ସମ୍ବଲପୁର : ନିଜକୁ ଆୟକର ଅଧିକାରୀ ଭାବେ ପରିଚୟ ଦେଇ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଠକିନେଇଥିବା ଅଭିଯୋଗରେ ସମ୍ବଲପୁର ପୁଲିସ ବାଙ୍ଗାଲୁରୁର ଜଣେ ଏମ୍ବିଏ ଛାତ୍ର ବିଶାଲ ଆର୍ ଏନ୍ (୨୬)କୁ ଗିରଫ କରିଛି। ସମ୍ବଲପୁର ଅଗ୍ରଵାଲ ଆଭୂଷଣ ଜ୍ବେଲେରିର ମାଲିକ କହ୍ନେୟାଲାଲ ଅଗ୍ରଵାଲଙ୍କ ଅଭିଯୋଗ ଆଧାରରେ ବିଶାଲକୁ ଗିରଫ କରାଯାଇଛି। ଏହା ସହିତ ବିଶାଲ ଠାରୁ ସୁନା ନେଉଥିବା ବ୍ୟବସାୟୀ ମାଙ୍ଗାଲୋର୍ର ନିତିନ କୁମାର ବି(୩୯) କୁ ମଧ୍ୟ ପୁଲିସ ଗିରଫ କରିଥିଲା। ତା’ ପାଖରୁ ୧୩୧.୯୮ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଥିଲା। ବିଶାଲ ସମ୍ବଲପୁର ସମେତ ଝାରସୁଗଡ଼ା ଓ ବ୍ରହ୍ମପୁରରେ ମଧ୍ୟ ସମାନ ଉପାୟରେ ଲୁଟ କରିଛି। ଏହା ବ୍ୟତୀତ ସେ ରାଜ୍ୟ ବାହାରେ ମଧ୍ୟ ଏଭଳି ଏକାଧିକ ଲୁଟ କରିଥିବା ଜଣାପଡ଼ିଛି।
ଗତ ମାର୍ଚ୍ଚ ୩୦ ତାରିଖ ଅପରାହ୍ଣ ୪ଟା ସମୟରେ ବିଶାଲ ଏକ ସ୍ବିଫ୍ଟ ଡିଜାୟାର କାର୍(ଓଆର୍୧୫ଟି୭୩୭୨)ରେ ଅଗ୍ରଵାଲ ଆଭୂଷଣ ଜ୍ବେଲାରିକୁ ଆସି ନିଜକୁ ଆୟକର ବିଭାଗର ଆସିଷ୍ଟାଣ୍ଟ କମିସନର୍ ବୋଲି ପରିଚୟ ଦେଇଥିଲ।। ଏହା ସହିତ ଏକ ସୁନା ବ୍ରେସ୍ଲେଟ୍ ଓ ମୁଦି କିଣିଥିଲା। ଏହି ୨ଟି ଜିନିଷର ମୂଲ୍ୟ ୧ ଲକ୍ଷ ୪୭ ହଜାର ୭ ଶହ ୫୦ ଟଙ୍କା ହୋଇଥିଲା। ତେବେ ଉକ୍ତ ବ୍ୟକ୍ତି ଜଣକ ଦୋକାନୀଙ୍କୁ ମୋବାଇଲ ଓ ଆକାଉଣ୍ଟ ନମ୍ବର ମାଗିଥିଲେ ଏବଂ ଏନ୍ଇଏଫ୍ଟିରେ ପେମେଣ୍ଟ କରିବି ବୋଲି କହିଥିଲେ। ଆୟକର ବିଭାଗ ଅଧିକାରୀ ବୋଲି ପୂର୍ବରୁ ବିଶ୍ବାସ ଜନ୍ମାଇ ଦେଇଥିବାରୁ ଦୋକାନୀ ଜଣକ ପେମେଣ୍ଟ ପାଇଁ ଆକାଉଣ୍ଟ ନମ୍ବର ଓ ମୋବାଇଲ୍ ନମ୍ବର ଦେଇଥିଲେ। ଏହାପରେ ଉକ୍ତ ଅଭିଯୁକ୍ତ ଜଣକ ଦୋକାନୀଙ୍କୁ ଏକ ଫେକ୍ ମେସେଜ ଦେଖାଇଥିଲେ, ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା କି ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୪୭ ହଜାର ୭୫୦ ଟଙ୍କା କଟିସାରିଛି। ବିଶାଲର କଥାକୁ ବିଶ୍ବାସ କରି ବ୍ୟବସୀୟ ଜଣକ ସୁନା ଅଳଙ୍କାର ଦେଇଦେଇଥିଲେ। କିନ୍ତୁ ଠକେଇର ଶିକାର ହୋଇଥିବା ବ୍ୟବସାୟୀ ଜଣକ ପରେ ଅନୁଭବ କରିବା ପରେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଟାଉନ୍ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସମ୍ବଲପୁର ଏସ୍ପି ବି ଗଙ୍ଗାଧର ଏହି ଘଟଣାକୁ ଗୁରୁତ୍ବ ସହ ନେବା ସହିତ ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ତେବେ ବିଶାଲକୁ ଗତ ୧୧ ତାରିଖରେ ଭୁବନେଶ୍ବରରେ ଧରାଯାଇଥିଲା। ଏହାପରେ ଘଟଣାର ତଦନ୍ତ ପାଇଁ ବିଶାଲକୁ ସମ୍ବଲପୁର ଅଣାଯାଇଥିଲା। ଏ ନେଇ ସମ୍ବଲପୁର ଏସ୍ପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍ପିଙ୍କ ସୂଚନା ଅନୁଯାୟୀ ତଦନ୍ତ ବେଳେ ଅଭିଯୁକ୍ତ ଜଣକ ଏଭଳି ଏକାଧିକ ସ୍ଥାନରେ ଲୁଟ କରିଥିବା ସ୍ବୀକାର କରିଛି। ଏହା ସହିତ ସମାନ ଢଙ୍ଗରେ ସେ ବ୍ରହ୍ମପୁର, ପୁରୀ, ଝାରସୁଗୁଡ଼ା, ବିଶାଖାପାଟନମ୍ ହୁଗୁଳି, ଚିକ୍ ମାହ୍ଗାଲୋର୍, ଭାପିରଗୁଜୁରାଟ ଆଦି ସ୍ଥାନରେ ଲୁଟ କରିଥିବା କହିଛି। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ବିଶାଲ ଠାରୁ କମ୍ ଦରରେ ମାଙ୍ଗାଲୋର୍ର ନିତିନ ସୁନା ଅଳଙ୍କାର କିଣୁଥିଲା। ଏହି ତଥ୍ୟ ଆଧାରରେ ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ୍ ଗତ ୧୨ ତାରିଖରେ ମାଙ୍ଗାଲୋର୍ ଯାଇ ନିତିନକୁ ଧରିବା ସହ ସମ୍ବଲପୁର ଆଣିଥିଲା। ଏହା ସହିତ ନିତିନ ଠାରୁ ୧୩୧.୯୮ ଗ୍ରାମର ସୁନା ଅଳଙ୍କାର ଜବତ କରିଥିଲା। ଲୁଟ୍ରେ ସମ୍ପୃକ୍ତ ଥିବାରୁ ଶୁକ୍ରବାର ଉଭୟ ବିଶାଲ ଓ ନିତିନକୁ ପୁଲିସ ଗିରଫ କରିଯାଇଥିଲା। ଉଭୟଙ୍କ ପାଖରୁ ୨ଟି ସୁନା ବ୍ରେସ୍ଲେଟ୍, ଦୁଇଟି ଚେନ୍, ଗୋଟିଏ ମୁଦି, ଗୋଟିଏ ବଳା ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଚୋରି ପଛରେ ଯୁବକର ଚତୁର ବୁଦ୍ଧି
ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରୁଥିବା ବିଶାଲ ଜଣେ ଏମ୍ବିଏ ଛାତ୍ର। ସେ ରେବା କଲେଜ ଅଫ୍ ମ୍ୟାନେଜମେଣ୍ଟରେ ପାଠ ପଢ଼େ। ତା’ ବାପାଙ୍କ ମୃତ୍ୟୁ ପରେ ଟଙ୍କା ରୋଜଗାର ପାଇଁ ବିଶାଲ ଏହି ଧନ୍ଦା ଆପଣେଇଥିବା କହିଛି। ବର୍ତ୍ତମାନ ସୁଦ୍ଧା କରାଯାଇଥିବା ତଦନ୍ତ ଅନୁଯାୟୀ ସେ କେବଳ ଅଳଙ୍କାର ଦୋକାନଗୁଡ଼ିକୁ ଟାର୍ଗେଟ କରିଆସିଛି। ପ୍ରଥମେ ସେ ନିଜକୁ ଆୟକର ଅଧିକାରୀ ବୋଲି ପରଚୟ ଦେଇ ବ୍ୟବସାୟୀଙ୍କ ମନରେ ଭୟ ଓ ବିଶ୍ବାସ ସୃଷ୍ଟି କରୁଥିଲା। ତାପରେ ସୁନା କିଣା ଓ ପେମେଣ୍ଟ। ପେମେଣ୍ଟ ବେଳେ ବିଶାଲ ସବୁଠାରୁ ସହଜ ଓ ବଡ଼ ଚାଲ୍ ଚଳାଉଥିଲା। ଏକ ନମ୍ବରକୁ କୌଣସି ଏକ ବ୍ୟାଙ୍କ ନାଁରେ ସେଭ୍ କରୁଥିଲା, ଯେମିତିକି ଏଏକ୍ସ-ଆଇବିବିଏନ୍କେ। ଯେହେତୁ ଏନ୍ଇଏଫ୍ଟି ପେମେଣ୍ଟରେ କିଛି ସମୟ ଲାଗେ ତାକୁ ନଜରରେ ରଖି ସେ ଏନ୍ଇଏଫ୍ଟିରେ ପେମେଣ୍ଟ କରିବାକୁ ଦୋକାନୀଙ୍କୁ କହୁଥିଲା। ତାପରେ ବ୍ୟାଙ୍କା ଆକାଉଣ୍ଟରୁ ଟଙ୍କା କଟିବା ପରେ ଯେଉଁଭଳି ମେସେଜ୍ ଆସେ ସେଭଳି ଏକ ମେସେଜ ଟାଇପ କରି ବ୍ୟାଙ୍କ ପେମେଣ୍ଟ ନାଁରେ ସେଭ୍ କରିଥିବା ନମ୍ବରରୁ ମେସେଜ କରେ। ଆଉ ଆକାଉଣ୍ଟରୁ ଟଙ୍କା କଟିଗଲା ବୋଲି ଦର୍ଶାଇଥାଏ। ମିଛ ବ୍ୟାଙ୍କ୍ ଡିଡକ୍ଟ ମେସେଜ ଦେଖି ଦୋକାନୀ ବିଶ୍ବାସ କରି ସୁନା ଅଳଙ୍କାର ଦେଇଦିଏ। ତାପରେ ଟ୍ରେନ୍ରେ କିମ୍ବା ବିମାନ ଯୋଗେ ସେହି ସହରରୁ ଫେରାର୍ ହୋଇଯାଏ। ଫେରାର ବେଳେ ଅଭିଯୁକ୍ତ ଜଣକ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍ଗୁଡ଼ିକୁ ସେଠାରେ ଫୋପାଡି଼ ଦେଉଥିଲା। ଆଉ ଟ୍ରେନ୍ ହେଉ କି ବିମାନ ହେଉ କୌଣସି ଟିକେଟ୍ ଅନ୍ଲାଇନ୍ରେ ନକରି ଟଙ୍କା ଦେଇ କରୁଥିଲା।
ସମ୍ବଲପୁର ଏସ୍ପି କରିଥିବା ସାମ୍ବାଦିକ ସମ୍ମିଳନୀରେ ଦୋକାନୀମାନଙ୍କୁ ଏଭଳି ସ୍ଥିତି ପ୍ରତି ସତର୍କ ରହିବାକୁ କହିଛନ୍ତି। କାହାକୁ ଭୟ ନକରି ବ୍ୟବସାୟ ବେଳେ ପ୍ରକୃତ ପେମେଣ୍ଟ ଭଲ ଭାବେ ଯାଞ୍ଚ କରିବାକୁ କହିଛନ୍ତି।