ବଲାଙ୍ଗୀର/କଣ୍ଟାବାଞ୍ଜି : ‘ପୁଓ ବହ ନାଇଁନରେ ବାବୁ। ଇଟ୍ ଗଢ଼ିଯାଇଛନ୍। କେଭେ ଫିର୍ବେ କିଏ ଜାନିଛେ। କାର୍ଡ ଗୁଟେ ଦେଇକରି ଯାଇଛନ୍ ଚାଉଲ୍ ନାଇଁ ପାଏବାର୍। ଯେତେବେଲେ ଯାହା ମିଲୁଛେ ମୁଠେ ଖାଉଛେଁ। ନାଇଁତ ହେନ୍ତା ଦିନ୍ସରା ରହେସିଁ। ନାଇଁ ଯା ଇଟ୍ଗଢ଼ି ବଏଲାକେ ବି ପୁଓ ନାଇଁ ମାନ୍ଲା। ପଏସା ପତର୍ ଲାଗଉଧାର୍ ଥିଲା ଯେ ଇଟ୍ ଗଢ଼ି ଯାଇଛେ।’ ଦାଦନପ୍ରବଣ ଗାଁ ଝାଙ୍କରିପାଲିର ବିଧବା ବୃଦ୍ଧା ମହିଳା କନକ ବାଗ ଏଭଳି କିଛି କହିଛନ୍ତି। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଝାଙ୍କରିପାଲି ଗାଁର ସବୁ ଘରର ଦୃଶ୍ୟ ଏବେ ସମାନ। ଘର ଅଗଣାରେ କାଁଭାଁ ବୁଢ଼ାବୁଢ଼ୀ। ବାକି ସବୁ ବାହାର ରାଜ୍ୟକୁ ଇଟା ଗଢ଼ିବାକୁ ଯାଇଛନ୍ତି। ହାତଗଣତି କିଛି ପରିବାର ଅଛନ୍ତି।
ସୂଚନା ଅନୁସାରେ, ଦାଦନ ଖଟିବାକୁ ଯାଇଥିବା ଝାଙ୍କରିପାଲିର ଲୋକମାନେ ସର୍ଦ୍ଦାର ପାଖରୁ ଅଗ୍ରିମ ଟଙ୍କା ନେଇଛନ୍ତି। ବୃଦ୍ଧା କନକ ବାଗଙ୍କ ସହ ଆଲୋଚନା ପରେ ଜଣାପଡ଼ିଥିଲା ତାଙ୍କ ଦୁଖଭରା କାହାଣୀ। କନକଙ୍କ ପାଖରେ ସରକାରୀ ସହୟତା କହିଲେ କିଛିନାହିଁ। ମାଟି ଝାଟି ଘରେ ରହୁଥିବା ବେଳେ ବିପିଏଲ୍ କାର୍ଡରେ ତାଙ୍କର ନାଁ କଟିଯାଇଛି। ପଂଚାୟତରୁ ଚାଉଳ, ଡାଲି କିଛି ପାଉ ନାହାନ୍ତି। ବ୍ୟାଙ୍କ କ’ଣ ସେ ଜାଣି ନାହାନ୍ତି। ପୁଅ ମଗଶିର ବାଗ ଏବଂ ବୋହୂ କୁନ୍ତି ବାଗ ବହୁ ଦିନ ହେଲା ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ପାଖପଡ଼ୋଶୀ ଘର ସଭିଏଁ ମିଶି ଯାଇଛନ୍ତି। ଆଉ ସେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଖାଇବାକୁ କେତେବେଳେ ପାଉଛନ୍ତି ତ ଆଉ ତେବେଳେ ଉପବାସରେ ଦିନ କଟିଯାଉଛି। ଠିକ୍ ସେହିପରି ଗାଁର ରୁଖ ଭୁଏଙ୍କ ବୟସ ପାଖାପାଖି ସତୁରୀ। ପରିବାରରେ ପୁଅ ଭଗବାନ ଭୁଏ ଏବଂ ବୋହୂ ନୀତିଲା ଭୁଏ। ସେମାନେ ଛୁଆପିଲା ସହ ରାଜ୍ୟ ବାହାରକୁ ଇଟା ଗଢ଼ିବାକୁ ଯାଇଛନ୍ତି। କନକଙ୍କ ଭଳି ତାଙ୍କର ବି ଦୁଃଖ। ଗାଁରେ ଏମିତି ଅନେକ ବୁଢ଼ାବୁଢ଼ୀ ଭୋକଉପାସରେ ଦିନ କାଟୁଥିବା ଆଲୋଚନାରୁ ଜଣାପଡ଼ିଥିଲା।
ଝାଙ୍କରିପାଲି ଗାଁର ଲୋକସଂଖ୍ୟା ପ୍ରାୟ ୧୫୦୦। ୨ଟି ୱାର୍ଡ ବିଶିଷ୍ଟ ଗାଁ ଏବେ ଖାଁଖାଁ। ଅଧାରୁ ଅଧିକ ଲୋକ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। କାରଣ ଗାଁରେ କିଛି କାମଧନ୍ଦା ମିଳିଲା ନାହିଁ। ଫଳରେ ବାଧ୍ୟ ହୋଇ ସବୁ ଦାଦନ ଯାଇଥିବା ଉପସ୍ଥିତ ଥିବା କିଛି ଗ୍ରାମବାସୀ ସୂଚନା ଦେଇଥିଲେ। କେବଳ ଏତିକି ନୁହେଁ, ଗାଁରେ ହେଉଥିବା ମନ୍ରେଗା କାମରେ ବି ଲୋକେ କାମ ପାଉ ନାହାନ୍ତି। ନକଲି ଶ୍ରମିକ ନାଁରେ ଗାଁରେ ମନରେଗା କାମ ହେଉଥିବା ଲୋକ କହିଛନ୍ତି। ସରକାରୀ ଯୋଜନା ସବୁରେ ବହୁ ହିତାଧିକାରୀ ବାଦ୍ ପଡ଼ିଛନ୍ତି। ଯୋଜନା କେବଳ କୁଜିନେତା ଟାଉଟରଙ୍କ ହାତକୁ ଯାଉଛି। ଲୋକ କିଛି ପାଉନଥିବାରୁ ଗାଁରେ ଦାଦନ ସମସ୍ୟା ବଢ଼ିଛି ବୋଲି ଲୋକ କହିଛନ୍ତି। ଝାଙ୍କରିପାଲି ଗାଁ ଭଳି ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ବାଗଦୋର ପଂଚାୟତର ବାଗଦୋର ଗାଁ ସମେତ ଧଅଁରାଖମନ, ଡୁଡୁକାମାଲ, କଶାକୁଟା, ମାଲପାମୁଣ୍ଡା, ଭରୁଆବାହାଲ, ଝାଙ୍କରିପାଲି, କୁମ୍ବାରଖୁନ, ଥୁଡ଼ିବାହାଲ ବନମାଲ ଆଦି ଗାଁଗୁଡ଼ିକରୁ ହଜାର ହଜାର ସଂଖ୍ୟାରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ଆଉ ଝାଙ୍କରିପାଲି ଭଳି ଏବେ ବ୍ଲକ୍ର ଅନେକ ଗାଁ ଖାଲି ଖାଲି।