ଦିଗପହଣ୍ଡିରେ ଚାଞ୍ଚଲ୍ୟ: ସୁନାଦୋକାନୀଙ୍କୁ ବୋମାମାଡ଼, ମେଡିକାଲରେ ଭର୍ତ୍ତି

କଳାମୁଖା ପିନ୍ଧା ଦୁର୍ବୃତ୍ତ ଠେଙ୍ଗାରେ ପିଟିଲେ, ବୋମାମାଡ଼ କରି ଫେରାର ହେଲେ

ଦିଗପହଣ୍ଡି/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ସୋମବାର ରାତିରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୁନା ଦୋକାନର ମାଲିକ ମଧୁସୂଦନ ପାତ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କଳାମୁଖା ପିନ୍ଧିଥିବା ଦୁଇ ଦୁର୍ବୁତ୍ତ ଏକ ବାଇକ୍‌ରେ ଆସି ଆକ୍ରମଣ କରିଛନ୍ତି। ଠେଙ୍ଗାରେ ମାଡ଼ ମରିବା ସହ ତାଙ୍କ ଉପରକୁ ବୋମାମାଡ଼ କରିଛନ୍ତି। ସୌଭାଗ୍ୟକ୍ରମେ ବୋମା ନ ଫୁଟିବାରୁ ସୁନା ଦୋକାନୀ ମୃତ୍ୟୁ ମୁଖ୍ୟରୁ ବଞ୍ଚି ଯାଇଛନ୍ତି। ଦୁବୃର୍ତ୍ତଙ୍କ ମାଡ଼ରେ ମଧୁସୂଦନଙ୍କ ମୁଣ୍ଡ ଓ ଡାହାଣ ହାତରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ଗୁରତୁର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ସହରରେ ରହିଛି ମଧୁସୂଦନ ଜୁଏଲର୍ସ। ଆଜି ରାତି ୮ଟା ୫୦ରେ ସୁନା ଦୋକାନ ବନ୍ଦ କରି ମଧୁସୂଦନ ଜନତା ଲେନ୍‌ସ୍ଥିତ ନିଜ ଘରକୁ ଚାଲି ଚାଲି ଫେରୁଥିଲେ। ତାଙ୍କ ଘର ଠାରୁ କିଛି ଦୂରରେ କଳା ମୁଖା ପିନ୍ଧିଥିବା ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ମଧୁଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହି ସମୟରେ ମଧୁଙ୍କ ଚିତ୍କାର ଶୁଣି ତାଙ୍କ ବାପା ଦେବେନ୍ଦ୍ର ପାତ୍ର ଆସି ପ୍ରତିରୋଧ କରିଥିଲେ। ଦୁବୃର୍ତ୍ତମାନେ ତାଙ୍କୁ ବି ନିସ୍ତୁକ ମାଡ଼ ମାରିଥିଲେ। ଲୋକମାନେ ପଳାଇ ଆସିବାରୁ ଏକ ବୋମା ଫୋଫାଡ଼ି ବାଇକ୍‌ରେ ଫେରାର ହୋଇଯାଇଥିଲେ। ହେଲେ ବୋମାଟି ସୌଭାଗ୍ୟବଶତଃ ଫୁଟି ନ ଥିଲା। ଦିଗପହଣ୍ଡି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଫୁଟା ବୋମାକୁ ପୁଲିସ ଜବତ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସମ୍ବନ୍ଧିତ ଖବର