ଜୟପୁର ରେଳ ଷ୍ଟେସନରେ ହେବ ୪ଟି ରେଳ ଲାଇନ
ନବରଙ୍ଗପୁର ଜୟପୁର-ମାଲକାନଗିରି ପାଇଁ ବାଟ ଖୋଲିଲା
ଜୟପୁର: ଆଉ ଦିନ କେଇଟା ପରେ ରାୟଗଡା ପରି ଜୟପୁର ରେଳ ଷ୍ଟେସନ ହେବ ଜୟପୁର ଜଙ୍କସନ। ଏହିଠାରୁ ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ଲାଇନ ଆରମ୍ଭ ହେବ। ଏବେ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିବାବେଳେ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ଜମି ଚିହ୍ଟନ ପକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜୟପୁର ରେଳ ଷ୍ଟେସନର ଦ୍ବିତୀୟ ପର୍ଯ୍ୟାୟ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ଦୋହରୀକରଣ ପରେ ଗୋଟିଏ ରେଳଲାଇନ ଥିବା କାଟାଭାଲାସାରୁ ଜୟପୁର ଲାଇନ ଦୁଇ ଲାଇନ ବିଶିଷ୍ଟ ହୋଇଥିବା ଆଗକୁ ଏହା ବଢିବ। ଏବେ ଜୟପୁର ଷ୍ଟେସନ ନିକଟରେ ଗୋଟିଏ ପୁରୁଣା ଲାଇନ ଓ ଗୋଟିଏ ଦୋହରୀକରଣ ଲାଇନ ରହିଛି।
ଦ୍ବିତୀୟ ପର୍ଯ୍ୟାୟ ଉନ୍ନତିମୂଳକ କାର୍ଯ୍ୟରେ ଜୟପୁର ଜଙ୍କସନରୁ ନବରଙ୍ଗପୁର ଓ ମାଲକାନଗିରି ପାଇଁ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏହି ଷ୍ଟେସନ ୪ଟି ରେଳ ଲାଇନ ରହିବାକୁ ଯୋଜନା ରହିଛି। ସେହି ଅନୁସାରେ ରେଳ ଷ୍ଟେସନର ପରିଭାଷା ମଧ୍ୟ ବଦଳିବ। ପୂର୍ବରୁ ରହିଥିବା ଭିତ୍ତିଭୂମିକୁ ଭଙ୍ଗାଯାଇ ନୂଆ ପ୍ରସ୍ତାବ ଅନୁସାରେ କାର୍ଯ୍ୟ ଆରମ୍ଭ ହୋଇ ସାରିଲାଣି। ଏନେଇ ଇଷ୍ଟକୋଷ୍ଟ ରେଳବାଇ ଓ ୱାଲଟାର ଡିଭିଜନ ପକ୍ଷରୁ ଅର୍ଥ ବରାଦ କରିସାରିଥିବାବେଳେ ଆସନ୍ତା ଦୁଇବର୍ଷ ମଦ୍ୟରେ ନୂଆ ରୂପ ପାଇବ ଜୟପୁର ରେଳ ଷ୍ଟେସନ। ତେବେ ଏହି ୪ଟି ରେଳ ଲାଇନ ଉପରେ ତିନିଟି ଫୁଟ ଓଭରବ୍ରିଜ ହେବାକୁ ମଧ୍ୟ ଯୋଜନା ରହିଛି।
ଅନ୍ୟପକ୍ଷରେ ବହୁ ପ୍ରତିକ୍ଷିତ ୩୮ କିଲୋମିଟର ବିଶିଷ୍ଟ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଡିପିଆର ପ୍ରସ୍ତୁତ କରି ୭୪୮କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଆସନ୍ତା ୩ ବର୍ଷ ମଧୢରେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଏବେ ଏହି ଲଇନରେ ଅଧାରୁ ଅଧିକ ଜମି ଚିହ୍ନଟ ହୋଇ ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିବାବେଳେ ଭୁବନେଶ୍ବରସ୍ଥିତ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍ (ଏନସିଡିଏସ) ପକ୍ଷରୁ ଏହାକୁ କରାଯାଉଛି।
ସେହିପରି ଦକ୍ଷିଣ ଓଡ଼ିଶାର ଏହି ମାଲକାନଗିରିରେ ଆଦିବାସୀ ଓ ଅପହଞ୍ଚ ଅଞ୍ଚଳ ଭାବେ ପରିଚିତ। ଏହି ଜିଲ୍ଲାକୁ ରେଳପଥ ନିର୍ମାଣ କରାଯିବାକୁ ଦୀର୍ଘଦିନ ହେବ ଦାବି ଉଠୁଥିଲା। ଏହାକୁ ହୃଦୟଙ୍ଗମ କରି ୨୦୧୬ ଅକ୍ଟୋବର ୧୦ ତାରିଖରେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧୢରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଜୟପୁର-ନବରଙ୍ଗପୁର ୩୮ କିଲୋମିଟରର ରେଳପଥ(୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ) ଓ ଜୟପୁର-ମାଲକାନଗିରି ୧୩୦ କିଲୋମିଟର ରେଳପଥ(୨୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିବେ) ପାଇଁ ୨୦୧୬-୧୭ ବଜେଟରେ ଘୋଷଣା କରିଥିଲେ କେନ୍ଦ୍ର ସରକାର।
ମିଳିଥିବା ସୂଚନା ମୁତାବକ ଜୟପୁର-ମାଲକାନଗିରି ରୁଟରେ ନକ୍ସଲ ପ୍ରଭାବିତ ବୈପାରିଗୁଡା, ଟାଙ୍ଗିଣୀଗୁଡା, ମାଥିଲି ଓ ପାଣ୍ତ୍ରିପାଣି ପରି ଅଞ୍ଚଳ ରହିଛି। ଏହି ୧୩୦ କିମି ବିଶିଷ୍ଟ ରେଳପଥରେ କୋରାପୁଟ ଜିଲ୍ଲାରେ ୪୫ କିମି ରହିଥିବାବେଳେ ମାଲକାନଗିରି ଜିଲ୍ଲାରେ ୮୫ କିମି ରହିଛି। ଏଥିରେ ମୋଟ ୧୨ଟି ଷ୍ଟେସନ ରହିଥିବାବେଳେ ଟାଙ୍ଗିଣୀଗୁଡା, ଗୋବିନ୍ଦପାଲ୍ଲି ଓ ମାଥିଲିରେ ପାସେଞ୍ଜର ରହିବାକୁ ବ୍ୟବସ୍ଥା ରହିଥିବାବେଳେ ଅନ୍ୟଗୁଡିକରେ ପରବର୍ତ୍ତୀ ପ୍ରର୍ଯ୍ୟାୟରେ ହେବାକୁ ଯୋଜନା କରାଯାଇଛି। ଏହି ରେଳ ଲାଇନରେ ୯୮ଟି ପୋଲନିର୍ମାଣ ହେବାକୁ ରହିଥିବାବେଳେ ୨୨ଟି ମେଜର, ୬୧ଟି ମାଇନର ଓ ୧୫ଟି ସମାନ୍ୟ ବ୍ରିଜ ରହିଛି। ଏହି ରୁଟରେ ୪ଟି ବଡ ବଡ ଟନେଲ ରହିଛି। ଯାହାକି ପାଖାପାଖି ୨୬୦୦ ମିଟର ଲମ୍ବା ହେବ ବୋଲି ଜଣାପଡିଛି। କେନ୍ଦ୍ର ସରକାର ପରବର୍ତ୍ତୀ ସମୟରେ ବଜେଟରେ ଟଙ୍କା ବ୍ୟୟବରାଦ କରିଥିବାବେଳେ ଏବେଯାଏ ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।