ଭୁବନେଶ୍ବର : ନୀଳାମ୍ବୁ ଚିଲିକାର ଜଳରାଶି ଭିତରେ ମିଳିବ ରେସ୍ତୋଁରାର ମଜା। ଏକ ଭିନ୍ନ ଦୁନିଆରେ କେଇ କ୍ଷଣ ହଜିଯିବା ସହ ସ୍ବାଦିଷ୍ଟ ଖାଦ୍ୟରେ ଆପାୟିତ ହେବେ ପର୍ଯ୍ୟଟକ। ଚିଲିକା ପର୍ଯ୍ୟଟନ କ୍ଷେତ୍ର ସହ ଯୋଡ଼ି ହେବ ‘ଭସା ରେସ୍ତୋଁରା’। ପାଣିରେ ଭାସିଭାସି କଙ୍କଡ଼ା, ମାଛର ସ୍ବାଦ ନେବା ସହ ଚିଲିକାର ମନୋରମ ଦୃଶ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ। ପର୍ଯ୍ୟଟକଙ୍କୁ ଏଭଳି ନିଆରା ଅନୁଭବ ଭେଟି ଦେବ ରାଜ୍ୟ ପର୍ଯ୍ୟଟନ ବିଭାଗ।
ଏଥି ସହ ଜଳ କ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ମନୋରଂଜନର ଭରପୂର ସୁଯୋଗ ଜୁଟିବ। ଚିଲିକାର ଜଳରାଶିରେ ଜେଟ୍ ସ୍କାଏଜ୍ରେ ଘୂରି ବୁଲିବାର ଅବକାଶ ମିଳିବ। ଜଳକ୍ରୀଡ଼ାକୁ ନେଇ ପର୍ଯ୍ୟଟନ ବିଭାଗ ଅନେକ ଯୋଜନା କରିଥିବା ବେଳେ ପର୍ଯ୍ୟଟକମାନଙ୍କୁ କମ୍ ଦିନ ମଧ୍ୟରେ ଏହି ସୁବିଧା ଉପଲବ୍ଧ ହେବ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମୋଡ୍ରେ ପରିଚାଳନା କରାଯିବ। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଚିଲିକା ନିକଟସ୍ଥ ଓଡ଼ିଆ ଅଲାପୁର ନିକଟରେ ଏହି ଭସା ରେସ୍ତୋଁରା ମଜା ମିଳିବ। ରେସ୍ତୋଁରାରେ ଏକକାଳୀନ ୫୦ ଜଣ ବସି ଖାଦ୍ୟ ଖାଇପାରିବେ। ତାହା ମଧ୍ୟରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେବ। ତାରକା ରେସ୍ତୋଁରା କିମ୍ବା ଏୟାର କଣ୍ଡିସନ୍ଡ ରେସ୍ତୋଁରା ପରିଚାଳନାରେ ଅଭିଜ୍ଞତା ରଖିଥିବା ଘରୋଇ ସଂସ୍ଥା ଏହି ପ୍ରକଳ୍ପକୁ ପରିଚାଳନା କରିବେ। ଜଳକ୍ରୀଡ଼ାର ମଜା ନେବା ପାଇଁ ୨ଟି ଜେଟ୍ ସ୍କାଏର ବ୍ୟବସ୍ଥା କରାଯିବ। ମୋଟର ବୋଟ୍, ଜେଟ୍ ସ୍କାଏ, ହୋଭରକ୍ରାଫ୍ଟ କିମ୍ବା କ୍ରୁଜ୍ ବୋଟ୍ ଚଳାଇବାରେ ଅଭିଜ୍ଞତା ରଖିଥିବା ବ୍ୟକ୍ତି ଏହି ଜେଟ୍ ସ୍କାଏ ଚଳାଇବେ। ନିରାପଦରେ ବୁଲିବା ପାଇଁ ଅନ୍ତର୍ଜାତୀୟ ମାନର ଲାଇଫ୍ ଜାକେଟ୍ର ବନ୍ଦୋବସ୍ତ କରାଯିବ। ପ୍ରକଳ୍ପ ସହ ପର୍ଯ୍ୟଟକ ଓ ପରିଚାଳନାରେ ନିୟୋଜିତ ସଦସ୍ୟମାନଙ୍କ ବୀମା ବ୍ୟବସ୍ଥା କରାଯିବ। ୭୫ ପ୍ରତିଶତ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ ନିୟୋଜିତ ହେବେ। ପ୍ରଥମ ପର୍ଯ୍ୟାୟରେ ୧୦ ବର୍ଷ ପାଇଁ ଏହି ପ୍ରକଳ୍ପକୁ ଏକ ଘରୋଇ ସଂସ୍ଥାକୁ ଦିଆଯିବ। କୌଣସି ସଂସ୍ଥା ଏହାକୁ ନିଲାମ ସୂତ୍ରରେ ନେବା ପରେ ଏହାକୁ ୧ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/jet.jpg)