ବଲାଙ୍ଗୀର : ବଲାଙ୍ଗୀର ଗସ୍ତରେ ଆସି ଶୁକ୍ରବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ତଥା ବଲାଙ୍ଗୀର ନିବାସୀ ସଞ୍ଜୟ ମିଶ୍ରଙ୍କ ପିତା ଓ ମାତାଙ୍କ ଶୁଦ୍ଧିକ୍ରିୟ‌ାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମିଶ୍ରଙ୍କ ପିତା ସ୍ବର୍ଗତ ମାର୍କଣ୍ଡ ମିଶ୍ର ଓ ମାତା ସ୍ବର୍ଗତ ଜ୍ୟୋତିର୍ମୟୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ। ଶ୍ରୀ ସୋରେନ୍‌ ସ୍ୱତନ୍ତ୍ର ବିମାନରେ ଆସି ତୁଷୁରା ଏୟାର୍‌ଷ୍ଟ୍ରିପ୍‌ରେ ଅପରାହ୍ନ ୩ଟା ୩୫ ମିନିଟରେ ଓହ୍ଲାଇଥିଲେ। କଡ଼ା ସୁରକ୍ଷା ବଳୟରେ ବଲାଙ୍ଗୀରରେ ଅପରାହ୍ନ ୪ଟା ସମୟରେ ପହଞ୍ଚିଥିଲେ।

Advertisment

ଶୁଦ୍ଧିକ୍ରିୟାରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ବିଭିନ୍ନ ହାଇକୋର୍ଟର ୧୭ ଜଣ ବିଚାରପତି ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଳସଂପଦ ଓ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ଯୋଗ ଦେଇଥିଲେ। ସ୍ବର୍ଗତ ମାର୍କଣ୍ଡ ମିଶ୍ରଙ୍କ ଝିଅ ଡ. ଚୟନିକା ମିଶ୍ରଙ୍କ ଦ୍ବାରା ବାପା ମା’ଙ୍କ ସ୍ମୃତିରେ ଲିଖିତ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ସୂଚନଯୋଗ୍ୟ ଯେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମିଶ୍ରଙ୍କ ମା’ଙ୍କ ଦଶାହ ଦିନ ବାପାଙ୍କ ଦେହାନ୍ତ ହୋଇଥିଲା। ତେବେ ଆଜି ମା’ ଓ ବାପା ଉଭୟଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ଥିଲା।