ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବଦଳିବ କି ଝଞ୍ଜାବତୀରେ ବ୍ୟାରେଜର ଭାଗ୍ୟ?

କୋରାପୁଟ: ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବଦଳିବ କି ଝଞ୍ଜାବତୀରେ ବ୍ୟାରେଜର ଭାଗ୍ୟ । ବଦଳିବ କି ଲକ୍ଷ୍ମୀପୁର, ନରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଭାଗ୍ୟ । ପାଣି ପାଇଁ ଏକତରଫା ନିଷ୍ପତ୍ତି ନେଇ ବାରମ୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିବା ଆନ୍ଧ୍ର ସରକାରଙ୍କୁ ଏହା ସହାୟ ହେବ ନା ଓଡ଼ିଶାକୁ ସହାୟ ହେବ ତାହା ଅସ୍ପଷ୍ଟ ରହିଛି । କାହିଁକିନା ଓଡ଼ିଶା ସରକାର ୨୧ ବର୍ଷ ପରେ ଚଳିତବର୍ଷ ଡିସେମ୍ବର ମାସ ଶେଷ ଆଡକୁ ଆରମ୍ଭ କରିବ ନିର୍ମାଣ କାର୍ଯ୍ୟ। କେବଳ ପ୍ରଶାସନିକ ଅନୁମତିକୁ ଅପେକ୍ଷା ରହିଥିବାବେଳେ ବ୍ୟୟବରାଦ ଏବଂ ଅନ୍ୟ କାର୍ଯ୍ୟ ସବୁ ଶେଷ ପର୍ଯ୍ୟାୟରେ ରହିଛି। ପୋଲାଭରମ ହେଉ କିମ୍ବା ବଂଶଧାରା ପ୍ରକଳ୍ପ ଉଭୟ ପ୍ରକଳ୍ପକୁ ଓଡ଼ିଶା ସରକାର ବିରୋଧ କରୁଥିଲେ ବି ଆଦୌ ଶୁଣୁ ନ ଥିଲା ପଡ଼ୋଶୀ ଆନ୍ଧ୍ର ସରକାର। ଉଭୟ ପ୍ରକଳ୍ପ ବର୍ତମାନ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ଓଡ଼ିଶା ସରକାର ଖେଳିଥିଲେ ମାଷ୍ଟରଷ୍ଟ୍ରୋକ। ଜଳସଂପଦ ବିଭାଗ ପକ୍ଷରୁ ଆନ୍ଧ୍ରକୁ ବିନା ବ୍ୟବହାରରେ ଚାଲିଯାଉଥିବା ଝଞ୍ଜାବତୀ ନଦୀ ପାଣିକୁ ଅଟକାଇ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି। ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ ଓ ଲକ୍ଷ୍ମୀପୁର ବ୍ଲକକୁ ଫୋକସରେ ରଖି ନିର୍ମାଣ ହେବାକୁ ଯାଉଛି ବିରାଟ ବ୍ୟାରେଜ୍।

ପ୍ରାୟ ୧୦୬ କୋଟି ଟଙ୍କା ବ୍ୟୟବରାଦରେ ଏହି ବ୍ୟାରେଜ ନିର୍ମାଣ ହେବାକୁ ଯାଉଛି। ଯାହାଫଳରେ ଝଞ୍ଜାବତୀ ନଦୀ ପାଣିକୁ ବ୍ୟବହାର ପାଇଁ ଆନ୍ଧ୍ର ସରକାର ନିଜ ଅଞ୍ଚଳରେ କରିଥିବା ମେଗା ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରୀକୁ ନେଇ ବର୍ତମାନ ସଂଶୟ ସୃଷ୍ଟି ହୋଇଛି। ଏବେ ଏହି ଅଞ୍ଚଳରେ ମାଟି ପରୀକ୍ଷା କରାଯାଉଛି। ବ୍ୟାରେଜ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇ ସଚିବାଳୟରେ ଫାଇଲ ରହିଥିବାବେଳେ ପ୍ରଶାସନିକ ଅନୁମତି ଓ କେଉଁ ଯୋଜନାରେ ଏହି ବ୍ୟାରେଜ ପାଇଁ ଅର୍ଥ ବ୍ୟୟବରାଦ ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନାରାୟଣପାଟଣା ବ୍ଲକର ଚିନ୍ତାଗୁଡା ଗାଁ ନିକଟରେ ୧୬୦ ମିଟର ଲମ୍ବା ବ୍ୟାରେଜ ଆରମ୍ଭ ହେବାକୁ ଯାଉଛି। ଏହି ବ୍ୟାରେଜରେ ୧୦ମିଟର ଲମ୍ବା ଓ ୬ମିଟର ଓସାର ବିଶିଷ୍ଟ ୧୨ଟି ଗେଟ୍ ଲାଗିବ। ମୋଟ ୨୫୪୬ ହେକ୍ଟର ଜମି ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଖରିଫ ଋତୁରେ ୧୯୦୯.୭୬ ହେକ୍ଟର ଜମି ଜଳସେଚିତ ହୋଇପାରିବ।

ପ୍ରସ୍ତାବିତ ଏହି ପ୍ରକଳ୍ପରେ ୨୭୧ ମିଟର ମାଟି ବନ୍ଧ ରହିବାକୁ ଥିବାବେଳେ ମୋଟ ଜଳଧାରଣ କ୍ଷମତା ୨୭୦ ମିଟର ରହିବ। ୩୯୩ ବର୍ଗ କିଲୋମିଟର ଦୂରରୁ ୪୨୪୦ କ୍ୟୁସେକ ଜଳ ଆସିବ। ନାରାୟଣପାଟଣା ବ୍ଲକର ୯ଟି ପଞ୍ଚାୟତର ୧୨୭ଟି ଗାଁ ଓ ଲକ୍ଷ୍ମୀପୁର ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବ। ଏହି ବ୍ୟାରେଜର ପରିକଳ୍ପନା ୨୦ ବର୍ଷ ତଳେ କରାଯାଇଥିଲା। ରାୟଗଡା ଜିଲ୍ଲା ପ୍ରଶାସନ ଏଠାରେ ବ୍ୟାରେଜ ନିର୍ମାଣ କରିବାକୁ ପ୍ରଥମେ ପ୍ରସ୍ତାବ ରଖିଥିବା ବେଳେ ୨୦୧୪ରେ କୋରାପୁଟ ଜିଲ୍ଲା ପ୍ରଶାସନ ଏହି ବ୍ୟାରେଜ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିଲା । ୨୦୧୭ ମସିହା ଜୁନ ମାସରେ ଜୟପୁର ଜଳ ସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା। ପରବର୍ତୀ ସମୟରେ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ କାଗଜପତ୍ର କାମକୁ ତ୍ୱରାନ୍ୱିତ କରାଯାଇଛି। ଅନ୍ୟପଟେ ଏହି ପ୍ରକଳ୍ପ ହେଲେ ଆନ୍ଧ୍ର ସରକାରଙ୍କ ଝଞ୍ଜାବତୀ ପ୍ରକଳ୍ପ ପ୍ରଭାବିତ ହେବାର ସମ୍ଭାବନା ରହିଥିବା କୁହାଯାଉଛି। ଏଥିପାଇଁ ମାଟି ପରୀକ୍ଷା କରାଯାଇଥିବାବେଳେ ଜୁଲାଇମାସ ଶେଷ ସୁଦ୍ଧା ସରକାରଙ୍କୁ ଏହି ମାଟି ପରୀକ୍ଷାର ରିପୋର୍ଟ ଦିଆଯିବ। ଏହାପରେ ସରକାରୀ ଏହା ଉପରେ ତନଖି କରି ପ୍ରଶାସନିକ ମଞ୍ଜୁରୀ ଦେବା ପାଇଁ ଯୋଜନା ଆରମ୍ଭ ହୋଇଥିବା ଜଣାପଡିଛି। ଏନେଇ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସେଠୀ କହିଛନ୍ତି ଯେ, ବ୍ୟାରେଜ ନିର୍ମାଣ ପାଇଁ ୨୦ବର୍ଷ ତଳେ ପରିକଳ୍ପନା କରାଯାଇଥିଲା।

ପ୍ରଥମେ ରାୟଗଡା ଜିଲ୍ଲା ପ୍ରଶାସନ ଏଠାରେ ବ୍ୟାରେଜ କରିବାକୁ ପ୍ରସ୍ତାବ ଦେଇଥିଲା। ଯାହାକୁ ୨୦୧୪ରେ କୋରାପୁଟ ଜିଲ୍ଲା ପ୍ରଶାସନ ହାତକୁ ନେଇ ପଦକ୍ଷେପ ଗ୍ରହଣ କରିଥିବାବେଳେ ୨୦୧୭ରେ ସର୍ଭେ କାମ ପରେ ଗତ ଦୁଇ ମାସ ହେବା ମାଟି ପରୀକ୍ଷା ଚାଲିଛି। ଜୁଲାଇ ଶେଷ ସପ୍ତାହ ଆଡକୁ ସରକାର ଓ ବିଭାଗୀୟ ମୁଖ୍ୟଙ୍କୁ ଏହିମାଟି ପରୀକ୍ଷାର ରିପୋର୍ଟ ଦିଆଯିବ। ଏହାପରେ ପ୍ରଶାସନିକ ଅନୁମତି ମିଳିବା ପରେ ଡିସେମ୍ବର ମାସ ଶେଷ ଆଡକୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେବେ ଏସିଆର ବଡ଼ ରବର ଡ୍ୟାମ ଭାବେ ପରିଚିତ ଏକ ସମାନ ପ୍ରକଳ୍ପ ଆନ୍ଧ୍ର ସରକାର ୨୦୦୬ ମସିହା ଜାନୁଆରି ମାସରେ ଶେଷ ମୁଣ୍ଡରେ ଲୋକାର୍ପଣ କରିଥିଲେ। ଉପର ମୁଣ୍ଡ ତଥା ଓଡ଼ିଶା ପଟ ଦେଇ ଆସୁଥିବା ପାଣିକୁ ଗଚ୍ଛିତ ରଖିବାକୁ ଆନ୍ଧ୍ର ସରକାର ବିଜୟନଗରମ ଜିଲ୍ଲା କୋମାରାଡା ମଣ୍ଡଳ ଅନ୍ତର୍ଗତ ରାଜ ଲକ୍ଷ୍ମୀପୁରମ ନିକଟରେ ଏହି ପ୍ରକଳ୍ପକୁ ନିର୍ମାଣ କରିଛନ୍ତି। ବିଜୟନଗର ଜିଲ୍ଲାର ପ୍ରାୟ ୯୯୭୦ ହେକ୍ଟର ଜମିକୁ ଜଳ ଯୋଗାଉଥିବା ଥିବା ଏହି ପ୍ରକଳ୍ପ ପ୍ରାୟ ୬୦୦କୋଟି ଟଙ୍କା ବ୍ୟୟ କରି ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର