ମୟୂରଭଂଜରେ ପଶିଲେ ୩୦ ଝାଡ଼ଖଣ୍ଡୀ ହାତୀ : ଜିଲ୍ଲା ମୁହାଁ ଆହୁରି ଦୁଇଟି ପଲ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ

ବେତନଟୀ : ପଶ୍ଚିମବଙ୍ଗରୁ ମୟୂରଭଞ୍ଜ ଜିଲ୍ଲାକୁ ପଶିଆସିଥିବା ଝାଡ଼ଖଣ୍ତୀ ହାତୀ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। କେତେବେଳେ କେଉଁ ଗାଁରେ ପଶି କ’ଣ ନାଇଁ କ’ଣ କ୍ଷତି ଘଟାଇବ, ସେନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ; ପଶ୍ଚିମବଙ୍ଗରୁ ମୟୂରଭଞ୍ଜ ଜିଲ୍ଲାକୁ ୩୦ରୁ ଅଧିକ ଝାଡ଼ଖଣ୍ତୀ ପଶିଆସିଛନ୍ତି। ହାତୀପଲ ଗତକାଲି ରାତିରେ ସାରିଆରୁ ବାହାରି ଜାତୀୟ ରାଜପଥ ଓ ରେଳଧାରଣା ଡେଇଁବା ସହ ବେତନଟୀ ବ୍ଲକ୍‌ ନଡ଼ପୁର ରିଜର୍ଭ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ତେବେ ଉକ୍ତ ହାତୀପଲରୁ ୨୮ଟି ହାତୀ ଆଜି ସଂଧ୍ୟାରେ ନଡ଼ପୁର ଜଙ୍ଗଲରୁ ବାହାରି ନୀଳଗିରି ମୁହାଁ ହେଉଥିବା ଜଣାପଡ଼ିଛି। ଖବର ଲେଖା ହେବା ବେଳକୁ ହାତୀମାନେ ପ୍ରତିମାଦେଇପୁର ନିକଟ ବୁଢ଼ାବଳଙ୍ଗ ନଦୀ ପାର ହୋଇ ସାରିଥିବା ସୂଚନା ରହିଛି। ଅନ୍ୟପଟେ ପଶ୍ଚିମବଙ୍ଗରୁ ଆସିଥିବା ଏହି ହାତୀପଲର ଆଉ କିଛି ହାତୀ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ବାଘଝରଣ ନିକଟରେ ରହିଯାଇଥିବା ଖବର ମିଳିଛି। ସେହିପରି ପଳରୁ ଅଲଗା ହୋଇଯାଇଥିବା ଅନ୍ୟ ଏକ ହାତୀ ଦିନ ତମାମ ନଡ଼ପୁର ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖାଯାଇଛି।

ବନରକ୍ଷୀ ପଦ୍ମାବତୀ ବେହେରାଙ୍କ ସହ ଦେଉଳି ରେଞ୍ଜ ଅଧିକାରୀ ରବିନାରାୟଣ ମହାନ୍ତି, ଡୁକୁରା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା, ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ, ବେତନଟୀ ବନପାଳ ସୁଶାନ୍ତ କୁମାର ବାଗ, ବୈଶିଙ୍ଗା ବନପାଳ ଅବିନାଶ ଗିରି ଏବଂ ଦେଉଳି, ଡୁକୁରା, ବେତନଟୀ ରେଞ୍ଜର ବନକର୍ମଚାରୀମାନେ ହାତୀପଲ ଉପରେ ନଜର ରଖିଛନ୍ତି। ଯାହା ସୂଚନା ମିଳୁଛି; ପଶ୍ଚିମବଙ୍ଗରୁ ପୁଣି ଆଉ ଦୁଇଟି ଝାଡ଼ଖଣ୍ଡୀ ହାତୀପଲ ମୟୂରଭଞ୍ଜକୁ ପଶୁଛନ୍ତି। ହାତୀଗୁଡ଼ିକ ଏବେ ମୟୂରଭଂଜ ସୀମାନ୍ତରୁ ମାତ୍ର ୫ କିମି ଦୂର ପଶ୍ଚିମବଙ୍ଗର କାଦକୋଠାରେ ରହିଛନ୍ତି।

ସମ୍ବନ୍ଧିତ ଖବର