୫ ଦିନ ପରେ ଅନ୍ତ ଘଟିଲା ହାତୀ-ମଣିଷ ସଙ୍ଘର୍ଷ, ଚିନ୍ତାରେ କ୍ଷତିଗ୍ରସ୍ତ ଚାଷୀ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ବିଶୋଇ ଅଞ୍ଚଳର ମଣଦା ବନାଞ୍ଚଳ ଓ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳରେ ଗତ ୫ ଦିନ ଧରି ଲାଗିରହିଥିବା ହାତୀ-ମଣିଷ ସଙ୍ଘର୍ଷ ଶେଷରେ ଅନ୍ତ ଘଟିଛି। ଏହି ୫ ଦିନ ମଧ୍ୟରେ ହାତୀଙ୍କୁ ସୁରକ୍ଷା ଯୋଗାଇଦେବାରେ ବନବିଭାଗ ଓ ବିଦ୍ୟୁତ ବିଭାଗକୁ ନାକେଦମ ହେବାକୁ ପଡିଥିବା ବେଳେ ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଏବେ ଚିନ୍ତା ଘାରିଛି।

ସୂଚନାଥାଉ କି, ଗତ ରବିବାର ଦିନ ୨ ଦନ୍ତା, ୬ ମାଈ ହାତୀ ଓ ୩ ହାତୀ ଛୁଆଙ୍କୁ ନେଇ ୧୧ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ବିଶୋଇ ଅଞ୍ଚଳରେ ଉପଦ୍ରଵ ଆରମ୍ଭ କରିଥିବା ବେଳେ ଏହି ଅଞ୍ଚଳରେ କକୁଆ ଭୟ ଲାଗିରହିଥିଲା। ଗତ କିଛିଦିନ ହେବ ମଣଦା ବନାଞ୍ଚଳରେ ଥିବା ଗ୍ରାମ ମାନଙ୍କରେ ହାତୀପଲ ଅନବରତ ଭାବରେ ଉପଦ୍ରଵ ସୃଷ୍ଟି କରିଥିବା ବେଳେ ସନ୍ଧ୍ୟା ସମୟରେ ଏହି ବନାଞ୍ଚଳ ଅନ୍ତର୍ଗତ ଗ୍ରାମ ଗୁଡିକରେ ଭୟରେ ତାଟି କବାଟ ପଡୁଥିଲା। ତେବେ, ଗତକାଲି ସନ୍ଧ୍ୟା ସମୟରେ ଏହି ହାତୀପଲ ଉପଦ୍ରଵ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳରେ ଦେଖିବାକୁ ମିଳିଛି।

ଗତକାଲି ଏହି ୧୧ ଟିକିଆ ହାତୀପଲ କେଶରଗାଡ଼ିଆ ଡ୍ୟାମ ଠାରୁ ବାହାରି ସରଗଡ଼ା ଅଭିମୁଖେ ଯାଇଥିଲେ।। ସେଠାରୁ ପୁଣି ପ୍ରତ୍ୟାବର୍ତ୍ତନ କରି ସନ୍ଧ୍ୟା ସମୟରେ ବିଶୋଇ ନିକଟସ୍ଥ କାଦପାଣି ଗ୍ରାମ ନିକଟରେ ପହଞ୍ଚିଥିଲେ। କାଦପାଣି ଗ୍ରାମରୁ ଏହି ହାତୀପଲ ବିଶୋଇ ବଜାର ପରି ଜନଗହଳି ଅଞ୍ଚଳ ମଧ୍ୟକୁ ଯିବାର ଭୟ ଲାଗିରହୁଥିବା କାରଣରୁ ଏହି ହାତିପଲ ଉପରେ ବନବିଭାଗ ପକ୍ଷରୁ ବିଶେଷ ଦୃଷ୍ଟି ରଖାଯାଇଥିଲା। ଏଥି ସହିତ କାଦପାଣି ନିକଟବର୍ତ୍ତୀ ଗ୍ରାମବାସିନ୍ଦା ମନରେ ମଧ୍ୟ ଭୟ ସୃଷ୍ଟି ହେବା କରଣରୁ କାଦପାଣି ଗ୍ରାମ ସମେତ ସ୍ଥାନୀୟ ବିଶୋଇ, କାଦପାଣି, ଧାନା, ବାଢୁଣିଆ ଗ୍ରାମର ଶତାଧିକ ଲୋକେ ଏକତ୍ରିତ ହୋଇ ଟ୍ରର୍ଚ୍ଚ ଲାଇଟ ଓ ଅଗ୍ନି ଦେଖାଇ ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ।

ତେବେ  ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ହାତୀ ଓ ମଣିଷ ସଂଘର୍ଷ ଲାଗିରହିଥିଲା। ଶେଷରେ ଗତକାଲି ବିଳମ୍ବିତ ରାତ୍ରିରେ ହାତୀପଲ ଶଙ୍ଖାଭଙ୍ଗା ଜଙ୍ଗଲକୁ ପଳାଇଥିଲେ।ଏହି ହାତୀପଲ ଗତିବିଧି ଉପରେ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଓ ମଣଦା ବନାଞ୍ଚଳ ପକ୍ଷରୁ କଡା ନଜର ରଖାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା କୁଲାପଟା ଓ କୁକୁଡାଅଣ୍ଡା ସଂରକ୍ଷିତ ଜଙ୍ଗଲ ଦେଇ ପୁଣି ଝାଡ଼ଖଣ୍ଡ ରାଜ୍ୟ ଆଡ଼କୁ ଘଉଡ଼ାଇ ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ହାତିପଲ ଗୁଡିକ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ନକରିବା ଯାଏଁ  ସମ୍ପୂର୍ଣ୍ଣ ଭାବରେ ବିପଦ ଟଳିବାର କୁହାଯାଇପାରିବ ନାହିଁ । ଏହି ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ସମ୍ଭବ କ୍ଷତିପୂରଣ ପ୍ରଦାନ ପାଇଁ ବନବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର