କଟକ: କଟକ ଖାନନଗର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରରୁ ବଡ଼ ଧରଣର ଲୁଟପାଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମନ୍ଦିର ଭିତରୁ ପ୍ରାୟ ୨୪ ଲକ୍ଷ ଟଙ୍କାର ସୁନା ଓ ଚାନ୍ଦିର ଅଳଙ୍କାର ଚୋରି କରିନେଇଛନ୍ତି। ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାଡ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର ରାତିରେ ମଧୁପାଟଣା ଥାନା ଅନ୍ତର୍ଗତ ଖାନନଗର ଅଞ୍ଚଳର ପଞ୍ଚମୁଖୀ ହନୁମାନ ମନ୍ଦିରର ନୀତିକାନ୍ତି ଶେଷ ପରେ ପହଡ଼ ପଡ଼ିଥିଲା। ମନ୍ଦିର ବେଢ଼ାର ସମସ୍ତ ଗେଟ୍‌ରେ ତାଲା ପକାଯାଇଥିଲା। ପରେ ଦୁଇ ପୂଜକ ମନ୍ଦିର ପରିସରରେ ଥିବା ରୁମ୍‌ରେ ବିଶ୍ରାମ ନେଇଥିଲେ। ଶନିବାର ଭୋର ସମୟରେ ଜଣେ ପୂଜକ ଗେଟ୍‌ ଖୋଲିବା ବେଳକୁ ହନୁମାନଙ୍କ ପ୍ରତିମାରୁ ସମସ୍ତ ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ସେହିପରି ପାଖରେ ଥିବା ଅନ୍ୟ ମନ୍ଦିରର ଦେବଦେବୀଙ୍କ ଅଳଙ୍କାର ବି ନଥିଲା। ଏନେଇ ସେ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରାଇଥିଲେ।  ଦୁର୍ବୃତ୍ତମାନେ ଯେଉଁଭଳି ଭାବେ ହନୁମାନଙ୍କ ପ୍ରତିମାର ମୁହଁ ତାଡ଼ି ଅଳଙ୍କାର ଲୁଟିଥିଲେ, ତାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମଧୁପାଟଣା ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ସ୍କ୍ୱାଡ୍‌ ସହଯୋଗରେ ତଦନ୍ତ ଆରମ୍ଭ କରିଥିଲା। ସନ୍ଧାନୀ କୁକୁର ନେତାଜୀନଗର ମୁଖ୍ୟରାସ୍ତାରେ ପ୍ରବେଶ କରି ମଙ୍ଗଳା ମନ୍ଦିର ଗଳିରେ ପଶି କାଠଯୋଡ଼ି ନଦୀବାଲିକୁ ଯାଇ ଫେରି ଆସିଥିଲା।

Advertisment

ହନୁମାନ ପ୍ରତିମାର ସୁନାମୁଖା ତାଡ଼ି ନେଲେ
ସିସି କ୍ୟାମେରା ଅଚଳ ଥିବା ଦୁର୍ବୃତ୍ତ ଜାଣିଥିଲେ!

ଡିସିପି ଜଗମୋହନ ମୀନା ମଧ୍ୟ ଘଟଣାସ୍ଥଳକୁ ଆସି ଯାଞ୍ଚ କରିଥିଲେ। ମନ୍ଦିରରେ ୨୦ରୁ ଅଧିକ ସିସି କ୍ୟାମେରା ଲାଗିଥିଲେ ବି ତାହା କାମ କରୁନଥିବା ଜଣାପଡ଼ିଛି। ମନ୍ଦିର କ୍ୟାମେରାରେ ରେକର୍ଡିଂ ପ୍ରାୟ ୩୧ ତାରିଖ ପର୍ଯ୍ୟନ୍ତ ହୋଇଛି। ବୈଷୟିକ ତ୍ରୁଟି ପାଇଁ ୧ ତାରିଖରୁ ରେକର୍ଡିଂ ହେଉନାହିଁ। ଦୁର୍ବୃତ୍ତମାନେ କ୍ୟାମେରାଗୁଡ଼ିକୁ ଛାତମୁହାଁ କରିଥିବା ଦେଖିବାକୁ ମିଳିଛି। ତେଣୁ ସିସିଟିଭି ଅଚଳ ଥିବା ଲୁଟେରାଙ୍କୁ ପୂର୍ବରୁ ଜଣାଥିବା ପୁଲିସ ସନ୍ଦେହ କରୁଛି। ମନ୍ଦିର ସାମନା ମୁଖ୍ୟ ନଦୀବନ୍ଧ ରାସ୍ତାର ବାମପଟ ସ୍ୱର୍ଗଧାମ ଶ୍ମଶାନ ଆଡ଼କୁ ଲାଗିଥିବା ସିସି କ୍ୟାମେରାରେ ବି ଲୁଟେରାଙ୍କର କୌଣସି ସୁରାକ୍‌ ମିଳିନାହିଁ। ତେଣୁ ଲୁଟେରାମାନେ ଘାଟକୂଳ-୪୨ମୌଜା ଦିଗରେ ଯାଇଥିବା ପୁଲିସ ସନ୍ଦେହ କରୁଛି। ଘଟଣାସ୍ଥଳରେ କେବଳ ଗୋଟିଏ ତାଲା ଓ ଲୁହାଗେଟ୍‌ରେ ଥିବା ଭଙ୍ଗା କଡ଼ି ଛଡ଼ା ଅନ୍ୟ କିଛି ସୁରାକ୍‌ ପୁଲିସକୁ ମିଳିନାହିଁ। ଦୁର୍ବୃତ୍ତମାନେ ହନୁମାନଙ୍କ ଶ୍ରୀଅଙ୍ଗରୁ ପ୍ରାୟ ୪ କେଜି ଓଜନର ଚାନ୍ଦି ଗଦା, ୫ କେଜିର ଚାନ୍ଦି ଗରା, ୧ କେଜିର ୨ଶହ ଗ୍ରାମର ଦୁଇଟା ଚାନ୍ଦି ହାର, ୧୨୦ ଗ୍ରାମ ଓଜନର ସୁନାର ମୁଖା, ପ୍ରାୟ ୨ କେଜିର ୪ଟି ରୁପା ମୁକୁଟ, ସାରଳାଙ୍କ ୫ଶହ ଗ୍ରାମର ଚାନ୍ଦି ମକୁଟ, ୨୫୦ ଗ୍ରାମର ଗଣେଶଙ୍କ ଚାନ୍ଦି ମକୁଟ, ଦେଢ଼ କେଜିର ପିତଳ ଗଦା, ରାମ ମନ୍ଦିରର ସୀତାଙ୍କ ମୂର୍ତ୍ତିର ୪ଶହ ଗ୍ରାମର ଚାନ୍ଦି ମୁକୁଟ, ୧୬ ଶହ ଗ୍ରାମର ଚାନ୍ଦି ଚେନ୍‌ ଓ ଅଢ଼େଇ କେଜିର ଚାନ୍ଦି କଠଉ ଚୋରି କରି ନେଇଥିବା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପ୍ରାୟ ୨୪ ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଏତଲାରେ ଦର୍ଶାଯାଇଛି । ମଧୁପାଟଣା ଥାନା ପୁଲିସ ଓ ସ୍ପେସାଲ ସ୍କ୍ୱାଡ୍‌ ୩ଟି ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ଗତବର୍ଷ ନୂଆପଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ସିରିଜ୍‌ ଚୋରି ହୋଇଥିଲା। ତାହାକୁ ଆଧାର କରି ପୁଲିସ ତଦନ୍ତ ଆଗକୁ ବଢ଼ାଉଛି। ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚି ଚୋରି ଘଟଣା ସଂପର୍କରେ ଡିସିପିଙ୍କ ସହ ଆଲୋଚନା କରିଛନ୍ତି।