ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ତା’ସତ୍ତ୍ବେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିନାହିଁ। ଗତ ତିନି ଦିନ ପରି ଆଜି ମଧ୍ୟ ରାଜ୍ୟର ସମସ୍ତ ସହରରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ବଳିଗଲାଣି ଝାଞ୍ଜି ମାଡ଼। ଶନିବାର ଦେଶର ଉତ୍ତପ୍ତ ସହର ପାଲଟିଥିବା ବାରିପଦାଠାରେ ଆଜି ୪୪.୬ ଡିଗ୍ରି ରେକର୍ଡ ହୋଇଛି, ଯାହାକି ଦେଶରେ ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା। ଝାଡ଼ଖଣ୍ଡର ବାହାରଗୋଡ଼ାରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରି ରେକର୍ଡ ହୋଇଛି। ଦେଶର ଶୀର୍ଷ ୧୦ ତତଲା ସହର ମଧ୍ୟରେ ଓଡ଼ିଶାର ନୂଆପଡ଼ା, ତାଳଚେର, ଝାରସୁଗୁଡ଼ା, କେନ୍ଦୁଝର ବି ରହିଛି। ରାଜ୍ୟର ୩୦ଟି ସହରର ପାରଦ ଆଜି ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଛି। ସେଥିମଧ୍ୟରୁ ୯ଟି ସହରର ତାପମାତ୍ରା ୪୩ ଡିଗ୍ରି କିମ୍ବା ତା’ଠାରୁ ଅଧିକ ଥିଲା। ନୂଆପଡ଼ାରେ ୪୪ ଡିଗ୍ରି ରହିଥିବା ବେଳେ ତାଳଚେରରେ ୪୩.୮, ଝାରସୁଗୁଡ଼ା ଓ କେନ୍ଦୁଝରରେ ୪୩.୬, ଅନୁଗୁଳରେ ୪୩.୩, ବଲାଙ୍ଗୀରରେ ୪୩.୨, ସୁନ୍ଦରଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରି ରହିଥିଲା। ବାରିପଦାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୬.୧ ଡିଗ୍ରି, କେନ୍ଦୁଝରରେ ୫.୪ ଡିଗ୍ରି, ବାଲେଶ୍ବରରେ ୩.୯ ଡିଗ୍ରି, କଟକରେ ୩.୭ ଡିଗ୍ରି, ଚାନ୍ଦବାଲିରେ ୩.୫ ଡିଗ୍ରି, ଭୁବନେଶ୍ବରରେ ସ୍ବାଭାବିକଠାରୁ ୩.୩ ଡିଗ୍ରି ଅଧିକ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟ ଓ ଉପରିଭାଗର ବାୟୁ ଚଳାଚଳ ଅନୁଯାୟୀ ଆଜିଠାରୁ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶା ତଥା ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ବାୟୁ ଚଳାଚଳ ସହ ଜଡ଼ିତ ନିମ୍ନ ଚାପରେଖା ଆହୁରି ପୂର୍ବ ଦିଗରେ ଅଗ୍ରସର ହେବା ସହ କଳାବୈଶାଖୀ ପ୍ରଭାବକୁ ଅଧିକ ପ୍ରଶମିତ କରାଇବାର ସମ୍ଭାବନା ରହିଛି।
ଦେଶର ଦ୍ବିତୀୟ ଉତ୍ତପ୍ତ ସହର ବାରିପଦା
ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ
ଆଜି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ତାତିବ
ତେବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍) ସ୍ଥିତି ଲାଗିରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡ଼ିଶାର କାଁ ଭାଁ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଲେ ମଧ୍ୟ ଗରମ ସ୍ଥିତି ଲାଗିରହିବ। ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ୨୫ ତାରିଖଠାରୁ ତାତି ପୁଣିଥରେ ଉପରମୁହାଁ ହେବ। ୨୭ ଓ ୨୮ ତାରିଖ ବେଳକୁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରି ଡେଇଁଯିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି।
ଗତ ୩୬ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ଗଞ୍ଜାମ, ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର କୋଟପାଡ଼ଠାରେ ୧୧୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାୟଗଡ଼ାର କୋଲନାରାରେ ୨୪.୪, ରାୟଗଡ଼ାଠାରେ ୨୦.୨ ମିମି ବର୍ଷା ହୋଇଛି। ଦକ୍ଷିଣ ଓଡ଼ିଶା ଅର୍ଥାତ୍ ମାଲକାନଗିରିଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ରାତିରେ ବର୍ଷା ହୋଇଛି। ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇଥିବା ସମ୍ପର୍କରେ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଭୁବନେଶ୍ବର: ଆସନ୍ତା ୨୫ ତାରିଖଠାରୁ ଓଡ଼ିଶାରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇବ। ସ୍ଥାନେ ସ୍ଥାନେ ୪୬ ଡିଗ୍ରି ଡେଇଁଯିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟ ସରକାର ସମସ୍ତ ସରକାାରୀ ଓ ଘରୋଇ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ସେହିପରି ଆସନ୍ତାକାଲୀ ଠାରୁ ପୁଣିଥରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଖୋଲିବ। ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ।