ବୈଷ୍ଣବ ରେଳମନ୍ତ୍ରୀ ହେବାପରେ ରାଜ୍ୟର ଆଶା ବଢ଼ିଲା: ମଞ୍ଜୁରି ପାଇ ବି ଅଟକିଛି ଜୟପୁର-ନବରଙ୍ଗପୁର ରେଳପଥ

୫ ବର୍ଷ ହେଲା ଜମି ଅଧିଗ୍ରହଣ କାମ ଆଗେଇନି

ନବରଙ୍ଗପୁର : ୨୦୧୬-୧୭ ମସିହାରେ ଜୟପୁର-ନବରଙ୍ଗପୁର ରେଳପଥ ପ୍ରକଳ୍ପ ପାଇଁ ମଞ୍ଜୁରି ହୋଇଥିଲା। ରେଳପଥର ବିକାଶ ପାଇଁ ନବରଙ୍ଗପୁର ଓ କୋରାପୁଟ ଠାରେ ସମୀକ୍ଷା ପରେ ସମୀକ୍ଷା ବୈଠକ ହେଉଛି। କିନ୍ତୁ ଇଞ୍ଚେ ବି ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ରେଳପଥ ପ୍ରକଳ୍ପ ଆଗେଇପାରୁ ନାହିଁ। ଏବେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ନବରଙ୍ଗପୁରକୁ ରେଳ ଗଡ଼ିବା ନେଇ ନୂଆ ଆଶା ସୃଷ୍ଟି ହୋଇଛି।

ସୂଚନାଥାଉକି, ୨୦୧୬-୧୭ ଆର୍ଥିକ ବର୍ଷରେ ୪୧.୩୫ କିମି ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ୭୪୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଥିଲା। ୨୦୧୭ ମସିହାରେ ରେଲୱେ ବୋର୍ଡ ଏହି ପ୍ରକଳ୍ପର ଡିପିଆରକୁ ଅନୁମୋଦନ କରିଥିଲା। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ। ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୫୦ ପ୍ରତିଶତ ଲେଖାଏଁ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ସେହି ଅନୁସାରେ ପୋଡ଼ାଲଗୁଡ଼ା ନିକଟରେ ରେଳ ‌ଷ୍ଟେସନ ପାଇଁ ଜମି ଚିହ୍ନଟ ସରିଛି। ଆଜି ଯାଏ ଜମି ଅଧିଗ୍ରହଣ ପାଇଁ ରେଲୱେ ପକ୍ଷରୁ ପ୍ରକ୍ରିୟା ବି ଆରମ୍ଭ ହୋଇନାହିଁ। ଜମି ଅଧିଗ୍ରହଣ ପାଇଁ ଆବଶ୍ୟକ ଅର୍ଥ ଆସିନଥିବାରୁ କାର୍ଯ୍ୟ ଆଗେଇ ପାରୁନଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ ନିର୍ମାଣ ପାଇଁ କୋରାପୁଟ ଜିଲ୍ଲା ଦେଇ ୩୦ କିମି ଏବଂ ନବରଙ୍ଗପୁର ଜିଲ୍ଲାରେ ୧୧ କିମି ରେଳପଥ ନିର୍ମାଣ ହେବ। ସେଥିମଧ୍ୟରୁ କୋରାପୁଟ ଜିଲ୍ଲାର ଜୟନ୍ତୀଗିରି, ବୋରିଗୁମ୍ମା, କାଳିଆଗୁଡ଼ା ଓ ନବରଙ୍ଗପୁରର ପୋଡ଼ାଲଗୁଡ଼ା ଠାରେ ରେଳ ଷ୍ଟ‌େସନ ବା ରହଣି ରହିବ। ସେହିପରି ୨୭ଟି ସ୍ଥାନରେ ଲେବେଲ କ୍ରସିଂ ରହିବ। ଇନ୍ଦ୍ରାବତୀ ଓ ପୂତ୍ରା ନଦୀରେ ୨ଟି ଉଚ୍ଚା ପୋଲ ନିର୍ମାଣ ହେବ। କୋରାପୁଟ ଜିଲ୍ଲାର ଜୟପୁର ଓ ବୋରିଗୁମ୍ମା ବ୍ଲକର ୨୦ଟି ଗାଁର ୭୪୮ ଏକର ଘରୋଇ ଜମି, ୮୧ ଏକର ସରକାରୀ ଜମି ଓ ୧୨ ଏକର ଜଙ୍ଗଲ ଜମି ଦେଇ ଗତି କରିବ। ସେହିପରି ନବରଙ୍ଗପୁର ଜିଲ୍ଲାର ୨ଟି ଗାଁର ୮୯ ହେକ୍ଟର ଘରୋଇ ଜମି, ୨୧ ହେକ୍ଟର ସରକାରୀ ଜମି ଆବଶ୍ୟକ ପଡ଼ିବ।

ଏ ନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟ ସରକାରଙ୍କୁ ଅର୍ଥ ଦେବାକୁ ପଡ଼ିବ ଭାବି ଅଧିଗ୍ରହଣ ପକ୍ରିୟା ତ୍ବରାନ୍ବିତ କରୁନାହାନ୍ତି। ରାଜ୍ୟ ସରକାର ସହଯୋଗ କଲେ ଏହି ପ୍ରକଳ୍ପ ଖୁବ୍ କମ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର