ସମ୍ବଲପୁର: ଜେଲରୁ ଫେରିଥିବା ଝାଡ଼ଖଣ୍ଡ ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ସମ୍ବଲପୁର ଅଇଁଠାପାଲି ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ବରପାଲିର କରୁଣାକର ମହିଶାଲ (୨୪), ଗଣପତି ଭିଲ୍ଲାର ନାନୁନ୍ କୁମାର ପରିଡ଼ା (୨୨), ସମ୍ବଲପୁର କ୍ଷେତରାଜପୁରର ଅଭିଷେକ ଆଡ଼ଜୁଆଡ଼ (୨୬), ମୋହିତ ଶର୍ମା (୨୬) ଏବଂ ଚିନ୍ମୟ ପରିଡ଼ା (୨୨)। ସେମାନଙ୍କଠାରୁ ନଗଦ ୮ ହଜାର ଟଙ୍କା ସହିତ ୬ଟି ମୋବାଇଲ, ଗାଡ଼ି, ଛୁରି ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ସୂଚନା ଦେଇଛନ୍ତି।
ଜାମିନ ପାଇ ଜେଲରୁ ମୁକୁଳିଥିଲେ
ଘରକୁ ଫେରିବାବେଳେ ଟେକି ନେଇଥିଲେ ଦୁର୍ବୃତ୍ତ
ଏସ୍ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ, ଝାଡ଼ଖଣ୍ଡ ଜାମସେଦପୁରର ଉର୍ଜା ଇକୋ ଫୁଏଲ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ନବନୀତ କୁମାର ୨୦୨୨ ମସିହାରେ ବରପାଲିର ଆରତି ମହିଶାଲଙ୍କଠାରୁ ୨୯.୫୨ ଲକ୍ଷ ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ଏହା ବିବାଦର ରୂପ ନେଇଥିଲା। ଏ ସଂକ୍ରାନ୍ତରେ ୨୦୨୨ ମସିହାରେ ବରପାଲି ଥାନାରେ ମାମଲା ରୁଜୁ ହେବା ପରେ ନବନୀତ କୁମାରଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଥିଲା। ୨୦୨୨ ମସିହାରୁ ନବନୀତ ବରଗଡ଼ ଜେଲରେ ଥିଲେ। ଗତକାଲି (ଜାନୁଆରି ୨୪ ତାରିଖ)ରେ ସେ ବରପାଲି ଜେଏମ୍ଏଫ୍ସି କୋର୍ଟରୁ ଜାମିନ ପାଇଥିଲେ। ନିଜ ଘରକୁ ଫେରିବା ଲାଗି ରାତି ପ୍ରାୟ ୯.୩୦ରେ ସମ୍ବଲପୁର ଅଇଁଠାପାଲି ଛକରେ ବସକୁ ଅପେକ୍ଷା କରି ରହିଥିଲେ।
ଏହି ସମୟରେ ଅଚାନକ କରୁଣାକର ମହିଶାଲଙ୍କ ସମେତ ୪ ଜଣ ଆସି ନବନୀତଙ୍କୁ ବାନ୍ଧି ପକାଇ ଗାଡ଼ିରେ ନେଇଯାଇଥିଲେ। ତାଙ୍କ ଆଖିକୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ବାନ୍ଧି ଦେବା ସହିତ ମୁହଁରେ କଳା ଜ୍ୟାକେଟ୍ ପକାଇଥିଲେ। ସେଠାରୁ କ୍ଷେତରାଜପୁରର ଏକ ଘରକୁ ନେଇ ଯାଇ ନିସ୍ତୁକ ମାଡ଼ ମାରିଥିଲେ। ନବନୀତଙ୍କୁ ମୁଣ୍ଡ ଜାମିନ ରଖି ତାଙ୍କ ସ୍ତ୍ରୀଙ୍କୁ ଫୋନ କରି ୬୦ ଲକ୍ଷ ଟଙ୍କା ମାଗିଥିଲେ। ଅଇଁଠାପାଲି ଥାନା ପୁଲିସ ଏ ସମ୍ପର୍କରେ ଖବର ପାଇ କ୍ଷେତରାଜପୁରରୁ ନବନୀତଙ୍କୁ ଉଦ୍ଧାର କରିଥିଲା। ଅଇଁଠାପାଲି ଥାନା ଅଧିକାରୀଙ୍କ ନେତୃତ୍ବରେ ଗଠିତ ଟିମ୍ ଅପହରଣକାରୀଙ୍କୁ ଗିରଫ କରିଛନ୍ତି। ପ୍ରକୃତରେ ଏହି ଘଟଣା ପଛରେ କିଏ ଅଛି, କେବଳ ଟଙ୍କା ପାଇଁ ତାଙ୍କୁ ଅପହରଣ କରାଯାଇଥିଲା ନା ଏହା ପଛରେ ଅନ୍ୟ କେଉଁ କାରଣ ରହିଛି; ତାହା ଏବେ ବି ରହସ୍ୟ ଘେରରେ ରହିଛି। ଏହାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି।