ଜୟପୁର କୋଭିଡ୍ କେୟାର ସେଣ୍ଟର ବନ୍ଦ

ଜିଲ୍ଲାର ୧୨୦୭୬ଜଣ ସ୍ୱାସ୍ଥ୍ୟ ଓ ସମନ୍ବିତ ମହିଳା ଓ ଶିଶୁ ବିଭାଗର କର୍ମଚାରୀଙ୍କୁ ଦିଆଯିବ ଟୀକା
ଜିଲ୍ଲାକୁ ଡିସେମ୍ବର ୧୫ସୁଦ୍ଧା ୨ୟ ପର୍ଯ୍ୟାୟ ସଂକ୍ରମଣ ଫେରିବ – ସିଡିଏମଓ

ଜୟପୁର : ଧିରେ ଧିରେ ଜିଲ୍ଲାରେ ସଂକ୍ରମଣ କମି କମି ଯାଉଛି। ତେବେ ସଂକ୍ରମଣ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ଡିସେମ୍ବର ୧୫ସୁଦ୍ଧା ପୁଣି ଫେରିବା ସମ୍ଭାବନା ରହିଛି ବୋଲି କହିଛନ୍ତି ସିଡିଏମଓ ଡ.ମକରନ୍ଦ ବେଉରା। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ପ୍ରଥମେ କୋରାପୁଟରେ ଖୋଲାଯାଇଥିବା ଅନ୍ବେଷା ଛାତ୍ରାବାସ ଓ ମହିଳା ମହାବିଦ୍ୟାଳୟ ପରିସର କୋଭିଡ୍ କେୟାର ସେଣ୍ଟରକୁ ବନ୍ଦ କରାଯାଇଥିଲା। ସେଇଭଳି ଆଜି ଠାରୁ ଜୟପୁର କୋଭିଡ୍ କେୟାର ସେଣ୍ଟର ବି ସାମୟିକ ଭାବେ ବନ୍ଦ କରାଯାଇଥିବା କହିଛନ୍ତି ସିଡିଏମଓ ଡ.ବେଉରା।

କୋଭିଡ୍ କେୟାର ସେଣ୍ଟାରରେ ୨ଜଣ ସଂକ୍ରମିତ ଥିବା ବେଳେ ଉଭୟଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି କୋଭିଡ୍ କେୟାର ସେଣ୍ଟାରର ନୋଡାଲ ଅଧିକାରୀ ଡ.ଦୁର୍ଗା ପ୍ରସାଦ ପାତ୍ର। ତେବେ ଏହି କୋଠାକୁ ହସ୍ତାନ୍ତର କରାଯାଇ ନଥିବା ବେଳେ ଅତ୍ୟନ୍ତ ଜରୁରୀ କିମ୍ବା ଆବଶ୍ୟକ ବେଳେ ଅଧିକା ସଂକ୍ରମିତ ଆସିଲେ ପୁଣିଥରେ ଏହାକୁ ବ୍ୟବହାର କରି ଏଠାରେ ସଂକ୍ରମିତଙ୍କୁ ରଖି ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସିଡିଏମଓ ଡ.ବେଉରା ଓ ନୋଡାଲ୍ ଅଧିକାରୀ ଡ.ପାତ୍ର। ଏଠାରେ ଥିବା ୨ଜଣ ସଂକ୍ରମିତଙ୍କ ମଧ୍ୟରୁ ଗତକାଲି ଜଣେ ଓ ଆଜି ଜଣେ ଆସିଥିବା ବେଳେ ୨ଜଣଙ୍କର ଲକ୍ଷଣ ଥିବାରୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ବୋଲି କହିଛନ୍ତି କୋଭିଡ୍ ହସ୍ପିଟାଲର ନୋଡାଲ ଅଧିକାରୀ ଡ.ଆଶିଷ ପାଣିଗ୍ରାହୀ। ସେଭଳି କୋଭିଡ୍ କେୟାରରେ କାମ କରୁଥିବା ୪ଜଣ ଆୟୁଷ ଡାକ୍ତରଙ୍କୁ ବି କୋଭିଡ୍ ହସ୍ପିଟାଲରେ କାମ କରିବାକୁ ପଠାଯାଇଛି। ଆଜି କୋଭିଡ୍ ହସ୍ପିଟାଲରେ ୨୮ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ସେଇଭଳି ନିୟମିତ ଭାବେ ଗତ ୧୦ଦିନ ହେବ ସବୁ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସଂକ୍ରମିତମାନେ ଆସୁଥିବା ସୂଚନା ମିଳିଛି।

ସଂପ୍ରତି ସଂକ୍ରମଣର ଗ୍ରାପ ତଳ ମୁହାଁ ଥିଲେ ହେଁ ଡିସେମ୍ବର ୧୫ପରେ ପୁଣି ଫେରିବା ସମ୍ଭାବନା ରହିଛି। ସେଇଭଳି କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଥିବା ସ୍ବାସ୍ଥ୍ୟ ବିଭାଗ ଓ ସମନ୍ବିତ ଶିଶୁ ଓ ମହିଳା ବିଭାଗର ୧୨୦୭୬ଜଣ କର୍ମଚାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ କୋଭିଡ୍ ଟୀକା ଦିଆଯିବାର ଯୋଜନା ରହିଛି ବୋଲି ସିଡିଏଓ ଡ. ବେଉରା କହିଛନ୍ତି।

ସମ୍ବନ୍ଧିତ ଖବର