କଟକ: ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଆଜି ଶପଥଗ୍ରହଣ କରିଛନ୍ତି। ରାଞ୍ଚିସ୍ଥିତ ରାଜଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀଙ୍କୁ ଶପଥପାଠ କରାଇଛନ୍ତି। ଏହି ଅବସରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିଧାନସଭା ବାଚସ୍ପତି ରବୀନ୍ଦ୍ରନାଥ ମହାତୋ, ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ଶପଥଗ୍ରହଣ ସମାରୋହରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଦେବବ୍ରତ ଦାଶ, ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ, ଜଷ୍ଟିସ ଗୌରୀଶଙ୍କର ଶତପଥୀ, ଜଷ୍ଟିସ ଚିତ୍ତରଂଜନ ଦାଶ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି.ପି.ଦାସ, ପୂର୍ବତନ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବିଜୟ କୁମାର ଦାଶ, ଆଇନଜୀବୀ ଦେବସ୍ନାନ ଦାସ, ଆଇନଜୀବୀ ଇଂଜିନିୟର ଏନ.କେ.ମହାନ୍ତିଙ୍କ ସହିତ ଓଡ଼ିଶାର ଶତାଧିକ ଆଇନଜୀବୀ ଯୋଗ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଝାଡ଼ଖଣ୍ଡ ହାଇକୋର୍ଟର ୧୫ତମ ମୁଖ୍ୟ ବିଚାରପତି ହୋଇଛନ୍ତି ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ। ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ୨୭ ବର୍ଷ ଆଇନଜୀବୀ ଭାବେ ସେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ବେଳେ ୨୦୧୩, ଜୁନ ୨୦ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।