ଝାଡ଼ଖଣ୍ଡ ଫଳାଫଳକୁ ନେଇ ତର୍ଜମା : ସଙ୍କୁଚିତ ହେଲା ବିଜେପି, ଆଖି ତରାଟିଲା ବିଜେଡି

ପୂର୍ବାଞ୍ଚଳ ଦଖଲ, ଡବଲ ଇଞ୍ଜିନ୍ ନାରା ଫେଲ୍‌, କଂଗ୍ରେସ କହିଲା, ଏବେ ମୋଦୀ ମୁକ୍ତ ଭାରତ

ଭୁବନେଶ୍ବର, ( ଭବାନୀ ଶଙ୍କର ତ୍ରିପାଠୀ) : ପୂର୍ବାଞ୍ଚଳ ବିକାଶ ନ ହେଲେ ଭାରତ ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ। ଏମିତି ନାରା ଦେବା ଛଳରେ ବିଜେପି ପୂର୍ବାଞ୍ଚଳ ଦଖଲ ଲାଗି ଯେଉଁ ଉଦ୍ୟମ ଆରମ୍ଭ କରିଥିଲା, ସେଥିରେ ତାକୁ ଶକ୍ତ ଝଟକା ଲାଗିଛି। ଛତିଶଗଡ ହାତରୁ ଯାଇଥିଲା। ସ୍ବପ୍ନରେ ରହିଗଲା ଓଡ଼ିଶାରେ ୧୨୦ ଆସନ ଦଖଲ ନିଶା। ଏବେ ଝାଡଖଣ୍ଡରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ହାଵା ପ୍ରଭାବହୀନ ବୋଲି ସାବ୍ୟସ୍ତ କରିବାକୁ ଯାଇ ବିଜେପିକୁ କ୍ଷମତାଚ୍ୟୁତ କରିଛନ୍ତି। ସଦ୍ୟ ଶେଷ ହୋଇଥିବା ପଶ୍ଚିମବଙ୍ଗ ଉପନିର୍ବାଚନ ସଙ୍କେତ ଦେଇଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତଡ଼ି ସେଠାରେ ବିଜେପି ଶାସନ କ୍ଷମତା ଦଖଲ କରିବା ମଧ୍ୟ ଏତେ ସହଜ ନୁହେଁ।

ଏଥିସହିତ କଂଗ୍ରେସ ମୁକ୍ତ ଭାରତର ଆହ୍ବାନ ଦେଇଥିବା ବିଜେପି ମହାରାଷ୍ଟ୍ର ପରେ ଝାଡଖଣ୍ଡରେ କଂଗ୍ରେସ ଯୁକ୍ତ ସରକାର ଗଠନ କରିବା ଲାଗି ବାଟ ଖୋଲିଦେଇଛି। ପରୋକ୍ଷରେ ବିକାଶ ପାଇଁ େମାଦୀଙ୍କ ଡବଲ୍ ଇଞ୍ଜିନ ଥିଓରି ଅପ୍ରାସଙ୍ଗିକ ଏକଥା ମହାରାଷ୍ଟ୍ର ଭଳି ଝାଡଖଣ୍ଡର ଭୋଟର ବିଜେପିକୁ କ୍ଷମତାରୁ ତଡି ଅନ୍ୟ ରାଜ୍ୟକୁ ବାର୍ତା ଦେଇଛନ୍ତି।

ନିର୍ବାଚନ ଫଳାଫଳକୁ ନିରେଖି ଦେଖିଲେ, ଭୋଟରଙ୍କ ମନକଥା ରାଜନୈତିକ ବିଶେଷଜ୍ଞ ପଢି ଯେଉଁ ମତ ରଖୁଛନ୍ତି, ତାହା ହେଲା, କୌଣସି ରାଜ୍ୟର ବିକାଶ ପାଇଁ ପାକିସ୍ତାନ ଭଳି ରାଷ୍ଟ୍ର ସହିତ ଯୁଝିବା ଭଳି ଶକ୍ତି ରଖୁଥିବା ବ୍ୟକ୍ତି ନୁହେଁ, ସାଧାରଣ, ଦରିଦ୍ର ଗରିବ ଖଟିଖିଆ, ମଧ୍ୟବିତ୍ତଙ୍କ ସ୍ବପ୍ନର ଭାଷା ବୁଝିପାରୁଥିବା ଶକ୍ତି ଦରକାର। ରାଜନୈତିକ ଦଳ ବା ନେତାଙ୍କ ବ୍ୟକ୍ତିଗତ ପାରଦର୍ଶିତା ଅପେକ୍ଷା ସାମୂହିକ ଭାବେ ଲଢିବାର ବିଚାର ଧାରା ଝାଡଖଣ୍ଡରେ ମହାମେଣ୍ଟକୁ ରାଜ୍ୟ ଶାସନ ପାଇଁ ରାସ୍ତା ଦେଖାଇଛି। ସମାନ୍ତରାଳ ଭାବେ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ସଂଘ (ଏଜେଏସୟୁ) ଓ ଲୋକ ଜନଶକ୍ତି ପାର୍ଟି (ଏଲଜେପି)କୁ ଛୋଟ ମନେ କରିବା ବିଜେପି ନେତୃତ୍ବ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି।

ଗତ ସାଧାରଣ ନିର୍ବାଚନରେ ବରଗଡ ଆଦି କିଛି ଆସନରେ ଭୋଟର ସ୍ପଷ୍ଟ ସଙ୍କେତ ଦେଇଥିଲେ େଯ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଆସନ ପାଇଁ ସେମାନେ ଅଲଗା ଅଲଗା େଭାଟ ଦେବାର କ୍ଷମତା ରଖନ୍ତି। ମହାରାଷ୍ଟ୍ର ଭୋଟର ଏହା ଅନୁକରଣ କରିଥିଲେ। ଝାଡଖଣ୍ଡରେ ପୁନରାବୃତ୍ତି ଘଟିଛି। ଯେଉଁଠାରେ କିଛି ମାସ ତଳେ ଲୋକେ ଜାତୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ସରକାରକୁ ଆଖିବୁଜା ସମର୍ଥନ ଦେଇଥିଲେ, ସେମାନେ ରଘୁବର ସରକାରକୁ ପ୍ରତ୍ୟାଖ୍ୟାନ କରିବା ଲାଗି ସାମାନ୍ୟ ସଙ୍କୋଚ ପ୍ରକାଶ କରିନାହାନ୍ତି।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ପରେ ଝାଡଖଣ୍ଡ ବି ବିଜେପି ହାତରୁ ଖସିଗଲା। ୨୦୧୭ ଡିସେମ୍ବରରେ ବିଜେପି, ପାଖାପାଖି ୬୮ ପ୍ରତିଶତ ଜନସଂଖ୍ୟା ଉପରେ ଶାସନ କରୁଥିଲା, ଯାହା ଏବେ ୪୩% କୁ ଖସିଆସିଛି। ଦେଶର ୭୧% ଅଂଶ ଉପରେ ରାଜୁତି ଚଲାଇଥିଲା ବିଜେପି। ୨ ବର୍ଷ ପରେ ୨୦୧୯ ଡିସେମ୍ବରରେ ଏହା ୩୫%କୁ ଖସିଆସିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନକୁ ନେଇ ତର୍ଜମା କରିବା ବେଳେ ଏକଥା ଅତ୍ୟନ୍ତ ଶାଣିତ ଶବ୍ଦ ପ୍ରୟୋଗ ସହ ଜଣାଇବାକୁ ଚାହୁଁଛନ୍ତି େଯ େମାଦୀଙ୍କୁ ଗାଁ ଗଣ୍ଡାରେ ପହଞ୍ଚାଇବାରେ ଦଳର ରାଜ୍ୟ ନେତୃତ୍ବ ବିଫଳ ହେଉଛନ୍ତି। ଓଡ଼ିଶାରେ ବି ଅନୁରୂପ ଚିତ୍ର ଦେଖିବାକୁ ମିଳିଥିଲା। ଏଠାରେ ଝାଡଖଣ୍ଡ ଭଳି ଭୋଟ ପ୍ରତିଶତ ବଢିଲା ସତ, କିନ୍ତୁ ତାହା ଆସନରେ ପରିବର୍ତନ ହୋଇପାରିଲା ନାହିଁ।

ଝାଡଖଣ୍ଡ ନିର୍ବାଚନ ଓଡ଼ିଶା ବିଜେପି ଓ କଂଗ୍ରେସ ପାଇଁ ଅନେକ ସଙ୍କେତ ଦେଉଛି। ଝାଡଖଣ୍ଡ ଭଳି ଗୋଟିଏ ଆଦିବାସୀ ରାଜ୍ୟରେ ଅଣ ଆଦିବାସୀ ନେତା ରଘୁବର ଦାସକୁ ଦଳ ନେତୃତ୍ବ ଦେଇଥିଲା। ଉପରୁ ନେତା ଲଦି ଦେବା କାରଣରୁ ଚୁପ୍ ବସିଥିବା ବା ଅଣଦେଖା ହୋଇଥିବା ଗୋଷ୍ଠୀ ପାଞ୍ଚବର୍ଷ ପରେ ସେମାନଙ୍କ ତାକତ ଦେଖାଇଛନ୍ତି। ସମସ୍ତଙ୍କୁ ସାଙ୍ଗରେ ରଖି ସେଥିରୁ ଯୋଗ୍ୟ ନେତାଙ୍କୁ ବାଝିବା ପରିବର୍ତେ ବିଜେପି କେନ୍ଦ୍ରୀୟ ନେତୃତ୍ବ ନିଜର ଅନୁଗତଙ୍କୁ ଅଖଣ୍ଡ କ୍ଷମତା ଟେକିଦେବାର ପରିମାଣ ଝାଡଖଣ୍ଡରେ ପଡିଛି, ସମାନ କାରଣରୁ ଓଡ଼ିଶାରେ ବି ବିଜେପି ଆଗକୁ ବଢିବା ପରିବର୍ତେ ଗୋଷ୍ଠୀବାଦକୁ ନେଇ ସଢୁଛି। ଅର୍ଜୁନ ମୁଣ୍ଡାଙ୍କ ଭଳି ନେତାଙ୍କୁ ରାଜ୍ୟ ରାଜନୀତିରେ ଅଣଦେଖା ବିଜେପିକୁ ମହଙ୍ଗା ପଡିଛି, ଓଡ଼ିଶାରେ ବି ଅନୁରୂପ ଚିତ୍ରର ପରିକଳ୍ପନା କରାଯାଇପାରେ। ସଂପ୍ରତି ସାଂଗଠନିକ ନିର୍ବାଚନର ପ୍ରଥମ େସାପାନରେ ଜିଲ୍ଲା ସଭାପତି ଚୟନ କ୍ଷେତ୍ରରେ ବି ଏକଥା ଜଳ ଜଳ ହୋଇ ଦିଶିଲାଣି ଯେ ଦଳ ଅପେକ୍ଷା ଏଠି ବ୍ୟକ୍ତିକୁ ଅଧିକ ଗୁରୁତ୍ବ ମିଳୁଛି।

ସମକକ୍ଷ ସହଯୋଗୀ ଚିହ୍ନଟ କରି ଏକାଠି ସଶକ୍ତ ଢଙ୍ଗରେ ଲଢି ଅତି ଶକ୍ତିଶାଳୀଙ୍କୁ ପରାଜିତ କରାଯାଇପାରେ, ଏକଥା ମହାରାଷ୍ଟ୍ର ଓ ଝାଡଖଣ୍ଡର କଂଗ୍ରେସ ନେତା ଜଣାଇଛନ୍ତି। ଯାହା ଓଡ଼ିଶା କଂଗ୍ରେସ ନେତୃତ୍ବ ଅବଶ୍ୟ ଶିଖିବା କଥା। ସେଠାରେ ଦଳ ଛିଡିବା ପରିବର୍ତେ ବଢୁଛି ଓ ଏଠି ନେତା କିଏ ହେବ, ସେହି ଲଢେଇରେ ମାତି ଦଳ ବଢିବା ପରିବର୍ତେ ଗୋଟିଏ ପରେ େଗାଟିଏ ନିର୍ବାଚନରେ ସଙ୍କୁଚିତ ହେବାରେ ଲାଗିଛି। ଏବେ ବିଧାନସଭାରେ କଂଗ୍ରେସ ସଭ୍ୟଙ୍କ ସଂଖ୍ୟା ଏକ ଅଙ୍କରେ ପହଞ୍ଚିଛି, ଲୋକସଭାରେ ବି ଏକ। କେବଳ ସେତିକି ନୁହେଁ, ଗତ ନିର୍ବାଚନରେ ସରକାର ବିରୋଧୀଙ୍କୁ ଖୋଜି ନିଜ ସହିତ ନେଇପାରିନଥିଲା କଂଗ୍ରେସ। ବରଂ ଓଡ଼ିଶାରେ ଅପେକ୍ଷାକୃତ ପ୍ରଭାବହୀନ ଝାଡଖଣ୍ଡ ମୁକ୍ତି େମାର୍ଚା, ବାମଦଳ ସହିତ ବନ୍ଧୁତା ବାନ୍ଧିବାର ପରିଣାମ େଭାଗିଛି ଦଳ। ଝାଡଖଣ୍ଡରୁ ଓଲଟା ସଙ୍କେତ ଆସିଛି।

ବିଜେଡି ପାଇଁ ମଧ୍ୟ ଏହି ନିର୍ବାଚନ ଅନେକ ବାର୍ତା ରଖେ। ଯାହା ପାଇଁ ଦଳ ସତର୍କ ନରହିଲେ, ପରିଣାମ ଆଗକୁ ଭୟଙ୍କର ହୋଇପାରେ େବାଲି ଏବେଠାରୁ ରାଜନୈତିକ ବିଶେଷଜ୍ଞ ସତର୍କ କରାଇଲେଣି। କାରଣ ଗତ ଚାରିଥର ଠାରୁ ସମ୍ପୂର୍ଣ୍ଣ ଅଲଗା ଢଙ୍ଗରେ ସରକାର ଆଗକୁ ବଢୁଛି। ରଘୁବର ସରକାର ଭଳି ବିକାଶର ଏଜେଣ୍ଡାରେ ଭଙ୍ଗା ଗଢା କାର୍ଯ୍ୟରେ ଲାଗିଛି। କେଉଁଠି ନା କେଉଁଠି ସରକାରୀ କର୍ମଚାରୀଙ୍କ ଅସନ୍ତୋଷ ଭାବ, ନିଯୁକ୍ତି ସମସ୍ୟା, ଆଦିବାସୀଙ୍କ ସ୍ବାର୍ଥ ସାଧନ ନ ହେବା ଯେମିତି ରଘୁବର ଦାସଙ୍କ ଚୌକି ଛଡାଇନେବାରେ ବଡ଼ ଭୂମିକା ରଖିଲା, ଠିକ୍ ସେମିତି ନିର୍ବାଚନ ସରିବାର ୬ ମାସ ପରେ ଲୋୟର ପିଏମଜିରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଅନୁରୂପ ଭୟ ସୃଷ୍ଟି କଲାଣି।

ଓଡ଼ିଶାରେ ‘େମା ସରକାର’ ଏଯାଏ ଲୋକଙ୍କ ଭିତରେ ଯେତିକି ଆଦୃତି ଲାଭ କରିନି, କର୍ମଚାରୀଙ୍କ ଭିତରେ ତା ଠାରୁ ଅଧିକ ଅସନ୍ତୋଷ ବଢାଇ ଦେଲାଣି। କାରଣ, ସାଧାରଣ କର୍ମଚାରୀଙ୍କ କ୍ଷେତ୍ରରେ ସରକାରୀ ଆଭିମୁଖ୍ୟ ରାଜ୍ୟ ଶାସନର ପୁରୋଭାଗରେ ଥିବା ବରିଷ୍ଠ ପଦାଧିକାରୀଙ୍କ କ୍ଷେତ୍ରରେ ଆଦୌ ଅନୁପାଳନ ହେଉନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଠୋ ଠା ଫାଙ୍କୁଥିବା ଅଧିକାରୀଙ୍କ ବିରୋଧରେ ସରକାର ଚୁପ୍।

ଏହା ସତ୍ତ୍ବେ ନିର୍ବାଚନ ଫଳକୁ ନେଇ ଆଜି ବିଜେଡି ବିଜେପି ଆଖି ତରାଟିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ନିର୍ବାଚନ ଆସୁଥିବା ଫଳାଫଳ ବିଜେପି ସରକାର ପାଇଁ ଏକ ସତର୍କ ଘଣ୍ଟି। କେନ୍ଦ୍ରସରକାର ସେମାନଙ୍କ ନୀତି, ଆଦର୍ଶ ଓ ଆର୍ଥିକ ନୀତିକୁ ନେଇ ମାନସମନ୍ଥନ କରନ୍ତୁ। ଅର୍ଥନୀତିର ମାନ୍ଦାବସ୍ଥା ନିର୍ବାଚନରେ ପ୍ରତିଫଳନ ହୁଏ। ତେବେ ଝାଡଖଣ୍ଡର ଫଳାଫଳ ଓଡିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଓଡିଶାର ବିଜେପି ନେତା ଅନେକ ସମୟରେ ଝାଡଖଣ୍ଡ କଥା କୁହନ୍ତି, ସେମାନେ ପୁର୍ନବିଚାର କରିବା ଉଚିତ ତାଙ୍କ ମୁଖ୍ୟମନ୍ତ୍ରୀ ପଛରେ ଅଛନ୍ତି। ଲୋକ ଭାଷଣରେ ଭୋଟ ଦିଅନ୍ତିନି। ଆମେ କାମ କରିଛୁ ବୋଲି ଲୋକେ ପଞ୍ଚମ ଥର ଆମକୁ ଆଣିଛନ୍ତି। କେବଳ ଗଣମାଧ୍ୟମକୁ ବ୍ୟବହାର କରି, ପ୍ରଚାର ପ୍ରସାରରେ ଯେଉଁମାନେ ବିଶ୍ବାସ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ପ୍ରଚାର ଚଳାଇଛନ୍ତି, ସେଇଟା ସାମୟିକ ଭାବେ ଉତ୍ତେଜନା ବଢାଇପାରେ। ନିର୍ବାଚନରେ କାମ ଦିଏନାହିଁ।

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ସମୟ ଆସିଯାଇଛି ମୋଦୀ ମୁକ୍ତ ଭାରତ ଗଠନ କରିବାର। ପୂର୍ବରୁ ମୋଦୀ କହୁଥିଲେ କଂଗ୍ରେସ ମୁକ୍ତ ଭାରତ ହେବ ବୋଲି । ମାତ୍ର ଏବେ ସାଧାରଣ ଜନତା ଏହାର ଉତ୍ତର ମୋଦୀଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର