୪ ଦିନ ଲାଗି ଜୟପୁର ସଟଡାଉନ, ସମ୍ବଲପୁରର ୪ଟି ସ୍ଥାନରେ ୧୪୪ ଧାରା ଜାରି

ନୟାଗଡ଼ର ୩ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଜୟପୁର/ସମ୍ବଲପୁର/ନୟାଗଡ଼ା: କୋରାପୁଟ ଜିଲ୍ଲାର ଜୟପୁର ସହରକୁ ୪ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏକ ବିଜ୍ଞପ୍ତି ଜରିଆରେ କହିଛନ୍ତି, ଜୟପୁର ପୌରପାଳିକା ଅଚଂଳ ଆଜି ସକାଳ ୬ଟାରୁ ଆଗାମୀ ୨୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ସଟଡାଉନ ରଖାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଭିଡ-୧୯ ମହାହାରୀକୁ ଦୃଷ୍ଟିରେ ରଖି ଏହି ଅଂଚଳରେ ମେଡିକାଲ, ପୁଲିସ, ଅଗ୍ନିଶମ, ଟେଲିକମ, ପୋଷ୍ଟାଲ ସର୍ଭିସ, ପାନୀୟ ଜଳ ଯୋଗାଣ, ଏଟିଏମ ସେବା, ଜାତୀୟ ରାଜପଥରେ ଗାଡ଼ି ଚଳାଚଳ, କୃଷିକାମ ଜାରି ରହିବ । ସେହିପରି ଗ୍ୟାସ ବିତରଣ, ପେଟ୍ରୋଲ ପମ୍ପ ଖୋଲିବାକୁ କଟକଣା ନାହିଁ ।

କରୋନା ନିୟନ୍ତ୍ରଣ ପାଇଁ ସମ୍ବଲପୁର ସହରର ୪ଟି ସ୍ଥାନରେ ୧୪୪ ଧାରା ଜାରି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସାକ୍ଷୀପଡ଼ାର ମୁଣ୍ଡାପଡ଼ା, ବଡ଼ବଜାରର କେଉଟପଡ଼ା ଓ କୁଷ୍ଠାପଡ଼ରେ ୧୪୪ ଧାରା ଜାରି ହୋଇଛି । ସେହିଭଳି ହୀରାକୁଦ ଅଂଚଳର ଖ୍ରୀଷ୍ଟିଆନପଡ଼ାରେ ମଧ୍ୟ ୧୪୪ ଧାରା ଜାରି ହୋଇଛି ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ଜଗନ୍ନାଥ ପ୍ରସାଦ ପଂଚାୟତର ଜଗନ୍ନାଥପ୍ରସାଦ, କାଦୁଅପଡ଼ା ପାଟଣା ଓ କାଦୁଆପଡ଼ା ଗାଁକୁ ଆଜି ଦିନ ୧୨ଟାରୁ ଅନିଦ୍ଦିଷ୍ଟ କାଳପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଜିଲ୍ଲାପାଳ ଡ. ପୋମା ଟୁଡୁ ଏହି ଘୋଷଣା କରିଛନ୍ତି । ଏହି ପଂଚାୟତରୁ ଗତକାଲି ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସ୍ଥାନୀୟ ସଂକ୍ରମଣକୁ ପ୍ରତିହତ କରିବାକୁ ଯାଇ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । କଣ୍ଟେନମେଣ୍ଟ କଟକଣା ଲାଗୁ ପର୍ଯ୍ୟନ୍ତ ଏହି ଅଂଚଳକୁ କୌଣସି ବାହାର ଅଂଚଳର ଲୋକ ପ୍ରବେଶ କରିବାରିବେ ନାହିଁ କିମ୍ବା ସଂପୃକ୍ତ ଅଂଚଳର ଲୋକେ ବାହାରକୁ ଯାଇପାରିବେ ନାହିଁ । ପ୍ରଶାସନ ତରଫରୁ ଅତ୍ୟାବଶ୍ୟକ ସେବା ଯୋଗାଇଦିଆଯିବ ।

ସମ୍ବନ୍ଧିତ ଖବର