୨୦ବର୍ଷ ପରେ ବି ଜୟପୁରର ବିକାଶ ହୋଇ ପାରିନି: ଅପରାଜିତା 

ଜୟପୁର: ୨୦ବର୍ଷ ପରେ ବି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣ କେନ୍ଦ୍ର ଜୟପୁର ସହରର ଯେଭଳି ସାମଗ୍ରୀକ ବିକାଶ ହେବା କଥା ହୋଇ ପାରିନି ବୋଲି କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି। ସାଂସଦ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟରେ ଅପରାଧ, ଦୁର୍ନୀତି ଚରମ ସୀମାରେ ଓ ମହିଳା ମାନେ ସୁରକ୍ଷିତ ନଥିବାକୁ ନେଇ ବର୍ଷିଥିଲେ। ସହରର ସାମଗ୍ରୀକ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ଭେଣ୍ଡିଂ ଜୋନ, ଅଟୋନଗର ଆଦି ନୂଆ ରୁପରେଖ କରିବା କଥା। ସେ ଜିଲ୍ଲାପାଳ ଥିବା ସମୟରେ ସେ ଦେଖିଥିବା ଜୟପୁର ସହରର ରୁପରେଖ ଓ ଅବସ୍ଥା ଆଜି ବି ସେଭଳି ରହିଛି ବୋଲି କହିଥିଲେ।

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଦୋଷ ଦେଇଥିଲେ। ଜୟପୁରରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ କୋରାପୁଟରେ ବଡ଼ ଡାକ୍ତରଖାନା ଖୋଲାଯାଇଛି। କେନ୍ଦ୍ରସରକାରଙ୍କ ସହଯୋଗ ଓ ଅନୁଦାନରେ ଭିତ୍ତିଭୁମିର, ଯନ୍ତ୍ରାଂଶ, ଔଷଧ ଆଦି ଦିଆଯାଇଛି ତେବେ ରାଜ୍ୟ ସରକାର ସେ ଅନୁପାତରେ ବିଶେଷଜ୍ଞ ଡାକ୍ତର,  କର୍ମଚାରୀ ଆଦି କାହିଁକି ନିଯୁକ୍ତି ଦେଉନାହାନ୍ତି ବୋଲି ସାଂସଦ ପ୍ରଶ୍ନ କରିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ କଲେଜ ବିକ୍ରମ ଦେବ ମହାବିଦ୍ୟାଳୟକୁ ସ୍ବୟଂଶାସିତ ନୁହେଁ ବିଶ୍ବବିଦ୍ୟାଳୟ ଘୋଷଣା କରାଯିବା ଆବଶ୍ୟକ ବୋଲି ସାଂସଦ କହିଥିଲେ।

‘ଦୁରୁଆ’ଙ୍କୁ ଆଦିବାସୀ ଭାବେ ମାନ୍ୟତା ପ୍ରଦାନ କରିବାରେ ରାଜ୍ୟ ସରକାର ଅବହେଳା କରୁଥିବାକୁ ନେଇ ଦୁରୁଆ ସମାଜର ଉପଦେଷ୍ଟା ଜଗତ ରଂଜନ ପାଣିଗ୍ରାହୀ, ସଂପାଦିକ କାବେରୀ ଦୁରୁଆ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେ କେନ୍ଦ୍ର ସରକାରଙ୍କୁ ଏହାକୁ ନେଇ ଅବଗତ କରି କିଭଳି ସମାଧାନ ହେବ ସେ ବାଟ ବାହାର କରିବେ ବୋଲି କହିଥିଲେ।

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ତୁରନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା, ଉଡ଼ାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପରୁ ତୁରନ୍ତ ବିମାନ ଚଳାଇବା, ଜୟପୁରରେ ରାଜ୍ୟସରକାରଙ୍କ ଦ୍ବାରା ପରିଚାଳିତ ବିଶ୍ବବିଦ୍ୟାଳୟ ସ୍ଥାପନ ଓ ଜୟପୁରରୁ –ପୁରୀ ଟ୍ରେନ ଚଳାଚଳ କରିବାକୁ ଦାବି କରିଥିଲେ। ଏହି ଟ୍ରେନଟି ଜୟପୁରରୁ ବାହାରି ଭାୟା ରାୟଗଡ଼ା-ସମ୍ବଲପୁର-ଅନଗୁଳ-ଭୁବନେଶ୍ବର ଦେଇ ପୁରୀ ଚଳାଚଳ କରୁ ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି।

ସାମ୍ବାଦିକ ସମ୍ମିଳନୀ ପରେ ଆୟୋଜିତ ବୁଦ୍ଧିଜୀବୀ ମଂଚ କାର୍ଯ୍ୟକ୍ରମରେ ସାଂସଦ ଷଡଙ୍ଗୀ ଯୋଗ ଦେଇଥିଲେ। ଏହାକୁ ପିଆରଏର ଅବିଭକ୍ତ କୋରାପୁଟ ଜିଲ୍ଲା ଅଧ୍ୟକ୍ଷ ଦେବେନ୍ଦ୍ର ବାହିନୀପତି ସଭାପତିତ୍ବ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଜେପି ସଭାପତି ବିଜୟ ମିଶ୍ର, ଶିକ୍ଷାବିତ୍ କୁମଦମାଳା ମହାନ୍ତି, ଆଇନଜୀବୀ ଦୀନବନ୍ଧୁ ଅଗ୍ରୱାଲ, ପ୍ରକାଶ ନାୟକଙ୍କ ସହ ସହରର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଆଦି ଭାଗ ନେଇଥିଲେ। ସହରରେ ଅଙ୍ଗେ ନିଭାଉଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ତେବେ ସାଂସଦଙ୍କ ଏହି କାର୍ଯ୍ୟକ୍ରମରେ ବିଜେପିର ବିଭିନ୍ନ ପଦ ପଦବୀରେ ରହିଥିବା ଗୋଟିଏ ବି ଆଗଧାଡ଼ିର ନେତାଙ୍କୁ ଦେଖିବାକୁ ମିଳିନଥିଲା। ୟୁଥ୍ ଫୋର ଏକ୍ସନ ଓ ପିଆରଏର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର