ଡାକ୍ତରଖାନାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌

ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ ହୋଇପଡ଼ିଛନ୍ତି। ଜୁଏଲ ଏବେ ଆରଏମଏଲ୍‌ (ରାମ ମନୋହର ଲୋହିଆ) ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଜାତୀୟ ମିଡିଆ ସେଣ୍ଟରରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ପ୍ରଥମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଶେଷ ହେବାପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଃଶ୍ବାସ ପ୍ରଶ୍ବାସରେ ଯନ୍ତ୍ରଣା ଅନୁଭବ କରିବାରୁ ଦିଲ୍ଲୀର ଆରଏମଏଲ୍‌ ହସ୍ପିଟାଲ୍‌କୁ ଯାଇଥିଲେ। ସେଠାରେ ଡାକ୍ତରୀଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଦେଇଥିଲେ। ଜୁଏଲ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ଏହାବାଦ୍‌ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ପରୀକ୍ଷା ମଧ୍ୟ କରାଯାଇଛି। ତେବେ ସବୁ ରିପୋର୍ଟ ନର୍ମାଲ୍‌ ଥିବା ଜଣାପଡ଼ିଛି। ପାଖାପାଖି ୪ ଘଣ୍ଟା ଆଇସିୟୁରେ ରଖିବାପରେ ଜୁଏଲ୍‌ ଓରାମଙ୍କୁ ପ୍ରାଇଭେଟ୍‌ ୱାର୍ଡର ୧୭ ନଂ ରୁମ୍‌କୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରମନ୍ତ୍ରୀ ଓରାମ୍‌ଙ୍କର ଶ୍ବାସ ଜନିତ ସମସ୍ୟା ଥିବାରୁ ଡାକ୍ତରୀଦଳ ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲ୍‌ରେ ରହିବାପାଇଁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର