କୁଳିଅଣା: ବାରମ୍ବାର ଦାବିପରେ ଆଜି ସୁବର୍ଣ୍ଣରେଖା ନଦୀର ଗାଲୁଡ଼ିହି ବ୍ୟାରେଜରୁ ପାଣି ଛାଡ଼ିଛି ଝାଡ଼ଖଣ୍ଡ। ତେବେ ଯେତିକି ପରିମାଣର ପାଣି ଛାଡ଼ିବାକୁ ଅନୁରୋଧ କରାଯାଇଥିଲା, ତା’ଠାରୁ ଯଥେଷ୍ଟ କମ୍‌ ଆସିଛି। ସୂଚନା ଅନୁସାରେ, ସକାଳ ୮ଟାରେ ବ୍ୟାରେଜ୍‌ର ଗେଟ୍‌ ଖୋଲିଥିଲା। ଉପରମୁଣ୍ଡରେ ବର୍ଷା ଅଭାବ ତଥା ସୁବର୍ଣ୍ଣରେଖା ନଦୀର ଜଳସ୍ତରକୁ ଦୃଷ୍ଟିରେ ରଖି ମାତ୍ର ୧୦ କ୍ୟୁମେକ୍‌ ପାଣି ଛଡ଼ାଯାଇଛି। ଏହି ପାଣି ମୟୂରଭଞ୍ଜର ମୁଖ୍ୟ କେନାଲରେ ପହଞ୍ଚିଲା ବେଳକୁ ଅନ୍ତତଃପକ୍ଷେ ୩ ଦିନ ସମୟ ଲାଗିବ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମୟୂରଭଞ୍ଜ ଜିଲ୍ଲାର ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୮୦ କ୍ୟୁମେକ୍‌ ପାଣି ଛାଡ଼ିବାକୁ ସୁବର୍ଣ୍ଣରେଖା ପ୍ରକଳ୍ପ ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ବ୍ୟାରେଜ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ତେବେ, ଯେତିକି ପାଣି ଛଡ଼ାଯାଇଛି ତାହା ଚାଷୀଙ୍କ ଆବଶ୍ୟକତାର ମାତ୍ର ୧୨.୫ ପ୍ରତିଶତ। ଏତେ ସ୍ବଳ୍ପ ପରିମାଣର ପାଣି କେଉଁ କାମକୁ ଲାଗିବ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।

Advertisment

ଚାଷୀଙ୍କ କହିବାନୁସାରେ, ନିଅଣ୍ଟିଆ ବର୍ଷା ବେଳେ ଝାଡ଼ଖଣ୍ଡର ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମିତ ଗାଲୁଡ଼ିହି ବ୍ୟାରେଜ୍‌ ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ପାଣି ଯୋଗାଇ ଥାଏ । ଏହି ବ୍ୟାରେଜ୍‌ରୁ ପାଣି ଆସିଲେ ୪୬.୫ କିମି ମୁଖ୍ୟ କେନାଲ ଜରିଆରେ ହଳଦିଆ, ଜମ୍ଭୀରା ଓ ବେତନଟୀ ଶାଖା କେନାଲ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୫୨ ହଜାର ୪୮୦ ହେକ୍ଟରରୁ ଅଧିକ ଜମି ଜଳସେଚିତ ହୋଇଥାଏ। ଏଥର ଅନିୟମିତ ମୌସୁମୀ ବର୍ଷା ସମୟରେ ଚାଷୀମାନେ ଏହି କେନାଲ ପାଣି ଉପରେ ଭରସା କରିଥିଲେ। ମାତ୍ର, ଖୁବ୍‌ କମ୍‌ ପରିମାଣର ପାଣି ଯୋଗାଣ ଅତ୍ୟନ୍ତ ଚିନ୍ତାଜନକ ବୋଲି ଚାଷୀମାନେ କହିଛନ୍ତି।