ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ଯୋଗଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ଜେଏମ୍ଏମ୍‌ ମନ୍ତ୍ରୀ ମଧ୍ୟ ଦେଲେ ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର: ଅଲଚିକି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ସମୟରେ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ହେଲିପ୍ୟାଡ଼ରେ ଅବତରଣ କରିଥିଲେ। ସେଠାରେ ଝାଡ଼ଖଣ୍ଡ ପରିବହନ ମନ୍ତ୍ରୀ ଚାମ୍ପାଇ ସୋରେନ ଓ ଜେଏମଏମ ରାଜ୍ୟ ସଭାପତି ଅଞ୍ଜନି ସୋରେନ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତଳା ଦେଇ ସ୍ୱାଗତ କରିଥିଲେ। ଏହା ପରେ କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସଡକ ମାର୍ଗରେ ଡାହାରଡିହି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳ କୁ ଯାଇ ପହଁଚି ଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଉପସ୍ଥିତ ଗ୍ରାମବାସୀମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଦାଣ୍ଡ ବୋଷ ଗାଁ କୁ ଯାଇ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ପାରମ୍ପରିକ ନୃତ୍ୟ କରି ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ନିକଟସ୍ଥ ସଭାସ୍ଥଳକୁ ଯାଇ ପହଁଚି ଥିଲେ ଓ ଉପସ୍ଥିତ ଲୋକମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଆଦିବାସୀମାନଙ୍କ ବିକାଶ କେବଳ ରାଜ୍ୟ ସରକାରଙ୍କ ଅନୁଦାନରେ ହୋଇ ପାରିବ ନାହିଁ। ନିଜ ଅସ୍ତିତ୍ୱ ରକ୍ଷା ପାଇଁ ଆଦିବାସୀ ମାନଙ୍କୁ ଗୁରୁ ଗୋମକେ ରଘୁନାଥ ମୁର୍ମୁଙ୍କ ନୀତି, ଆଦର୍ଶକୁ ଅନୁସରଣ କରିବାକୁ ପଡିବ।
ଆଦିବାସୀମାନେ ଆଇନ ପ୍ରତି ସଚେତନ ନ ହୋଇ ବିଭିନ୍ନ ଶୋଷଣର ଶିକାର ହେଉଛନ୍ତି। ତେଣୁ ପ୍ରତ୍ୟକ ପରିବାରରେ  ଆଦିବାସୀ ଯୁବକ-ଯୁବତୀମାନଙ୍କୁ ଶିକ୍ଷିତ କରି ଓକିଲ, ଜଜ କରିବା ଆବଶ୍ୟକ। ଏହା ବ୍ୟତୀତ ରାଜ୍ୟ ସରକାର ଆଦିବାସୀମାନଙ୍କ ବିକାଶ ପାଇଁ  ଯୁବବର୍ଗମାନଙ୍କ ମଧ୍ୟରେ କର୍ମ ନିଯୁକ୍ତି, ଶିଳ୍ପ ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି କହିଥିଲେ। ଦେଶରେ ଆଦିବାସୀମାନଙ୍କ ପରିଚୟ ନାହିଁ। ଆଦିବାସୀମାନଙ୍କ ସାରନା ଧର୍ମ ପାଇଁ ସ୍ୱତନ୍ତ୍ର କୋଡ ଦରକାର ସହ ସାରନା ଧର୍ମର ସରକାରୀ ମାନ୍ୟତା ଆବଶ୍ୟକ। ଯାହା ଦ୍ୱାରା ଆଦିବାସୀମାନଙ୍କ ଜନଗଣନା କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଥିଲେ। ସଭା କାର୍ଯ୍ୟ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ରାଞ୍ଚିକୁ ପ୍ରସ୍ଥାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଝାରଖଣ୍ଡ ରାଜ୍ୟ ପରିବହନ ମନ୍ତ୍ରୀ ଚାମ୍ପାଇ ସୋରେନ, ଜେଏମ୍ ଏମ ରାଜ୍ୟ ସଭାପତି ଅଂଜନୀ ସୋରେନ, ବିଧାୟକ ସମୀର ମହାନ୍ତି, ପଟକା ବିଧାୟକ ସଞ୍ଜୀବ ସର୍ଦ୍ଦାର, ପବନ କୁମାର, ଦୁବରାଜ ନାଗ, ମୀନା ସରେନ, ଶୀତଲ କିସ୍କୁ, ସୁନୀଲ ମାଝୀ, ସାଲୁ କିସ୍କୁ, ଦିଲ୍ଲୀପ ଦାସ, ଶିବାଜୀ ମାଲିକ, ସନାତନ ମୁଣ୍ଡା, ରଞ୍ଜିତ ସିଂ, ଘନଶ୍ୟାମ ପିଙ୍ଗୁଆ , ଶ୍ୟାମ କିସ୍କୁ , ସୁନାରାମ ଟୁଡୁ, ସନ୍ତୋଷ କୁମାର ମୁର୍ମୁ, ରାମେଶ୍ୱର କିସ୍କୁ,  ପୁରଥୁନାଥ  ହାଁସଦା, ଏସକେ ସାଦୀମାନ, ଏସକେ ଜିକରାନ, ସୁବାସୀନି ହାଁସଦା, ଆଦରରାଣୀ ବେଶ୍ରା, ବିଦୁ ମାରାଣ୍ଡି, ମୁଚିରାମ ମାଝୀ ଓ ଶତାଧିକ ଜେଏମ୍ ଏମ କର୍ମକର୍ତା ମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର