ବିଡ଼ିଓଙ୍କୁ ମାଡ଼ମାରିଲେ ସରପଞ୍ଚଙ୍କ ସ୍ୱାମୀ, ଉଭୟଙ୍କ ପକ୍ଷରୁ ଥାନାରେ ଏତଲା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତର ସରପଞ୍ଚ ରାଧା ସନ୍ତାଙ୍କ ସ୍ବାମୀ ପବିତ୍ର ସାନ୍ତା ଆଜି ଅପରାହ୍ନ ୩ଟା ୩୦ ମିନିଟ ସମୟରେ ବ୍ଲକ କାର୍ଯ୍ୟାଳୟରେରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମେହେରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଡ଼ିଓଙ୍କୁ ଅତର୍କିତ ଆକ୍ରମଣ ପରେ ବିଡିଓ ଝରିଗାଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣା ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀ  ପବିତ୍ର ସାନ୍ତାଙ୍କ ଅଭିଯୋଗ ପ୍ରକାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଲିଆ ପଞ୍ଚାୟତର ୪ଗୋଟି ଉନ୍ନୟନ ମୂଳକ କାର୍ଯ୍ୟର ଫାଇଲ ରେକର୍ଡ଼ରେ ଦସ୍ତଖତ କରିବା ପାଇଁ ଦୀର୍ଘ ଦିନ ଧରି ବୁଲାଉ ଥିଲେ ଆଜି ପୁଣିଥରେ ଭେଟି କହିବାରୁ ସେ ରାଗିଯାଇ ଜାତିଆଣ ଅଭିଯୋଗ କରିଥିଲେ।

ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଭିଯୋଗ ପ୍ରକାରେ ପାଲିଆ ଗ୍ରାମର ପବିତ୍ର ସନ୍ତା, ରମେଶ ହରିଜନ ଏବଂ ଅଭୟ ସ୍ୱାଇଁ ହଠାତ କାଯ୍ୟାଳୟ ଭିତରକୁ ପସି ଆସି ସିସି ଟିଭିର ସୁଇଚ ବନ୍ଦ କରିଦେଇଥିଲେ। ଏବଂ ଏହା ପରେ ପାଲିଆ ପଂଚାୟତର ୪ଗୋଟି ରେକର୍ଡରେ ଦସ୍ତଖତ କରି ଫାଇଲ ଦେବା ପାଇଁ ବାଧ୍ୟ କରିଥିଲେ। ତେବେ ରେକର୍ଡ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବୋଲି କହିବାରୁ ବିଭିନ୍ନ ଜାତିଆଣ ଗାଳି ଦେଇ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପବିତ୍ର ସାନ୍ତା କହିଛନ୍ତି ଆମ ପଞ୍ଚାୟତର ୪ ଗୋଟି ଫାଇଲ ଦସ୍ତଖତ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖକୁ ଯାଇଥିଲି। ଫାଇଲ ଦସ୍ତଖତ କରିବା ପାଇଁ କହିଥିଲି। ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ୨ ପ୍ରତିଶତ ଟଙ୍କା ଦେଲେ ଦସ୍ତଖତ କରିବି ବୋଲି କହିଥିଲେ। ମୁଁ ଟଙ୍କା କାହିଁକି ଦେବି କହିବାରୁ ମୁଁ ତର ଫାଇଲରେ ଦସ୍ତଖତ କରିବିନାହିଁ ବୋଲି କହିଥିଲେ। ମୁଁ କାହିଁକି ଏମିତି ବ୍ୟବହାର କରୁଛନ୍ତି କହିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମତେ ଜାତିଆଣ ଗାଳି କରିବା ସହ ମୋ ସ୍ତ୍ରୀଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ। ପରେ ଦୁଇଜଣ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା।

ଘଟଣା ନେଇ ତଦନ୍ତକାରୀ ଅଧିକାରୀ ପି.କେ. ଖଣ୍ଡୁଆଳ ଜଣେଇଛନ୍ତି ଯେ ଉଭୟଙ୍କ ପକ୍ଷ ଭିନ୍ନ ଭିନ୍ନ ଏତଲା ଦେଇଛନ୍ତି। ତେବେ ବିଡିଓଙ୍କୁ  ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ରମେଶ ହରିଜନକୁ ଥାନାରେ ଅଟକ ରଖାଯାଇଛି। ଅନ୍ୟପକ୍ଷରେ ବିଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାନଗଲେ ସମସ୍ତ କର୍ମଚାରୀ କାଲିଠାରୁ କଲମଛାଡ଼ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର