ଝାଡ଼ଖଣ୍ଡ ଜଗନ୍ନାଥପୁରରୁ
ସୁବତ୍ର ସ୍ବାଇଁ
କେନ୍ଦୁଝର: ଝାଡ଼ଖଣ୍ଡ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଆ ଭୋଟରଙ୍କୁ ସେତିକି ଖୋଜା ପଡ଼ୁଛି। ଓଡ଼ିଆ ଭୋଟରଙ୍କୁ ମନେଇବା ପାଇଁ ଓଡ଼ିଆ ନେତାଙ୍କ ଆବଶ୍ୟକତା ପଡ଼ିଛି। ଖାସ୍ ଏଥିପାଇଁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମାଳମାଳ ବିଧାୟକ କାମରେ ଲାଗି ପଡ଼ିଛନ୍ତି। ଝାଡ଼ଖଣ୍ଡର ୧୪ରୁ ଊର୍ଦ୍ଧ୍ବ ନିର୍ବାଚନମଣ୍ଡଳୀରେ ଓଡ଼ିଶା ନେତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ୧୩ ଓ ୨୦ ତାରିଖ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ୧୩ରେ ୪୩ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ। ଏଥିରେ ରହିଛି ପଶ୍ଚିମ ସିଂହଭୂମ, ଷଢ଼େଇକଳା-ଖରସୁଆଁ ଏବଂ ପୂର୍ବ ସିଂହଭୂମ। ଏହି ତିନିଟି ଜିଲ୍ଲାରେ ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ଲୋକେ ବାସ କରନ୍ତି। ୨୦୧୧ ଜନଗଣନା ଅନୁସାରେ, ପଶ୍ଚିମ ସିଂହଭୂମ ଜିଲ୍ଲାରେ ୧୮.୭୪ ପ୍ରତିଶତ ଲୋକ ଓଡ଼ିଆ ଭାଷା ବ୍ୟବହାର କରୁଥିବାବେଳେ ଷଢ଼େଇକଳା-ଖରସୁଆଁ ଜିଲ୍ଲାରେ ୯.୪୮ ପ୍ରତିଶତ ଏବଂ ପୂର୍ବ ସିଂହଭୂମ ଜିଲ୍ଲାରେ ୫.୨୭ ପ୍ରତିଶତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି। ଏହି ତିନିଟି ଜିଲ୍ଲାର ୧୪ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଓଡ଼ିଆ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଥିବାରୁ ସେମାନଙ୍କ ଉପରେ ବିଭିନ୍ନ ରାଜନୈତିକ ଦଳର ନଜର ରହିଛି।
ଝାଡ଼ଖଣ୍ଡର ସବୁଠାରୁ ବଡ଼ ଜିଲ୍ଲା କୁହାଯାଉଥିବା ପଶ୍ଚିମ ସିଂହଭୂମରେ ରହିଛି ୬ଟି ବିଧାନସଭା କ୍ଷେତ୍ର। ଷଢ଼େଇକଳା, ଚାଇଁବସା, ମଜଗାଁ, ଜଗନ୍ନାଥପୁର, ମନୋହରପୁର ଓ ଚକ୍ରଧରପୁର।
ଏ ସମସ୍ତ ବିଧାନସଭା କ୍ଷେତ୍ରରେ ଓଡ଼ିଆଙ୍କ ପ୍ରାଧାନ୍ୟ ଅଧିକ ଦେଖିବାକୁ ମିଳେ। ପୂର୍ବରୁ ଜଗନ୍ନାଥପୁର ବିଧାନସଭା କ୍ଷେତ୍ରରୁ ମଧୁ କୋଡ଼ା ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିପରି ଷଢ଼େଇକଳାରୁ ବିଜୟୀ ହୋଇ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଖରସୁଆଁ ବିଧାନସଭା କ୍ଷେତ୍ରରୁ ମଧ୍ୟ ଅର୍ଜୁନ ମୁଣ୍ଡା ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟର ହେଭିୱେଟ୍ ନେତାମାନେ ଏହି ତିନି ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବାରୁ ରାଜ୍ୟ ରାଜନୀତିରେ ଏହି ଜିଲ୍ଲାଗୁଡ଼ିକ ଯଥେଷ୍ଟ ଗୁରୁତ୍ବବହନ କରୁଛନ୍ତି।
୧୪ରୁ ଊର୍ଦ୍ଧ୍ବ ନିର୍ବାଚନମଣ୍ଡଳୀରେ ଓଡ଼ିଆଙ୍କ ଆଧିପତ୍ୟ
ଡେରା ପକାଇଛନ୍ତି ଓଡ଼ିଶାର ବିଧାୟକ, ନେତା, ମନ୍ତ୍ରୀ
ଓଡ଼ିଆ ଭାଷା ସୁରକ୍ଷା ମୁଖ୍ୟ ପ୍ରସଙ୍ଗ
ଏହି ତିନିଟି ଜିଲ୍ଲାରେ ଥିବା ଓଡ଼ିଆ ଭୋଟରଙ୍କୁ ମନେଇବାକୁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ରଣକୌଶଳ ଆପଣାଇଛନ୍ତି। ବିଜେପି ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଜଗନ୍ନାଥପୁର ଓ ଚାଇଁବସାରେ ପ୍ରଚାର କରିଛନ୍ତି। ଏଠାକାର ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି, ଓଡ଼ିଆ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚକ୍ରଧରପୁର ଓ ଜାମସେଦ୍ପୁରରେ ପ୍ରଚାର କରି ଓଡ଼ିଆ ଭୋଟରଙ୍କୁ ବିଜେପି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ସେହିପରି କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାୟକଙ୍କ ସମେତ ଓଡ଼ିଶା ବିଜେପିର ବହୁ ଆଗଧାଡ଼ିର ନେତା ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଥିବା ଦେଖିବାକୁ ମିଳିଛି।
ଏହି ନିର୍ବାଚନରେ ଓଡ଼ିଆଙ୍କ ମୁଖ୍ୟ ପ୍ରସଙ୍ଗ ହେଉଛି ଭାଷା। ଏଠାକାର ବିଦ୍ୟାଳୟରେ ଓଡ଼ିଆରେ ପାଠପଢ଼ା ଏବଂ ଓଡ଼ିଆ ଭାଷାକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଆସୁଛି। ଏଠାକାର ସରକାର ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେଉନାହାନ୍ତି। ଫଳରେ ଓଡ଼ିଆ ଭାଷା ବଞ୍ଚିବା ନେଇ ଓଡ଼ିଆ ଭୋଟର ସନ୍ଦିହାନ ଅଛନ୍ତି। ତେଣୁ ଭାଷା ସୁରକ୍ଷା ପ୍ରସଙ୍ଗରେ ଓଡ଼ିଆ ଭୋଟରଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି ଓଡ଼ିଶାର ବିଜେପି ନେତା। ସେହିପରି କଂଗ୍ରେସ ନେତା ମହମ୍ମଦ ମୋକିମ ମଧ୍ୟ ଆଜି ନିର୍ବାଚନ ପ୍ରଚାରରେ ସାମଲ ହୋଇଛନ୍ତି। ଏକାଧିକ ନିର୍ବାଚନୀ ସଭାରେ ଯୋଗ ଦେଇ ଭୋଟରଙ୍କୁ ମନାଉଛନ୍ତି। ନିର୍ବାଚନୀ ସଭାରେ ନେତାମାନେ ଓଡ଼ିଆରେ ଭାଷଣ ଦେଉଛନ୍ତି। ଆଜି ଜଗନ୍ନାଥପୁରରେ ବିଜେପି ପ୍ରାର୍ଥୀ ଗୀତା କୋଡ଼ାଙ୍କ ପକ୍ଷରୁ ମହିଳା ସମାବେଶ ହୋଇଥିଲା। ଏଠାରେ ବିଜେପିର ବହୁ ନେତା ଓଡ଼ିଆରେ ଭାଷଣ ଦେଉଥିବା ଦେଖିବାକୁ ମିଳିଥିଲା। ଜଗନ୍ନାଥପୁରର ବାସିନ୍ଦା ତଥା ଜଳଖିଆ ଦୋକାନ କରିଥିବା ରବିଶଙ୍କର ଦାସ କହିଛନ୍ତି, ଆମେ ଓଡ଼ିଆ ଲୋକ। ଆମେ ଚାହୁଁଛୁ, ଆମେ ପିଲାମାନେ ଆମ ମାତୃଭାଷା ଓଡ଼ିଆ ଜାଣନ୍ତୁ। ଏଠାକାର ବିଦ୍ୟାଳୟରେ ପୂର୍ବରୁ ଓଡ଼ିଆ ଶିକ୍ଷକ ଥିଲେ। ଅଧିକାଂଶ ବିଦ୍ୟାଳୟରେ ଏବେ ଯେଉଁ ଓଡ଼ିଆ ଶିକ୍ଷକମାନେ ଅବସର ନେଉଛନ୍ତି, ସେମାନଙ୍କ ସ୍ଥାନରେ ଆଉ ନୂଆ ଶିକ୍ଷକ ନିଯୁକ୍ତ ଦିଆଯାଉନି। ଓଡ଼ିଆ ଲୋକଙ୍କ ସହ ଓଡ଼ିଆ ଭାଷା ପ୍ରସଙ୍ଗ ଯୋଡ଼ି ହୋଇଥିବାରୁ, ଯେଉଁ ପ୍ରାର୍ଥୀ ଏ ଦିଗରେ କାମ କରିବେ ତାଙ୍କୁ ଭୋଟ ଦେବୁ ବୋଲି ସେ କହିଛନ୍ତି।