ଜେନାପୁର ବସୁଧା ଦୁର୍ନୀତି: ଲୋକାୟୁକ୍ତଙ୍କ ତଦନ୍ତ ଆରମ୍ଭ

ପାଇପ୍‌ ନ ବିଛାଇ ପ୍ରକଳ୍ପ ସଂପୂର୍ଣ୍ଣ, ୧୫ଦିନରେ ପାଣି ଯୋଗାଇବାକୁ ନିର୍ଦ୍ଦେଶ

ଯାଜପୁର/କବାଟବନ୍ଧ : ମୂଳରୁ ପାଇପ୍‌ ବିଛାଇ ନାହାନ୍ତି। ଅଥଚ ଲୋକେ ବସୁଧା ପ୍ରକଳ୍ପରୁ ପାଣି ପାଉଥିବା ନେଇ ମିଛ ରିପୋର୍ଟ ଦେଇଥିଲେ। ଆଜି ଲୋକାୟୁକ୍ତଙ୍କ ନିଜସ୍ବ ତଦନ୍ତକାରୀ ସଂସ୍ଥାର ତଦନ୍ତ ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଜେନାପୁରର ୧କୋଟି ୫୪ଲକ୍ଷ ୬୭ହଜାର ଟଙ୍କାର ବସୁଧା ପାନୀୟଜଳ ପ୍ରକଳ୍ପର ବାସ୍ତବ ଚିତ୍ର ପଦାରେ ପଡ଼ିଛି। ତଦନ୍ତକାରୀ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରି ଅଶ୍ଚର୍ଯ୍ୟ ପ୍ରକଟ କରିବା ସହ ୧୫ ଦିନ ମଧ୍ୟରେ ସମସ୍ତ ଉପଭୋକ୍ତାଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଚଣ୍ଡିଖୋଲ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ ଅଧିକାରୀଙ୍କୁ ନି​ର୍ଦ୍ଦେଶ ଦେଇଛନ୍ତି।

ତଦନ୍ତକାରୀ ଦଳ ଆଜି କାଗଜପତ୍ର ତନଖି କରିବା ସହ ଜେନାପୁର ପ୍ରକଳ୍ପ ନିକଟରେ ପହଞ୍ଚି ତଦନ୍ତ କରିଥିଲେ। ଗାଁ ଗାଁ ବୁଲି ସ୍ଥିତି ପରଖିଥିଲେ। ତଦନ୍ତ ବେଳେ ପାଣି ପାଇଁ ଅସୁବିଧା ଭୋଗ କରୁଥିବା ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିଭାଗୀୟ ଅଧିକାରୀ କହୁଥିଲେ, ୨ଟି ଗାଁ ଅରିମୂଳ, ପଥରଡିହରେ ୪୦୦ରୁ ଅଧିକ ଟ୍ୟାପ୍‌ ଲଗାଯାଇ ପାଣି ପରୀକ୍ଷା କରାଯାଇଛି।

କିନ୍ତୁ, ତଦନ୍ତ ବେଳେ ମାତ୍ର ୨୦/୨୫ଟି ଟ୍ୟାପ୍ ସଂଯୋଗ ହୋଇଛି। ତାହା ମଧ୍ୟ ବିଫଳ। ପ୍ରକଳ୍ପ ପରୀକ୍ଷା କରିବା ଭିତରେ ଅନେକ ଜାଗାରେ ମୁଖ୍ୟ ପାଇପ ଓ ଶାଖା ପାଇପ୍‌ ଫାଟି ଯାଇଛି। ପାଣିଟାଙ୍କିର ଉପର ଭାଗରେ ଦୁଇ ରାଉଣ୍ଡ ଶିଡ଼ି ମଧ୍ୟ ନାହିଁ। ପ୍ରକଳ୍ପ ଶେଷ ହୋଇଥିବା ଦର୍ଶାଯାଇଥିବା ବେଳେ ଦୁର୍ଗାମଣ୍ଡପ ସାହି, ପଣସପଡ଼ିଆ, ବରାଳସାହି, ଷଣ୍ଢପୁର, ଷ୍ଟେସନସାହି ଇତ୍ୟାଦି ଅଞ୍ଚଳକୁ ମୂଳରୁ ପାଇପ ବିଛାଯାଇ ନାହିଁ। ଏଭଳି ସ୍ଥିତି ଦେଖି ତଦନ୍ତକାରୀ ଦଳ ଆଶ୍ଚର୍ଯ୍ୟ ହେବା ସହ ୧୫ଦିନରେ ସମସ୍ତଙ୍କୁ ପାଣି ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଜଳ ଜୀବନ ମିସନ(ଜେଜେଏମ)ରେ ଜେନାପୁର ଡାକବଙ୍ଗଳାଛକ ନିକଟରେ ୧ କୋଟି ୫୪ଲକ୍ଷ ୬୬ହଜାର ଟଙ୍କା ବ୍ୟୟ ଅଟକ‌ଳରେ ୨୦୧୭ରେ ବସୁଧା ପ୍ରକଳ୍ପ ମଞ୍ଜୁର ହୋଇଥିଲା। ୨ବର୍ଷ ପରେ ଅର୍ଥାତ୍‌ ୨୦୧୯ ମାର୍ଚ୍ଚ୨ରେ କାମ ଆରମ୍ଭ ହୋଇ ୯ମାସ ମଧ୍ୟରେ ଶେଷ ହୋଇଥିବା ଦର୍ଶାଯାଇଥିଲା। ‌ତେବେ, ସ୍ଥାନୀୟ ଲୋକ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ନେ‌ଇ ପ୍ରେମଚାନ୍ଦ ମହାନ୍ତି, ସରୋଜ ପଟ୍ଟନାୟକ, ମନୋରଂଜନ ସାହୁ, ବିଭୂତି ସ୍ବାଇଁ ଓ ପ୍ରଦୀପ ସାମଲ ପ୍ରମୁଖ ଅଭି‌ଯୋଗ କରିଥିଲେ। ଗତବର୍ଷ ଡିସେମ୍ବର ୧୫ତାରିଖରେ ଏହି ପ୍ରକଳ୍ପ ସଂପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ମଧ୍ୟ ଯନ୍ତ୍ରୀ ଓ ଠିକାଦାର କୌଣସି ପଦକ୍ଷେପ ନେଇନଥିଲେ। ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହେବାପରେ ଆଜି ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର