କାକଟପୁର: କାକଟପୁର ବ୍ଲକ୍‌ ଅନ୍ତର୍ଗତ କୁଣ୍ଢେଇ ବଜାର ନିକଟରେ ଥିବା ସାହୁ ଜୁଏଲାରି ମାଲିକଙ୍କ ଉପରକୁ ଆଜି ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୨ ଜଣ କଳାମୁଖା ପିନ୍ଧା ଦୁର୍ବୃତ୍ତ ଅତର୍କିତ ଭାବେ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳିମାଡ଼ରେ ଜୁଏଲାରି ମାଲିକ ନିରଂଜନ ସାହୁ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।    

Advertisment

ଆଜି ପବିତ୍ର ବିଶ୍ବକର୍ମା ପୂଜା ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ଥିବାବେଳେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜନଗହଳିର ସୁଯୋଗ ନେଇ ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ନାଲିରଙ୍ଗର ନମ୍ବରବିହୀନ ହୋଣ୍ତା ସାଇନ୍ ବାଇକ୍‌ରେ ଆସି ସାହୁ ଜୁଏଲାରି ମଧ୍ୟରେ ପ୍ରବେଶ କରିଥିଲେ। ବନ୍ଧୁକ ଦେଖାଇ ଲୁଟ୍‌ପାଟ୍ ଆରମ୍ଭ କରିବାରୁ ଜୁଏଲାରି ମାଲିକ ନିରଂଜନ ସାହୁ ଏହାର ବିରୋଧ କରିଥିଲେ। ନିକଟରେ ଥିବା କିଛି ଏସିଡ୍‌କୁ ନିରଂଜନ ଏହି ଦୁଇଜଣଙ୍କ ଉପରେ ଫିଙ୍ଗିବାକୁ ଉଦ୍ୟମ କରିବାରୁ ଜଣେ ଦୁର୍ବୃତ୍ତ ହାତରେ ଧରିଥିବା ପିସ୍ତଲରୁ ୨ ରାଉଣ୍ତ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ନିରଂଜନଙ୍କ ଡାହାଣ ପଟ ପିଠିରେ ବାଜିଥିଲା।

ଗୁଳିମାଡ଼ରେ ଗୁରୁତର ଆହତ ନିରଂଜନ ଚିତ୍କାର କରିବାରୁ ଉଭୟ ଦୁର୍ବୃତ୍ତ ହୋଣ୍ତା ସାଇନ୍‌କୁ ଛାଡ଼ି ସେଠାରୁ ଏକ ଟାଭେରା ଗାଡ଼ିରେ ଫେରାର ହୋଇ ଯାଇଥିଲେ। ଖବର ପାଇ କାକଟପୁର ଥାନା ଆଇଆଇସି ବିଜୟକେତନ ବେହେରା ପୁଲିସ୍‌ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତମାନେ ଟାଭେରା ଗାଡ଼ିରେ ଫେରାର ହୋଇ ଯାଇଥିବାରୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇଥିଲା। ତେବେ ଦୁର୍ବୃତ୍ତମାନେ ନୟାହାଟ ଫାଣ୍ଡି ଅଞ୍ଚଳରେ ଟାଭେରାକୁ ଛାଡ଼ି ଅନ୍ୟ କୌଣସି ଏକ ଗାଡ଼ିରେ ଫେରାର ହୋଇ ଯାଇଛନ୍ତି। ଅପରାଧରେ ବ୍ୟବହୃତ ବାଇକ୍‌ ଓ ଟାଭେରା ଗାଡ଼ିକୁ କାକଟପୁର ଥାନା ପୁଲିସ ଜବତ କରିଛି।