ଜୟପୁରରେ ତିନି ଦଳର ଶକ୍ତି ପ୍ରଦର୍ଶନ

ଶେଷ ଦିବସରେ ୨୦ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ, ଜୟପୁର ନିର୍ବାଚନମଣ୍ଡଳୀରେ ୧୨ ଓ କୋଟପାଡରେ ୯ ପ୍ରାର୍ଥୀ

ଜୟପୁର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସରେ ଜୟପୁର ସହର ଦୁଲୁକିଛି। ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକଙ୍କ ଜିନ୍ଦାବାଦ ଧ୍ବନୀରେ ସହର ପ୍ରକମ୍ପିତ ହୋଇପଡିବା ସହ ସହର ଲୋକାରଣ୍ୟ ହୋଇପଡିଥିଲା। ପୁଲିସ ଉପସ୍ଥିତିରେ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକ ଓ କର୍ମୀଙ୍କୁ ନେଇ ସହରରେ ଶୋଭାଯାତ୍ରା କରି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜି ଗୋଟିଏ ଦିନରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଜୟପୁର ଓ କୋଟପାଡ ବିଧାନସଭା ଆସନ ପାଇଁ ମୋଟ ୨୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜୟପୁର ଆସନରୁ ଆଜି ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ କୋଟପାଡ ନିର୍ବାଚନ ମଣ୍ଡଳୀ ପାଇଁ ୯ ଜଣ ଦାଖଲ କରିଛନ୍ତି।

ଶେଷ ଦିନ ସୁଦ୍ଧା ଜୟପୁର ଆସନରୁ ମୋଟ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ କୋଟପାଡ ଆସନରୁ ୯ ଜଣ ଦାଖଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି ଭଗବତୀ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଥମେ ମୁଖ୍ୟରାସ୍ତାରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କୁ ନେଇ ଶୋଭାଯାତ୍ରାରେ ବାହାରିଥିଲେ। ସେଭଳି ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ଭଗବତୀ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ସମର୍ଥକ ଓ କର୍ମୀଙ୍କୁ ନେଇ ସହର ପରିକ୍ରମା କରିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ ପଂଚାନନ ମନ୍ଦିର, ଭଗବତୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ହଜାର ହଜାର ସମର୍ଥକ ଓ କର୍ମୀଙ୍କୁ ନେଇ ସହରରେ ଶୋଭାଯାତ୍ରା କରି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ଆଜି ସକାଳୁ ହିଁ ସହରରେ ଲୋକଙ୍କ ଭିଡ଼ ଲାଗି ରହିଥିଲା।

ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ବାଦ ଦେଲେ ବିଏସପିରୁ ରାଜ୍ୟ ବିଏସପି ସଭାପତି ତଥା ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଆଜି ତାଙ୍କ ସମର୍ଥକଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜୟପୁର ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ସୁରେଶ ନାୟକ, ସୁବାସ ଚନ୍ଦ୍ର ଗୌଡ, ଏପିଆଇରୁ ପ୍ରଦୀପ୍ତ ମୋହନ ଟାକିରୀ, ସମାଜବାଦୀ ପାର୍ଟିରୁ ମୀନକେତନ ଦାଶ, ଅଖିଳ ଭାରତୀୟ ହିନ୍ଦୁ ମହାସଭାରୁ ମହେନ୍ଦ୍ର କୁମାର ପାତ୍ର, ବିଏସପିରୁ ଆଉ ଜଣେ ପ୍ରାର୍ଥୀ ସଦା ନାୟକ ନାମାଙ୍କନ ଦାଖଲ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କ ପତ୍ନୀ ଡ.ଇନ୍ଦିରା ନନ୍ଦ ବି ସ୍ବାଧୀନପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଆଜି ୧୧ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ପୂର୍ବରୁ ସ୍ବାଧୀନ ପ୍ରାର୍ଥୀ ଭାବେ ବି .ହରି ରାଓ ନାମାଙ୍କନ ଦାଖଲ କରିଛନ୍ତି। ସର୍ବମୋଟ ଏହି ଆସନରୁ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଂଚ ଓ ୨୮ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୪ପ୍ଲାଟୁନ୍ ବିଏସଏଫ୍ ଓ ୩ ପ୍ଲାଟୁନ୍ ପୁଲିସ ନିଯୋଜିତ କରାଯାଇଥିଲା।

ସମ୍ବନ୍ଧିତ ଖବର