ଯନ୍ତ୍ରୀଙ୍କ ଶବ ଉଦ୍ଧାର ମାମଲା: ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ସଚ୍ଚୋଟ ହେବାରୁ ଜୀବନ ଗଲା!

ବଲାଙ୍ଗୀର: ଏଠି ସେଠି ସବୁଠି ଦୁର୍ନୀତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାଲିଛି ପିସି କାରବାର। ଫାଇଭ-ଟି ହେଉକି ମୋ ସରକାର, କାହାରିକୁ ଭୟ ନାହିଁ। ଚାଲିଛି ଖୋଲାଖୋଲି ଦୁର୍ନୀତି। ଏସବୁ ଭିତରେ କିନ୍ତୁ ବଳି ପଡୁଛନ୍ତି ସଚ୍ଚୋଟ ଅଧିକାରୀ। କାଁ ଭାଁ ସଚ୍ଚୋଟ ଭାବେ କାମ କରୁଥିବା ଅଧିକାରୀ ଏବେ ଦୁର୍ନୀତି ରାକ୍ଷସଙ୍କ ଆଁ ଭିତରେ ଜୀବନ ହାରୁଛନ୍ତି। ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରୁ। ଗତକାଲି ପାଟଣାଗଡ଼ ବ୍ଲକ୍‌ର ଜେଇ ସୁରେଶ ଚନ୍ଦ୍ର ସାହୁଙ୍କ ଶବ କପା କିଆରିରୁ ମିଳିଥିଲା। ଶନିବାର କଟକ ଜିଲ୍ଲାରୁ ତାଙ୍କ ପରିବାର ଲୋକେ ପହଞ୍ଚିବା ପରେ ଯନ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି।

ଏପରିକି ପାଟଣାଗଡ଼ ବ୍ଲକ୍‌ ଯନ୍ତ୍ରୀ ସଂଘ ତରଫରୁ ଏସ୍‌ପି ନିତିନି କୁଶଳକରଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଶୀଘ୍ର ଦୋଷୀମାନଙ୍କୁ ଗିରଫ କରିବା ପାଇଁ ସଂଘ ଦାବି କରିଛି। ପରିବାର ଲୋକେ ଏବଂ ପାଟଣାଗଡ଼ ବ୍ଲକ୍‌ ଅଞ୍ଚଳର ଲୋକଙ୍କ କହିବା ଅନୁସାରେ ଜେଇ ସୁରେଶ ଚନ୍ଦ୍ର ସାହୁ ଜଣେ ଶାନ୍ତ, ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଟ ଅଧିକାରୀ ଥିଲେ। କୌଣସି ନକଲି କାମ କରି ଠିକାଦାରମାନେ ବିଲ୍‌ କରିବା ପାଇଁ ଚାପ ପକାଉଥିଲେ ମଧ୍ୟ ଖାତିର କରୁନଥିଲେ। ପିସି କାରବାର କରୁନଥିବାରୁ ପାଟଣାଗଡ଼ ବ୍ଲକ୍‌ର ଅନେକ ଦୁର୍ନୀତିଗ୍ରସ୍ତ ଠିକାଦାର ତାଙ୍କର ଶତ୍ରୁ ପାଲଟିଯାଇଥିଲେ। ସେହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ସେପଟେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଉଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ପାଟଣାଗଡ଼ ଏସ୍‌ଡିପିଓ। ସେପଟେ ଆଜି ପୋଷ୍ଟମର୍ଟମ ୱାର୍ଡକୁ ଯାଇ ଏସ୍‌ପି ନିତିନ କୁଶଲକର ମୃତ ଯନ୍ତ୍ରୀଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର