୍ନ ସମୟରେ ତାଙ୍କର ଦଳବିରୋଧୀ କାର୍ଯ୍ୟ ସମ୍ପର୍କରେ କର୍ମୀ ଅଭିଯୋଗ କରି ଆସୁଥିଲେ। ଏପରିକି ସେ ବିଜେଡି କର୍ମକର୍ତ୍ତାଙ୍କୁ ବି ଏକ ନିର୍ଦ୍ଦିଷ୍ଟ ଦଳରେ ଭୋଟ୍‌ ଦେବାକୁ କହୁଥିଲେ। ତାଙ୍କର ଏଭଳି ବିଶୃଙ୍ଖଳିତ ଆଚରଣ ସଂପର୍କରେ ଦଳର ଶୃଙ୍ଖଳା କମିଟିକୁ ଅବଗତ କରାଯାଇଥିଲା।

ସମ୍ବନ୍ଧିତ ଖବର