ଜେଲ୍ ଗଲା ରାକେଶ, ରିମାଣ୍ଡ ପାଇଁ ଆବେଦନ
ସହଯୋଗୀ ଶେଖର, ସ୍କୁଟିର ବି ପତ୍ତା ମିଳୁନି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର/ଯାଜପୁର/ସଦର/ରସୁଲପୁର/ନଠୁଆବର : ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ବର ସୁନ୍ଦରପଦାର ରାକେଶ ସ୍ବାଇଁକୁ ଆଜି ଆଜି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ମାମଲାରେ ଅଧିକ ଖୋଳତାଡ଼ ପାଇଁ କୁଆଖିଆ ଥାନା ପୁଲିସ ରାକେଶକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି। ଅନ୍ୟପକ୍ଷରେ ଏଣେ ଘଟଣାକୁ ତିନି ଦିନ ବିତି ଯାଇଥିଲେ ମଧ୍ୟ ଝରାଫୁଲର ମୃତ୍ୟୁ କେମିତି ହେଲା, ସେ ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଝରାଫୁଲକୁ ରାକେଶ ବା ଅନ୍ୟ କେହି ହତ୍ୟା କରିଛନ୍ତି ନା ଖାଦ୍ୟରେ ବିଷକ୍ରିୟା ଯୋଗୁଁ ତା’ର ମୃତ୍ୟୁ ଘଟିଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି। ପ୍ରଥମେ ଏହି ହତ୍ୟା ଘଟଣାର ତଦନ୍ତ ଦାୟିତ୍ବ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ନାୟକ ନେଇଥିବା ବେଳେ ଆଜିଠାରୁ ଏହାର ତଦନ୍ତ ଏସ୍ଡିପିଓ ଚିନ୍ମୟ ନାୟକ ଗ୍ରହଣ କରିଛନ୍ତି। ଏହି ଘଟଣାରେ ରାକେଶର ସହଯୋଗୀ ଅନ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।
ଝରାଫୁଲ ନାୟକଙ୍କ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ରାକେଶ ସ୍ବାଇଁକୁ ଗତକାଲି ଭୁବନେଶ୍ବର ଏୟାରଫିଲଡ୍ ଥାନା ପୁଲିସ ଗିରଫ କରି କୁଆଖିଆ ଥାନା ପୁଲିସକୁ ହସ୍ତାନ୍ତର କରିଥିଲା। କୁଆଖିଆ ଥାନା ପକ୍ଷରୁ କେସ ନମ୍ବର ୩୨/୨୦୨୧ରେ ୩୦୨ ଓ ୨୦୧ଦଫା ସହିତ ଏସ୍ସିଏସ୍ଟି ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି। ଆଜି ରାକେଶକୁ ଯାଜପୁର ଟାଉନ୍କୁ ଅଣାଯାଇଥିଲା। ଏଠାରେ ଡାକ୍ତରୀ ମାଇନା ପରେ ଟାଉନ୍ ଥାନାରେ ରଖାଯାଇଥିଲା। ଏସ୍ପି ରାହୁଲ ପିଆର ମଧ୍ୟ ଟାଉନ ଥାନା ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଅପରାହ୍ଣରେ ଅଭିଯୁକ୍ତକୁ ଯାଜପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ରାକେଶର ଜାମିନ ପାଇଁ କେହି ଆବେଦନ ନ କରିବାରୁ ଅଦାଲତ ତା’କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତେବେ ଅଧିକ ତଦନ୍ତ ଲାଗି ୫ ଦିନିଆ ରିମାଣ୍ଡ ପାଇଁ ପୁଲିସ କୋର୍ଟରେ ଆବେଦନ କରିବା ପରେ ଜିଲ୍ଲାଜଜ୍ ଶ୍ରୀକାନ୍ତ ମିଶ୍ର ଫେବ୍ରୁଆରି ୧ ତାରିଖରେ ରିମାଣ୍ଡ ଅବଧି ସଂପର୍କରେ ନିର୍ଦ୍ଦେଶ ଦେବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ୨୬ ତାରିଖ ରାତିରେ ରାକେଶ ଓ ଝରାଫୁଲ ଭୁବନେଶ୍ବରର ଯେଉଁ ଓୟୋ ଶିବସାଇ ଗେଷ୍ଟହାଉସ୍ରେ ରାତି କଟାଇଥିଲେ, ଆଜି କୁଆଖିଆ ପୁଲିସ ତଦନ୍ତ ଲାଗି ସେଠାରେ ପହଞ୍ଚିଥିଲା। ମାତ୍ର ଖଣ୍ଡଗିରି ଧର୍ମବିହାରରେ ଥିବା ଏହି ଗେଷ୍ଟ ହାଉସର ଫାଟକରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଭିତରପଟୁ ତାଲା ପକାଇ ରହିଥିବା ଜଣେ କେଆରଟେକର ବହୁ ସମୟ ପରେ ତାଲା ଖୋଲିଥିଲେ। ପୁଲିସ ଗେଷ୍ଟହାଉସର ରେଜିଷ୍ଟର, ପରିଚୟପତ୍ର ଜବତ କରିଥିଲା ଏବଂ ରାକେଶର ବୟାନ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ରାକେଶ ପୁଲିସକୁ କହିଥିଲା ଯେ ସେ ଓ ଝରାଫୁଲ ଏହି ଗେଷ୍ଟହାଉସ୍ରେ ରାତି ବିତାଇଥିଲେ। ଗେଷ୍ଟହାଉସ୍କୁ ଯିବା ପୂର୍ବରୁ ସେମାନେ ରାଜଧାନୀରେ ଏକାଠି ବୁଲିଥିଲେ ଏବଂ ପୋଖରୀପୁଟ ଅଞ୍ଚଳରୁ ବିରିୟାନି ଖାଇଥିଲେ। ଝରାଫୁଲର ପେଟ ଖରାପ ଥିଲା ଏବଂ ରାତିରେ ତା’କୁ ବାନ୍ତି ହୋଇଥିଲା। ସକାଳେ ନିଦରୁ ଉଠିଲା ବେଳକୁ ତା’ ମୁହଁରୁ ଫେଣ ବାହାରୁଥିଲା ଏବଂ ସେ ଅଚେତ ହୋଇଯାଇଥିବା ଦେଖି ସେ ତୁରନ୍ତ ସାଙ୍ଗ ଶେଖରକୁ ଡାକିଥିଲା। ରାକେଶ ଓ ଶେଖର ଝରାଫୁଲକୁ ଏକ ସ୍କୁଟିରେ କଟକ ବଡ଼ଡାକ୍ତରଖାନା ନେଇ ଯାଉଥିଲେ। ତେବେ ଝରାଫୁଲର ମୃତ୍ୟୁ ହୋଇ ଯାଇଥିବା ଜାଣିବା ପରେ ଯାଜପୁର କୁଆଖିଆ ନିକଟରେ ଫିଙ୍ଗି ଦେଇଥିଲେ। ସିସିଟିଭିରେ କଏଦ ହୋଇଥିବା ଫୁଟେଜ୍ରୁ ମଧ୍ୟ ସେମାନେ ଏହି ଗେଷ୍ଟହାଉସ୍ରେ ରହିଥିବା ଏବଂ ସକାଳେ ଦୁଇ ସାଙ୍ଗ ଝରାଫୁଲକୁ ସ୍କୁଟିରେ ବସାଇ ନେଇ ଯାଉଥିବା କଥା ସ୍ପଷ୍ଟ ହେଉଛି। କିନ୍ତୁ ବଡ଼ ପ୍ରଶ୍ନ ହେଲା ଝରାଫୁଲଙ୍କର ମୃତ୍ୟୁ ହେଲା କେମିତି ଏବଂ କେଉଁ ସମୟରେ ମୃତ୍ୟୁ ଘଟିଛି? ରାକେଶ ଝରାଫୁଲକୁ ସୁଚିନ୍ତିତ ଭାବେ ହତ୍ୟା କରିଛି କି? ଶାରୀରିକ ସମ୍ପର୍କ ରଖିବା ସମୟରେ ହୃଦ୍କ୍ରିୟା ବନ୍ଦ କାରଣରୁ ମୃତ୍ୟୁ ଘଟିଛି କି? କୌଣସି ଖାଦ୍ୟର ବିଷକ୍ରିୟାରୁ ମୃତ୍ୟୁ ଘଟିଛି କି? ରାକେଶ ବ୍ୟତୀତ ଆଉ କେହି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଛି କି? ଏ ନେଇ ପୁଲିସ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରି ନ ଥିବାବେଳେ ଏବେ ବି ଘଟଣା ରହସ୍ୟ ଘେରରେ ରହିଛି।
ରାକେଶ ପୁଲିସ ଆଗରେ ଘଟଣା ସମ୍ପର୍କରେ ବଖାଣିଥିବା ବେଳେ ମୃତ୍ୟୁ କେମିତି ହେଲା ଜାଣି ନ ଥିବା କହିଛି। କିନ୍ତୁ ରାକେଶର ଏହି ବୟାନକୁ ସହଜରେ ଗ୍ରହଣ କରିପାରୁ ନାହିଁ ପୁଲିସ। ସେହିପରି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶବ ବ୍ୟବଚ୍ଛେଦରୁ ମଧ୍ୟ ଡାକ୍ତରଙ୍କୁ ସେଭଳି କିଛି ଠୋସ୍ ସୁରାକ୍ ମିଳିପାରି ନାହିଁ। ଭିସେରା ଓ ଘଟଣାସ୍ଥଳରୁ ଜବତ ହୋଇଥିବା ସାମଗ୍ରୀକୁ ଯାଞ୍ଚ କରିବା ଲାଗି ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ପଠାଇଛି ପୁଲିସ। ସେହିପରି ଝରାଫୁଲଙ୍କ ଶରୀରରେ କିଛି ନଖ ଦାଗ ଦେଖିବାକୁ ମିଳିଛି। ଏହାର ନମୁନା ସଂଗ୍ରହ କରା ଯାଇଥିବା ବେଳେ ଅଭିଯୁକ୍ତର ନଖ କିମ୍ବା ଚୁଟିର ନମୁନା ସଂଗ୍ରହ କରାଯାଇ ମେଳ କରିବା ଲାଗି ଡିଏନ୍ଏ ପରୀକ୍ଷା କରାଯାଇପାରେ ବୋଲି କୁହାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଫୋରେନସିକ୍ ରିପୋର୍ଟ, ଅଭିଯୁକ୍ତର ବୟାନ ଓ ଫେରାର ଥିବା ସହଯୋଗୀ ଶେଖର ବୟାନ ମିଳିବା ପରେ ପୂରା ରହସ୍ୟ ଉପରୁ ପରଦା ଉଠିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।