ଝରାଫୁଲ ମୃତ୍ୟୁ ଘଟଣା: ହତ୍ୟାର କାରଣ ପାଖରେ ଅଟକିଛି ପୁଲିସ

ରାକେଶକୁ ପୁଣି ରିମାଣ୍ଡରେ ନେବାକୁ ଯୋଜନା, ଶେଖର ଧରାପଡ଼ିଲେ ଖୋଲିପାରେ ଗୁମର

ଯାଜପୁର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ଘଟଣା ଏବେ ବି କୁହେଳିକାମୟ ହୋଇ ରହିଛି। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁର ବୟାନ, ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ତଦନ୍ତକାରୀ ପୁଲିସ ଝରାଫୁଲକୁ ରାକେଶ ହତ୍ୟା କରିଥିବା ନିଶ୍ଚିତ ହୋଇଛି। ଝରାଫୁଲକୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ନେଇ ତଦନ୍ତକାରୀ ପୁଲିସକୁ ଠୋସ୍‌ ପ୍ରମାଣ ବି ମିଳିଛି। ତେବେ ହତ୍ୟା ପଛର କାରଣକୁ ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନାହିଁ। ଅଭିଯୁକ୍ତ ରାକେଶ ନିଜ ପ୍ରେମିକାକୁ କାହିଁକି ହତ୍ୟା କଲା ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ତେଣୁ ରାକେଶକୁ ପୁଣିଥରେ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା ରହିଥିବା ତଦନ୍ତ ସହ ଜଡ଼ିତ ଜଣେ ବରିଷ୍ଠ ପୁଲିସ ଅଧିକାରୀ ‘ସମ୍ବାଦ’କୁ କହିଛନ୍ତି। ଜାନୁଆରି ୨୬ ତାରିଖ ରାତିରେ ଝରାଫୁଲ ଓ ରାକେଶ ଭୁବନେଶ୍ବର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସ୍‌ରେ ରାତ୍ରିଯାପନ କରିଥିଲେ।

ଏଠାରେ ବିଳମ୍ବିତ ରାତିରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିଲା। ଏହି ଗେଷ୍ଟହାଉସ୍‌ର ଚାରିକାନ୍ଥ ଭିତରେ ହିଁ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଲୁଚି ରହିଛି। ରାକେଶକୁ ରିମାଣ୍ଡରେ ଆଣି କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରାଯିବା ବେଳେ ପୁଲିସକୁ ଝରାଫୁଲ ହତ୍ୟା ସଂପର୍କିତ ଠୋସ୍‌ ପ୍ରମାଣ ମିଳିଛି। ପୁଲିସ ରାକେଶର ମୋବାଇଲ୍‌ ଫୋନ୍‌କୁ ଜବତ କରିଛି। ରାକେଶ ଜାନୁଆରି ୨୫ ତାରିଖରୁ ୨୮ ତାରିଖ ମଧ୍ୟରେ କାହା ସହ ଯୋଗାଯୋଗ କରିଥିଲା? କେଉଁମାନଙ୍କ ସହ କି ପ୍ରକାର ବାର୍ତ୍ତାଳାପ କରିଥିଲା? ସେ ସଂପର୍କରେ ଟିକିନିଖ ତଥ୍ୟ ସଂଗ୍ରହ କରୁଛି। କହିବାକୁ ଗଲେ ଏହି ହତ୍ୟା ମାମଲାର ପର୍ଦ୍ଦ‌‌ାଫାସ୍‌ ଦିଗରେ ପୁଲିସ ଅତି ସତର୍କତାର ସହ ଆଗକୁ ବଢ଼ୁଛି।

ମୁଖ୍ୟତଃ କେଉଁ ସମ୍ଭାବ୍ୟ କାରଣ ପାଇଁ ରାକେଶ ଓ ଝରାଫୁଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରେ ରାକେଶ ନିଜ ପ୍ରମିକାକୁ ହତ୍ୟା କରିବାକୁ ପଛାଇଲା ନାହିଁ; ସେ ଉପରେ ଶତ ପ୍ରତିଶତ ନିଶ୍ଚିତ ହେବାକୁ ତଦନ୍ତକାରୀ ପୁଲିସ ବିଭିନ୍ନ ଦିଗକୁ ତର୍ଜମା କରୁଛି। ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ହତ୍ୟା ଘଟଣାରେ ତିନିଟି ଥିଓରିକୁ ନେଇ ତଦନ୍ତ ଆଗକୁ ବଢ଼ୁଛି। ଝରାଫୁଲଙ୍କ ତରଫରୁ ବିବାହ ପାଇଁ ରାକେଶ ଉପରେ ଚାପ ପଡୁଥିଲା କି? ରାକେଶ ଅନ୍ୟ କାହା ସହିତ ଶାରୀରିକ ସଂପର୍କ ରଖିବାକୁ ଝରାଫୁଲକୁ ବାଧ୍ୟ କରୁଥିଲା କି? ରାକେଶ ଅନ୍ୟ କୌଣସି ଯୁବତୀଙ୍କ ସହ ସଂପର୍କ ରଖି ଝରାଫୁଲକୁ ଧୋକା ଦେଇଥିଲା କି? ଏଭଳି ୩ଟି କାରଣ ମଧ୍ୟରୁ କେଉଁ ଗୋଟିଏ ବା ଏକାଧିକ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥାଇପାରେ ଏବଂ ଶେଷରେ ରାକେଶ ତା’କୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଝରାଫୁଲ ଯେହେତୁ ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପାଠ ପଢ଼ୁଥିଲେ; ତାଙ୍କ ପରିବାର ପକ୍ଷରୁ ବିବାହ ପାଇଁ ଚାପ ନ ଥିଲା ଏବଂ ସେ ଏକାକୀ ନିଜ ଗ୍ରାମରୁ ଭୁବନେଶ୍ବର ଆସିପାରୁଥିବାରୁ ପ୍ରଥମ କାରଣଟିକୁ ପୁଲିସ ଗ୍ରହଣ କରି ନ ପାରେ। ରାକେଶର ତିନି ତିନିଟି ଫେସ୍‌ବୁକ୍‌ ଆକାଉଣ୍ଟ ରହିଥିବା ଏବଂ ସେ ରଙ୍ଗିଲା ମିଜାଜ୍‌ର ହୋଇଥିବାରୁ ତୃତୀୟ କାରଣଟି ଉପରେ ପୁଲିସ ଅଧିକ ଗୁରୁତ୍ବ ଦେଉଛି।

ରିମାଣ୍ଡରେ ଥିବାବେଳେ ରାକେଶ ହତ୍ୟା ପଛର କାରଣ ସଂପର୍କରେ ବିଶେଷ କିଛି ସୂଚନା ଦେଇ ନ ଥିଲା। ମନଗଢ଼ା କାହାଣୀ କହି ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ ଉଦ୍ୟମ କରିଥିଲା। ତେଣୁ ରାକେଶକୁ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଯୋଜନା କରୁଛି। ମିଳିଥିବା ତଥ୍ୟ ପ୍ରମାଣକୁ ତର୍ଜମା କରିବା ପରେ ପୁଣି ରିମାଣ୍ଡରେ ଆଣିବା ପାଇଁ ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ କରାଯିବ ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି। ୧୫ ଦିନ ମଧ୍ୟରେ ରିମାଣ୍ଡ ପାଇଁ ଆବେଦନ ନ କଲେ ପରେ ଆଉ ଆଣିହେବ ନାହିଁ ବୋଲି ଜଣେ ଆଇନଜୀବୀ କହିଛନ୍ତି। ଅନ୍ୟପକ୍ଷରେ ଝରାଫୁଲର ଶବ ଫୋପାଡ଼ିବାରେ ସହଯୋଗ କରିଥିବା ଅନ୍ୟତମ ଅଭିଯୁକ୍ତ ଶକ୍ତିଶେଖର ସ୍ବାଇଁ ଏ ଯାଏ ଧରାପଡ଼ି ନଥିବାରୁ ପୁଲିସ ତଦନ୍ତରେ ବାଧା ଉପୁଜୁଛି। ଶେଖର ପୁଲିସ ପଞ୍ଝାକୁ ଆସିଲେ ଏହି ହତ୍ୟା ରହସ୍ୟର ଅନେକ ଗୁମର ଖୋଲିବ ବୋଲି ପୁଲିସ ଆଶା ରଖିଛି। ଶେଖର ସୁନ୍ଦରପଦା ଅଞ୍ଚଳର କିଛି ସଂପର୍କୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହୁଛି। ତେଣୁ ତାକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଛି।

ରାକେଶ ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବାକୁ ଅନେକ ଗପ କହିଛି। ତେବେ ଶେଖର ସହଯୋଗରେ ଶବକୁ ସ୍କୁଟରରେ ଆଣି କୁଆଖିଆ ଅଞ୍ଚଳରେ ଫିଙ୍ଗିବା, ନିଜ ସ୍କୁଟରର ନମ୍ବର ପ୍ଲେଟ୍‌ ବାହାର କରି ଲୁଚାଇ ରଖିବା, ଏଭଳିକି ପିନ୍ଧିଥିବା ପ୍ୟାଣ୍ଟସାର୍ଟକୁ ଲୁଚାଇ ରଖିବା, ଝରାଫୁଲର ମୋବାଇଲ୍‌ ଫୋନ୍‌କୁ ଫିଙ୍ଗିଦେବା ଆଦିକୁ ଦେଖିଲେ ରାକେଶ ଅପରାଧ କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିବା ସ୍ପଷ୍ଟ ହେଉଛି। ରାକେଶର ବ୍ୟବହାର ଜଣେ ଅପରାଧୀଙ୍କ ଭଳି ହୋଇଥିବାରୁ ଝରାଫୁଲକୁ ସେ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ପୁଲିସ ନିଶ୍ଚିତ ହୋଇଛି।

ସମ୍ବନ୍ଧିତ ଖବର