ସ୍ୱାମୀଙ୍କୁ ମୁଣ୍ଡଜାମିନ ରଖି ପତ୍ନୀଙ୍କ ଅଳଙ୍କାର ଲୁଟ୍‌ ମାମଲା : ୫ ଅଭିଯୁକ୍ତଙ୍କ ସହ ୬ ଗିରଫ, ମାଷ୍ଟରମାଇଣ୍ଡ୍ ଫେରାର୍‌

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଅପହରଣ ପରେ ମୁଣ୍ଡଜାମିନ ରଖି ତାଙ୍କ ପତ୍ନୀଙ୍କ ଠାରୁ ସୁନା ଗହଣା ଲୁଟି ନେବା ଘଟଣାର ମାସେ ୧୦ ଦିନ ପରେ ପର୍ଦ୍ଦାଫାସ କରିଛି ଖଲ୍ଲିକୋଟ ପୁଲିସ। ସୁନା ଗହଣା କିଣିଥିବା ବଣିଆ ଏବଂ ୫ ଲୁଟେରାଙ୍କୁ ପୁଲିସ ଗରିଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ମାଲୁଦ ଗ୍ରାମର ଲଣ୍ଡା ଓରଫ ଭାସ୍କର ପ୍ରଧାନ, ପ୍ରଭାତ କୁମାର ପରିଡ଼ା, ବିଗି ଓରଫ ସାଗର ପ୍ରଧାନ, ମରାଡ଼ ଗ୍ରାମର ବିଜୟ କୁମାର ସାହୁ, ସାନଅଁଳା ଗ୍ରାମର ରଞ୍ଜନ ଓରଫ ଜ୍ଞାନ ରଞ୍ଜନ ଜେନା ଏବଂ କୃଷ୍ଣପ୍ରସାଦର ବଣିଆ ଭଗବାନ ଅଚାରୀ। ସେମାନଙ୍କ ଠାରୁ ଏକ ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ୍‌ ଓ ହଳେ ସୁନା କାନ ଫୁଲ ଜବତ କରିଛି। ଏଥିସହ ଏକ ବୋଲୋରୋ (ଓଡ଼ି-୦୭-ଏଈ-୨୪୫୫) ଏବଂ ନଗଦ ୩୩ ହଜାର ଟଙ୍କା ଜବତ ହୋଇଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ପାତ୍ର ଫେରାର ଥିବା ଖଲ୍ଲିକୋଟ ପୁଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଛତ୍ରପୁର ଏସ୍‌ଡ଼ିପିଓ ଗୌତମ କିଷାନ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ, ଭେଜିପୁଟ ଷ୍ଟେସନ୍‌ ସାହିର ପୂର୍ଣ୍ଣଚନ୍ଦ୍ରଙ୍କ ସହ ସେହି ସାହିର ସୂର୍ଯ୍ୟ ପାତ୍ର ଓରଫ ବାବୁ ନାମକ ଯୁବକଙ୍କ ଭଲ ସମ୍ପର୍କ‌ ଥିଲା। ଗତ ଦୁଇବର୍ଷ ତଳେ ପୂର୍ଣ୍ଣଙ୍କ ସାହିରେ ଘର ଭଡ଼ା ନେଇ ସୂର୍ଯ୍ୟ ରହୁଥିଲେ। ଗତ ଡିସେମ୍ବର ୧୬ତାରିଖ ସନ୍ଧ୍ୟାରେ ବାବୁ ଭେଜିପୁଟରେ ପହଞ୍ଚି ନିଜ ପତ୍ନୀ ପାଇଁ କିଛି ସୁନା ଗହଣା କିଣିବା ପାଇଁ ବାଲୁଗାଁ ଯିବା ଲାଗି ପୂର୍ଣ୍ଣ ସାଙ୍ଗରେ ଯିବାକୁ ଡାକିଥିଲେ। ପୂର୍ଣ୍ଣ ନିଜ କାର୍‌ ନମ୍ବର ଓଡ଼ି ୦୨ ଏପି ୩୪୨୧ ଯୋଗେ ବାବୁ ଏବଂ ତା’ର ଅନ୍ୟ ଦୁଇ ସାଙ୍ଗଙ୍କୁ ବସାଇ ବାଲୁଗାଁ ବାହାରିଥିଲେ। ରାସ୍ତାରେ ସୁବୁଦ୍ଧିପାଟଣା ଠାରେ ପରିସ୍ରା କରିବା ପାଇଁ ଗାଡ଼ି ଅଟକାଇବାକୁ ବାବୁ କହିଥିଲେ। ସେଠାରେ ଗାଡ଼ି ରଖି ବାହାରେ ଛିଡ଼ା ହୋଇଥିବା ବେଳେ ଗାଡ଼ି ଭିତରେ ଥିବା ଅନ୍ୟ ଦୁଇ ଜଣ ଯୁବକ ହଠାତ ପୂର୍ଣ୍ଣଙ୍କୁ ଗାଡ଼ି ଭିତରକୁ ଟାଣି ନେଇ ପଛ ସିଟ୍‌ରେ ମାଡ଼ି ବସି କାର୍‌ ଚାବି ଛଡ଼ାଇ ନେଇଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇଥିଲେ। ରାତି ୧୨ଟାରେ ଦୁଇ ଜଣ ଯୁବକ ବାଇକ୍‌ରେ ପୂର୍ଣ୍ଣଙ୍କ ଭେଜିପୁଟ ଘରେ ପହଞ୍ଚି ତାଙ୍କ ପତ୍ନୀଙ୍କ ସହ ମୋବାଇଲ୍‌ରେ କଥା କରାଇଥିଲେ। ମାରି ଦେବାର ଧମକ ଦେଇ ପୂର୍ଣ୍ଣଙ୍କ ପତ୍ନୀଙ୍କ ଠାରୁ ମଙ୍ଗଳସୂତ୍ର, ସୁନା ଚେନ୍‌ ଓ କାନଫୁଲ ଲୁଟି ନେଇଥିଲେ। ଏହାପରେ ମାଲୁଦ କଣ୍ଟାପଡ଼ା ରାସ୍ତାରେ କାର୍‌ ରଖି ପୂର୍ଣ୍ଣଙ୍କୁ ମାଡ଼ ମାରିବା ସହ ତାଙ୍କ ନିକଟରେ ଥିବା ନଗଦ ଟଙ୍କା ଓ ମୋବାଇଲ୍‌ ଲୁଟି ନେଇ ପଳାଇ ଯାଇଥିଲେ।

ରାତି ଦୁଇଟାରେ ନିକଟସ୍ଥ ଏକ ଗ୍ରାମରେ ପହଞ୍ଚି ପୂର୍ଣ୍ଣ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ମାଗି ଘରକୁ ଖବର ଦେବାରୁ ତାଙ୍କ ପୁଅ ସେଠାରେ ପହଞ୍ଚି ଉଦ୍ଧାର କରି ଆଣିଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଭେଜିପୁଟ ଫାଣ୍ଡି ଅଧିକାରୀ ଆହତ ପୂର୍ଣ୍ଣଙ୍କୁ ଖଲ୍ଲିକୋଟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଥିଲେ। ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ୍‌ (୫୨୬/୨୦୨୦ )ରେ ରୁଜୁ ହୋଇଥିଲ।

ସମ୍ବନ୍ଧିତ ଖବର