କେନ୍ଦୁଝର: ଖଜଣା ଦେଉଛନ୍ତି ଓଡ଼ିଶାର ରାମେଶ୍ୱର। କିନ୍ତୁ ଜମିରେ ଚାଷ କରୁଛନ୍ତିି ଝାଡ଼ଖଣ୍ଡର ରଥୀ। ଓଡ଼ିଶା ସରକାରଙ୍କୁ ନିୟମିତ ଭାବେ ନୟାକୃଷ୍ଣପୁର ଗ୍ରାମର ରାମେଶ୍ୱର ମହାନ୍ତ ଖଜଣା ଦେଉଥିବାବେଳେ ତାଙ୍କ ଜମିରେ ଚାଷ କରୁଛନ୍ତି ଝାଡ଼ଖଣ୍ଡର ରଥୀ ଗିରି ଏବଂ ନାକୁ ଗିରି। ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଲାଗି ରହିଥିବା ଜମିଜମା ବିବାଦର ଏଭଳି ଚିତ୍ର ପଦାକୁ ଆସିବା ପରେ ଏହା ଅନେକଙ୍କୁ ବିସ୍ମିତ କରିଛି । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ରହିଛି ଓଡ଼ିଶାର ନୟାକୃଷ୍ଣପୁର ଗ୍ରାମ। ଏହି ଗ୍ରାମଟି ଚମ୍ପୁଆ ବ୍ଳକର କୁଟାରପଶି ଗ୍ରାମପଞ୍ଚାୟତରେ ଅନ୍ତର୍ଭୁକ୍ତ। ଏହି ନୟାକୃଷ୍ଣପୁର ଗ୍ରାମରେ ରୁହନ୍ତି ରାମେଶ୍ୱର ମହାନ୍ତ। ବୟସ ପାଖାପାଖି ୭୬ ବର୍ଷ। ନୟାକୃଷ୍ଣପୁର ମୌଜାର ୪୩୨ ନମ୍ବର ପ୍ଲଟରେ ତାଙ୍କର ରହିଛି ଚାଷ ଜମି। ଏହି ଚାଷ ଜମି ବାବଦକୁ ସେ ନିୟମିତ ଭାବେ ଖଜଣା ଦେଇଥାନ୍ତି। କିନ୍ତୁ ସେ ସିନା ଖଜଣା ଦିଅନ୍ତି, କିନ୍ତୁ ଚାଷ କରି ପାରନ୍ତିନିି। କାରଣ ଏହି ଚାଷ ଜମିଟି ଓଡ଼ିଶା-ଝାଡଖଣ୍ଡ ଜମି ବିବାଦରେ ଫସିଛି। ଫଳରେ ଏହି ଚାଷ ଜମି ଏବେ ଝାଡ଼ଖଣ୍ଡ ରାଜ୍ୟ ନେପାଙ୍ଗ ଗାଁର ରଥୀ ଗିରି ଏବଂ ନାକୁ ଗିରିଙ୍କ ଦଖଲରେ ଅଛିି ଏବଂ ସେମାନେ ନିୟମିତ ଚାଷ କରୁଛନ୍ତି। ଏ ସଂପର୍କରେ ସେ ଏକାଧିକବାର ତହସିଲ ପ୍ରଶାସନକୁ ଅବଗତ କରାଇଥିଲେ ବି ତାହା କୌଣସି ଫଳପ୍ରଦ ହୋଇନାହିଁ ବୋଲି ରାମେଶ୍ୱର ମହାନ୍ତ କହିଛନ୍ତି।

Advertisment

ଅନ୍ୟପକ୍ଷରେ, ରାମେଶ୍ୱର ମହାନ୍ତ କୁହନ୍ତି, ଦୀର୍ଘ ବର୍ଷ ଧରି ଏହି ୪୩୨ ନମ୍ବର ପ୍ଲଟର ଜମିକୁ ଝାଡ଼ଖଣ୍ଡର ରଥୀ ଗିରି ଏବଂ ନାକୁ ଗିରି ଚାଷ କରି ଆସୁଛନ୍ତି। ଏଥିନେଇ ସେଟେଲମେଣ୍ଟ ସମୟରେ ବି ଅଫିସରମାନଙ୍କୁ ଅବଗତ କରାଇଥିଲେ। କିନ୍ତୁ ଆଜିଯାଏ କିଛି ଫଳପ୍ରଦ ହୋଇନାହିଁ। ଫଳରେ ବୃଦ୍ଧ ବୟସରେ ବି ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ କଷ୍ଟ କରିବାକୁ ପଡ଼ୁଛି ବୋଲି କହିଛନ୍ତି ରାମେଶ୍ୱର। ସେହିପରି ନୟାକୃଷ୍ଣପୁର ଗ୍ରାମର ପ୍ରମୋଦ କୁମାର ମହାନ୍ତ କହିଛନ୍ତି, ଛୋଟ ବେଳୁ ଏହି ସୀମା ବିବାଦ ରହିଛି। ଆମ ଚାଷ ଜମିକୁ ଝାଡ଼ଖଣ୍ଡର ବାସିନ୍ଦାମାନେ ଜବରଦଖଲରେ ଚାଷ କରି ଫସଲ ନେଉଛନ୍ତି। ଆମେ କେବଳ ଜମି ପାଇବା ଆଶାରେ ଜମି ପଟ୍ଟାକୁ ଧରି ବସି ରହିଛୁ ବୋଲି ସେ କହିଛନ୍ତି। ଏ ସଂପର୍କରେ ଆମେ ଚମ୍ପୁଆ ଅତିରିକ୍ତ ତହସିଲଦାର ସୁଶାନ୍ତ କୁମାର ନାୟକଙ୍କୁ ପଚାରିବାରୁ ସେ ଏ ସଂପର୍କରେ କିଛି ଜାଣି ନାହାନ୍ତି ବୋଲି କହିଥିଲେ।