ଝରିଗାଁ ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ନବରଙ୍ଗପୁର : ବିଡିଓଙ୍କୁ ଆକ୍ରମଣ କରି ରାଜଧାନୀରୁ ଜଣେ ବିଧାୟକ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଉ ଜଣେ ବିଧାୟକ ବିବାଦ ଘେରକୁ ଆସିଛନ୍ତି। ନବରଂଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆସିଛି। ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଅଭିଯୋଗ ଅଣାଯାଇଛି। ଘଟଣାକୁ ନେଇ ଜିଲ୍ଲାରେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି।

ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ ଓ ବିଜେପି ବିଧାୟକ ପ୍ରାର୍ଥୀ ଗୌରୀଶଙ୍କର ମାଝି  ବିଧାୟକଙ୍କ ବିରୋଧରେ ପୃଥକ ଭାବେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଧାୟକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯ‌ାଉ ବୋଲି ଦାବି ହୋଇଛି। ଏଥିସହ ତାଙ୍କର ସଭ୍ୟପଦ ରଦ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ପକ୍ଷରୁ ନବରଙ୍ଗପୁରରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ତେଣେ ବିଜେପି ଅଭିଯୋଗ କରିଛି ଯେ ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି। ବିଡିଓଙ୍କୁ ଆକ୍ରମଣ ଘଟଣାରେ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହୋଇଥିବା ବେଳେ ପୁଲିସ ଝରିଗାଁ ବିଧାୟକଙ୍କ ବିରୋଧରେ ଏତଲା ରଖୁନାହିଁ। ଆଇନ ଏଠାରେ ଠିକ ରାସ୍ତାରେ ଯାଉନାହିଁ ବୋଲି ଅଭିଯୋଗ କରିଛି ବିଜେପି।

ନବରଙ୍ଗପୁର ଜିଲ୍ଲା ଝରୀଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଲା କଂଗ୍ରେସ, ପ୍ରକାଶଙ୍କ କୁଶପୁତ୍ତଳିକା ଦାହ

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କରିଥିବା ଅଭିଯୋଗ ଅନୁସାରେ, ବିଧାୟକ ଜଣକ କୁଆଡେ ନିଜକୁ ଅବିବାହିତ କହି ଭୁବନେଶ୍ୱରର ଜନୈକ ଯୁବତୀଙ୍କ ସହ ପ୍ରାୟ ୩ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ରଖିଥିଲେ। ବିଧାୟକ ନିଜକୁ ଅବିବାହିତ ବୋଲି କହୁଥିବା ବେଳେ ସେ ପୂର୍ବରୁ ବିବାହିତ ବୋଲି ଦୀର୍ଘ ଦିନ ପରେ ଜାଣି ପାରିଥିଲେ ପୀଡ଼ିତା। ଏହାପରେ ପୀଡ଼ିତା ପ୍ରତିବାଦ କରିଥିଲେ ଓ ଯୌନନିର୍ଯାତନାର ଶିକାର ହୋଇଥିଲେ ସେ। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା କୁହାଯାଉଥିଲେ ହେଁ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଏହି ଅଭିଯୋଗର କେତେ ସତ୍ୟାସତ୍ୟ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ  ଏ ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଆମ ନବରଙ୍ଗପୁର ପ୍ରତିନିଧୀ ଟେଲିଫୋନ ଯୋଗେ ବିଧାୟକଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ କଲ୍ ରିସିଭ୍ କରି ନଥିଲେ।

ସମ୍ବନ୍ଧିତ ଖବର