ଝରାଫୁଲ ହତ୍ୟ‌ାକାଣ୍ଡ: ଜେଲ ଗଲା ରାକେଶ, ରିମାଣ୍ଡ ଆବେଦନର ଶୁଣାଣି ୧ରେ

ହତ୍ୟା ରହସ୍ୟ ଉପରୁ ପରଦା ହଟୁନି, ସହଯୋଗୀ ଓ ଗାଡ଼ି ଗଲା କୁଆଡ଼େ?

ରୋମିଓ ରାକେଶର ତିନୋଟି ଫେସବୁକ୍‌ ଆକାଉଣ୍ଟ
ଯୁବତୀଙ୍କୁ ପ୍ରେମ ଜାଲ‌ରେ ଫସାଉଥିଲା
ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିସନ ଅଧ୍ୟକ୍ଷା

ଯାଜପୁର/ସଦର/ରସୁଲପୁର/ନଠୁଆବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ହତ୍ୟା ଅଭିଯୋଗରେ ଗିରଫ ମୁଖ୍ୟ ଅଭିଯୁକ୍ତ ର‌ାକେଶ ସ୍ବାଇଁଙ୍କୁ ଆଜି ବିଚାରବିଭାଗୀୟ ହାଜତକୁ ପଠା‌ଇ ଦିଆଯାଇଛି। ଆସନ୍ତା ୧ତାରିଖରେ ରିମାଣ୍ଡ ଆବେଦନ ଉପରେ ଶୁଣାଣି ହେବ। ଏପଟେ ମୁଖ୍ୟ ଅଭିଯୁକ୍ତ ରାକେଶ କହୁଥିବା ଗପକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ପାଇପ୍ ସୁପରଭାଇଜର ରାକେଶର ତିନୋଟି ଫେସ୍‌ବୁକ୍‌ ଆକାଉଣ୍ଟ ରହିଛି। ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ରାକେଶ ଶାରୀରିକ ଶୋଷଣ କରୁଥିଲେ ‌ବୋଲି ସୂଚନା ମିଳୁଛି। ଝରଫୁଲ ଘଟଣାରେ ସଂପୃକ୍ତ ରାକେଶର ସହଯୋଗୀ ଏବଂ ଶବ ବୋହିବା ପାଇଁ ବ୍ୟବହୃତ ସ୍କୁଟର ଏବେ କେଉଁଠି ବୋଲି ପ୍ରଶ୍ନ ଉଠୁଛି। ମୃତ୍ୟୁର କାରଣ ହୃଦ୍‌ଘାତ କିମ୍ବା ଖାଦ୍ୟରେ ବିଷକ୍ରିୟା ବୋଲି ଚର୍ଚ୍ଚା ହେଉଛି। ଯଦି ଏହା ସତ ତେବେ ରାକେଶ ଓ ତାର ସହଯୋଗୀ କାହିଁକି ୯୦ କିମି ଦୂରରେ ଆଣି ଶବକୁ ଫିଙ୍ଗିଲେ? ଏହି ଘଟଣାରେ ଅନ୍ୟ କେ‌ହି ହାଇପ୍ରୋଫାଇଲ୍ ବ୍ୟକ୍ତି ନାହାନ୍ତି ତ?

ସୂଚନାଯୋଗ୍ୟ ଯେ, ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ରାକେଶ ସ୍ବାଇଁକୁ ଗତକାଲି ଭୁବନେଶ୍ବର ଏୟାରଫିଲଡ୍ ଥାନା ପୁଲିସ ଗିରଫ କରି କୁଆଖିଆ ଥାନା ପୁଲିସକୁ ହସ୍ତାନ୍ତର କରିଥିଲା। କୁଆଖିଆ ଥାନା ପକ୍ଷରୁ କେସ ନମ୍ବର ୩୨/୨୦୨୧ରେ ୩୦୨ ଓ ୨୦୧ଦଫା ସହିତ ଏସ୍‌ସିଏସ୍‌ଟି ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି। ଆଜି ରାକେଶକୁ ଯାଜପୁର ଟାଉନ୍‌କୁ ଅଣାଯାଇଥିଲା। ଏଠାରେ ଡାକ୍ତରୀ ମାଇନା ପରେ ଟାଉନ୍‌ ଥାନାରେ ରଖାଯାଇଥିଲା। ଏସ୍‌ପି ରାହୁଲ ପିଆର ମଧ୍ୟ ଟାଉନ ଥାନା ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଅପରାହ୍‌ଣରେ ଅଭିଯୁକ୍ତକୁ ଯାଜପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ଅଧିକ ତଦନ୍ତ ଲାଗି ୫ ଦିନିଆ ରିମାଣ୍ଡ ପାଇଁ ପୁଲିସ କୋର୍ଟରେ ଆବେଦନ କରିଛି। ମାନ୍ୟବର ଜିଲ୍ଲାଜଜ୍‌ ଶ୍ରୀକାନ୍ତ ମିଶ୍ର ‌ଫେବ୍ରୁଆରି ୧ ତାରିଖରେ ପୁଲିସର ଆବେଦନ ଉପରେ ବିଚାର କରି ରିମାଣ୍ଡ ଅବଧି ସଂପର୍କରେ ନିର୍ଦ୍ଦେଶ ‌ଦେବେ। ଅନ୍ୟପଟେ ଅଭିଯୁକ୍ତର ଜାମିନ ପାଇଁ କେହି ଆବେଦନ କରିନାହାନ୍ତି। ଫଳରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସମରେନ୍ଦ୍ର ଦାସ ମାମଲା ପରିଚାଳନା ଦାୟିତ୍ବରେ ଅଛନ୍ତି।

ଏହି ଘଟଣାରେ ରାଜ୍ୟ ମହିଳା କମିସନ ମଧ୍ୟ ହସ୍ତକ୍ଷେପ କରିଛନ୍ତି। ଆଜି ସକାଳେ ମହିଳା କମିସନ ଅଧକ୍ଷା ମିନତି ବେହେରା ଝରାଫୁଲଙ୍କ ମୃତଦେହ ପଡିଥିବା କୁଆଖିଆ ଥାନା ଅନ୍ତର୍ଗତ ଦିଆଲଖଣ୍ତ ପାଖ ରାସ୍ତାକଡ଼ରେ ପହଞ୍ଚିଥିଲେ। ଏହି ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟା ଠିକ୍ ରହିଥିବା କହିବା ସହିତ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ଓ ହତ୍ୟା ରହସ୍ୟ ଉନ୍ମୋଚନ ପାଇଁ ଏସ୍‌ପିଙ୍କ ସହ ଆ‌ଲୋଚନା କରିବେ ବୋଲି କହିଥିଲେ। ପ୍ରଥମେ ଏହି ହତ୍ୟା ଘଟଣାର ତଦନ୍ତ ଦାୟିତ୍ବ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ନାୟକ ନେଇଥିବା ବେଳେ ଆଜିଠାରୁ ଏହାର ତଦନ୍ତ ଏସ୍‌ଡିପିଓ ଚିନ୍ମୟ ନାୟକ ଗ୍ରହଣ କରିଛନ୍ତି। ଅନ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ଝରାଫୁଲର ଶବକୁ ଭୁବନେଶ୍ବରରୁ ଏକ ସ୍କୁଟିରେ ଏତେବାଟ ଆଣିବା କିପରି ସମ୍ଭବ ହେଲା ବୋଲି ପ୍ରଶ୍ନ ଉଠୁଛି। ତେବେ ଶବକୁ ନେଉଥିବା ସ୍କୁଟି ପଛେପଛେ ଏକ ଇନୋଭା କାର୍ ଯାଉଥିବା କିଛି ଲୋକ ଦେଖିଥିବା ଶୁଣିବାକୁ ମିଳୁଛି। ତେଣୁ ଏହି ଘଟଣାରେ ଆହୁରି ଅନେକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର