ରାଜନଗର,(ସୂର୍ଯ୍ୟନାରାୟଣ ଲେଙ୍କା): ଜଳବାୟୁ ପରିବର୍ତ୍ତନ ଯୋଗୁ ମାଟି, ପାଣି, ପବନ ସବୁକିଛି ସଂକଟରେ। ପରିବେଶ ସନ୍ତୁଳନ ବିଗିଡ଼ି ଯାଇଥିବା ବେଳେ ଜୈବ ବିବିଧତା ଏବେ ସଂକଟରେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ମାଟି, ପାଣି, ପବନ ନୁହେଁ, ଜୀବ ଜଗତ ଉପରେ ମଧ୍ୟ ପଡ଼ିଛି। ଭିତରକନିକା ଜାତୀୟ ଉଦ୍ୟାନର ବାଉଁଶଗଡ଼ ନଦୀରେ ଏବେ ହଜାର ହଜାର ସଂଖ୍ୟାରେ ଜେଲିଫିସ୍‌ଙ୍କୁ ଦେଖିବାକୁ ମିଳୁଛି। ଏହି ସାମୁଦ୍ରିକ ଜୀବ କିପରି ଏତେ ସଂଖ୍ୟାରେ ନଦୀକୁ ଚାଲି ଆସିଲେ, ତାହା ପରିବେଶବିତ୍‌ ଓ ଜୀବବିଜ୍ଞାନୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଶହଶହ ସଂଖ୍ୟାରେ ସମୁଦ୍ର ଉପକୂଳରେ ଏହି ଜେଲିଫିସ୍‌ ମରି ପଡ଼ିଥିବା ବେଳେ ହଜାର ହଜାର ସଂଖ୍ୟାରେ ସମୁଦ୍ରରୁ ବାହାରି ନଦୀ ମଧ୍ୟକୁ ଚାଲିଯିବା କେଉଁ ଅଘଟଣର ସଂକେତ ଦେଉଛି, ତାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି।

Advertisment

publive-image Sharks And Rays Australia

ଭିତରକନିକା ଜାତୀୟଉଦ୍ୟାନର ସମୁଦ୍ର କୂଳରେ ରହିଛି ହବାଳିଖଟି। ଗୁପ୍ତି ପାଟ୍ଟଶାଳା ନଦୀରୁ ବୋଟ ଯୋଗେ ବାହାରି ମଇପୁରା ମୁହାଣ ଦେଇ ବାଉଁଶଗଡ ନଦୀରେ ୩ କିମି ଯିବାପରେ ହବାଳିଖଟି ପଡ଼ିବ। ଗତ କିଛିଦିନ ହେଲା ହବାଳିଖଟି ନିକଟସ୍ଥ ମଇପୁରା ମୁହାଣ ପୂର୍ବ ୩ କିମି ଓ ବାଉଁଶଗଡ ନଦୀର ୩ କିମି ମଧ୍ୟରେ ହଜାର ହଜାର ସଂଖ୍ୟାରେ ଜେଲିଫିସ୍‌ଙ୍କୁ ଦେଖିବାକୁ ମିଳୁଛି। ବୋଟ୍‌ରେ ଗଲାବେଳେ ଏକାସାଙ୍ଗରେ ଦଳ ଦଳ ହୋଇ ଜେଲିଫିସ୍‌ ଭାସୁଛନ୍ତି। କେବଳ ଜୁଆର ସମୟରେ ନୁହେଁ, ଛାଡ଼ ସମୟରେ ମଧ୍ୟ ନଦୀରେ ଜେଲିଫିସ୍‌ଙ୍କୁ ଦେଖିବାକୁ ମିଳୁଛି। ପୂର୍ବରୁ ନଦୀରେ କେଉଁଠି କାଁଭାଁ ଜେଲିଫିସ୍‌ଙ୍କୁ ଦେଖିବା ସ୍ବପ୍ନ ହୋଇଥିବା ବେଳେ ଏବେ ଏତେ ସଂଖ୍ୟାରେ ଜେଲିଫିସ୍‌ଙ୍କୁ ନଦୀରେ ଦେଖି ପରିବେଶବିତ ଓ ଜୀବବିଜ୍ଞାନୀ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଖାଲି ଏତିକି ନୁହେଁ, ନଦୀରେ ହଜାର ହଜାର ସଂଖ୍ୟାରେ ଜୀବିତ ଜେଲିଫିସ୍‌ ଭାସୁଥିବା ବେଳେ ଏକକୂଳାରୁ ସାତଭାୟା ଯାଏ ସମୁଦ୍ର ଉପକୂଳରେ ଜେଲିଫିସ୍‌ ମରି ପଡ଼ିଥିବା ଦେଖିବାକୁ ମିଳିଛି।

ଏ ସମ୍ପର୍କରେ ବିଶିଷ୍ଟ ପ୍ରାଣୀବିଜ୍ଞାନୀ ଗବେଷକ ଡ. ସୁଧାକର କର କହିଛନ୍ତି, ଜେଲିଫିସ୍‌ ସମ୍ପୂର୍ଣ୍ଣ ଭାବେ ସାମୁଦ୍ରିକ ଜୀବ। ବେଳାଭୂମିରେ ମରିପଡ଼ିବା ଓ ନଦୀକୁ ଚାଲି ଆସିବା କାରଣ ବୁଝାପଡୁନି। ଜଳ ପ୍ରଦୂଷଣ କିମ୍ବା ତାପମାତ୍ରା ପ୍ରଦୂଷଣ ପାଇଁ ଏପରି ହୋଇଥାଇପାରେ। କାରଣ ଜେଲିଫିସ୍‌ ପ୍ରଦୂଷଣ ସହି ପାରନ୍ତିନି। ପୁରୀ ନିକଟରେ ସମୁଦ୍ରରେ ପ୍ରଦୂଷିତ ରହିଛି। ମାତ୍ର ମଇପୁରା ମୁହାଣରେ ପ୍ରଦୂଷଣ ନାହିଁ କିମ୍ବା ଶିଳ୍ପ ନାହିଁ। ମେରାଇନ୍‌ ବାୟୋଲୋଜି ଏ ନେଇ ସର୍ଭେ କରିବା ଦରକାର।

ଜୀବ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡ଼ା କହିଛନ୍ତି, ଡଲଫିନ୍‌ ଯେପରି ମୁହାଣ ଓ ନଦୀକୁ ଚାଲି ଯାଆନ୍ତି ଓ ପୁଣି ସମୁଦ୍ରକୁ ଫେରି ଆସିଥା’ନ୍ତି, ସେହିପରି ଜୁଆର ସମୟରେ ଏପରି ହୋଇଥାଇପାରେ। ପାଣିର ରସାୟନିକ ସ୍ତର ମାପିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି।