ରାଉରକେଲା: ସୀମାନ୍ତ ଝାଡ଼ଖଣ୍ଡର ଅଧିକାଂଶ ଗ୍ରାମବାସୀଙ୍କୁ ଏଯାଏଁ ମିଳିଲାନି ବ୍ୟାଙ୍କିଂ ସୁବିଧା। ବିକଳ୍ପ ବ୍ୟବସ୍ଥା ନଥିବାରୁ ବର୍ଷ ବର୍ଷ ଧରି ଓଡ଼ିଶା ବ୍ୟାଙ୍କ ଉପରେ ଏମାନେ ନିର୍ଭରଶୀଳ। ଟଙ୍କା ଉଠାଣ ପାଇଁ ଓଡ଼ିଶା ଏଟିଏମ୍‌ ଏକମାତ୍ର ସାହାଭରସା। ଝାଡ଼ଖଣ୍ଡର ଏମିତି ଅନେକ ଗାଁଗୁଡ଼ିକ ଅଛି,ଯେଉଁମାନେ ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ନିଜ ଅଞ୍ଚଳରେ ବ୍ୟାଙ୍କ ଗୋଟିଏ ବି ଦେଖିପାରିଲେ ନାହିଁ। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ, ବିଶ୍ରା ଓ ବୀରମିତ୍ରପୁରରେ ଥିବା ଘରୋଇ ଓ ଜାତୀୟକରଣ ବ୍ୟାଙ୍କରେ ନିର୍ଭର କରିଆସୁଛନ୍ତି। ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୧୦ ହଜାର ଝାଡ଼ଖଣ୍ଡବାସିନ୍ଦାଙ୍କ ଜମା ଖାତା ରହିଛି। ପ୍ରତି ସୋମବାରରୁ ଶନିବାର ପର୍ଯ୍ୟନ୍ତ ନୂଆଗାଁ, ସୋରଡ଼ା, ବିଶ୍ରା ଓ ବୀରମିତ୍ରପୁର ବ୍ୟାଙ୍କକୁ ଯେତିକି ସ୍ଥାନୀୟ ଗ୍ରାହକଙ୍କ ଅସାନ୍ତି, ତା’ର ୩୦% ଗ୍ରାହକ କେବଳ ସୀମାନ୍ତ ଝାଡ଼ଖଣ୍ଡ ଅଞ୍ଚଳର। ଝାଡ଼ଖଣ୍ଡ ମୁଖ୍ୟ ସହରରେ ଥିବା ବ୍ୟାଙ୍କ, ଏସବୁ ଗାଁଗୁଡ଼ିକ ପ୍ରାୟ ୪୦ରୁ ୫୦ କି.ମି. ଦୂରରେ ରହିଛି।

Advertisment

ପାଖରେ କୌଣସି ବ୍ୟାଙ୍କ ଓ ଏଟିଏମ୍‌ ନଥିବାରୁ ଝାଡ଼ଖଣ୍ଡ ମୁଖ୍ୟ ସହରକୁ ଯିବା ପରିବର୍ତ୍ତେ ଏମାନେ ପ୍ରାୟ ୧୨ରୁ ୧୫ କି.ମି ନୂଆଗାଁ ଓ ସୋରଡାର ବିଭିନ୍ନ ବ୍ୟାଙ୍କରେ ଖାତା ଖୋଲିବାକୁ ବାଧ୍ୟ ହୋଇଥାନ୍ତି। ଝାଡ଼ଖଣ୍ଡ ବାନୋ ବ୍ଲକର ସାହୁବେଡା, ହାଟିଂଘଡା, ଆନନ୍ଦପୁର, ରାଇକେଲା, ଗେନମେର, ହୃଦା, ପାନିଆସାଲ୍‌, ସାଢ଼େ, ରୁଙ୍ଘି, ଜାମତେଇ, ଫାଟକା ଆଦି ଗ୍ରାମର ପ୍ରାୟ ୫ ହଜାରୁ ଅଧିକ ଲୋକ ନୂଆଗାଁ ଓ ସୋରଡ଼ା ବିଭିନ୍ନ ବ୍ୟାଙ୍କରେ ବର୍ଷ ବର୍ଷ ଧରି ଅର୍ଥ କାରବାର କରିଆସୁଛନ୍ତି। ରାତିରେ ଅଧରେ ଅର୍ଥର ଆବଶ୍ୟକତା ପଡ଼ିଲେ ପ୍ରାୟ ୧୨ କି.ମି. ଦୂର ସୋରଡ଼ା ଏଟିଏମ୍‌କୁ ଆସିଥାନ୍ତି। ଝାଡ଼ଖଣ୍ଡର ହୃଦାର ଗୌରବ ସିଂ କହିଛନ୍ତି, ଆମ ଅଞ୍ଚଳରେ ବ୍ୟାଙ୍କିଂ ସେବା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। କିଛି ଅଞ୍ଚଳରେ କାଁଭାଁ ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱାର୍କ ଧରୁଛି। ନ ହେଲେ ମୋବାଇଲ ସେବା ଏକପ୍ରକାର ଠପ୍‌ କହିଲେ ଚଲେ। ନେଟ୍‌ୱାର୍କ ନଥିବାରୁ ସ୍ଥାନୀୟ ଅଞ୍ଚଳର ଜାତୀୟକରଣ କିମ୍ବା ଘରୋଇ ବ୍ୟାଙ୍କ ନାହିଁ। ଆଜିକୁ ସାତ ଦଶନ୍ଧି ଧରି ଓଡ଼ିଶାର ବ୍ୟାଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛୁ। ମରାନି ଗାଁର ସୋମେଶ ସାହୁ ସେହି ସମାନ କଥା କହିଛନ୍ତି। ସେ କହିଛନ୍ତି, କେବଳ ଓଡ଼ିଶା ଆମକୁ ବ୍ୟାଙ୍କ ସେବା ନୁହେଁ, ବରଂ ଜୀବିକା ଦେଉଛି। ଅନେକ ସରକାର ଗଲେଣି, କାହାରି ସୀମାନ୍ତ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ନଜର ପଡ଼ୁନି।

ଅନୁରୂପ ଭାବେ ବିଶ୍ରା ସୀମାନ୍ତକୁ ଲାଗିଥିବା ଝାଡ଼ଖଣ୍ଡର ପାରୋଡିହି, ମକରଣ୍ଡା, ସମଠା, ସାଗଯୋଡି, ରେଡା, ଧାନପାଲୀ, ପାଞ୍ଚପହିଆ, ଲାଇଲୋଇ, ଫୁଲବାରି, ପ୍ରଧାନପଲ୍ଲୀ, ବିକାଳକୁଦର, ଅଭୟପୁର, ପୋଟକା, ପୁରାନାଡିହି, ନୱାଡିହି ଓ ଡୋମଲାଇ ଭଳି ୨୦ରୁ ଅଧିକ ଗାଁ ରହିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୫୦% ଲୋକ ବିଶ୍ରା ଓ ଜରେଇକେଲାରୁ ବ୍ୟାଙ୍କ ସେବା ପାଉଛନ୍ତି। କାରଣ ଏସବୁ ଗାଁଗୁଡ଼ିକରୁ ମନୋହରପୁର ପ୍ରାୟ ମୁଖ୍ୟ ବଜାର ପ୍ରାୟ ବିଶ୍ରା ଠାରୁ ଢ଼େର ଦୂର। କେବଳ ଏତିକି ନୁହେଁ, ପର୍ବ ପର୍ବାଣୀ, ବିବାହ, ବ୍ରତ, ସାମାଜିକ କାର୍ଯ୍ୟକ୍ରମରେ ଜିନିଷପତ୍ର ପାଇଁ ଏମାନଙ୍କ ପ୍ରମୁଖ ବଜାର ହେଉଛି ରାଉରକେଲା। ସ୍ବାସ୍ଥ୍ୟସେବା ପାଇଁ ବିଶ୍ରା, ନୂଆଗାଁ, ହାତୀବାରି ଓ ବୀରମିତ୍ରପୁର ପିଏଚ୍‌ସି ଓ ସିଏଚ୍‌ସି ଉପରେ ନିର୍ଭରଶୀଳ। ଗୁରୁତରରୋଗୀ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌), ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ସମେତ ରାଉରକେଲାର ଘରୋଇ କ୍ଲିନିକ୍‌, ଘରୋଇ ହସ୍ପିଟାଲକୁ ଚିକିତ୍ସିତ ହେବାକୁ ଆସନ୍ତି। ନିତିଦିନିଆ ସାଧାରଣ ରୋଗର ପାଇଁ ସେମାନେ ନୂଆଁ ଗାଁ ଓ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସନ୍ତି। ଏପରିକି କିଛି ଛାତ୍ରଛାତ୍ରୀ ସୀମାରେ ଥିବା ଓଡ଼ିଆ ସ୍କୁଲ୍‌କୁ ପାଠ ପଢ଼ନ୍ତି। କେବଳ ସ୍କୁଲ ନୁହେଁ କଲେଜର କିଛି ଛାତ୍ରଛାତ୍ରୀ ଓଡ଼ିଶା ସୀମାନ୍ତ କଲେଜରେ ପାଢ଼ ପଢ଼ୁଛନ୍ତି।