ଲାଞ୍ଚ ନେଇ ଧରାପଡ଼ିଲେ ଡିଏମ୍‌ଓ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅଧୀକ୍ଷକ ତଥା ଡିଏମ୍ଓ ଡା. ଉଷାରାଣୀ ଦାଶ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଏହି ମେଡିକାଲରେ କଣ୍ଟ୍ରାକଚୁଆଲ ଇଲେକ୍ଟ୍ରିସିଆନ୍ ଦେବାନନ୍ଦ ବାରିକ ଶବ ବ୍ୟବଚ୍ଛେଦ ଗୃହରେ ୧୩ ହଜାର ୫ ଶହ ଟଙ୍କାର ବିଦ୍ୟୁତ୍ କାମ କରିଥିଲେ। ଏହି ବିଲ୍ ପାସ୍ କରି ଦେବାକୁ ଡାକ୍ତର ଦାଶ ୫ ହଜାର ଟଙ୍କା ଦାବି କରି ଆସୁଥିଲେ। ଏହା ବାହାରେ ଡାକ୍ତରଖାନାରେ ବିଭିନ୍ନ କାମରେ ଅଭିଯୋଗକାରୀ ଶ୍ରୀ ବାରିକଙ୍କ ୭୦ ହଜାର ଟଙ୍କାର ବିଲ ବକେୟା ପଡ଼ି ରହିଥିଲେ ମଧ୍ୟ ଡା. ଦାଶ ଏହି ବିଲ୍ ପାସ କରି ଦେଉନଥିଲେ। ଏନେଇ ଶ୍ରୀ ବାରିକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କଲା ପରେ ସୋମବାର ଭିଜିଲାନ୍ସ ବିଭାଗ ଚଢ଼ାଉ ପାଇଁ ଜାଲ ବିଛାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶ୍ରୀ ବାରିକ କେମିକାଲ ପ୍ରଳେପ ଦିଆ ଟଙ୍କା ଦେବା ପରେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଡା. ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଚଢ଼ଉ ପରେ ଡାକ୍ତର ଦାଶଙ୍କ କକ୍ସ୍ କଲୋନି ଘର ଉପରେ ଚଢ଼ାଉ କରାଯାଇ ଆୟ ବହିର୍ଭୂତ ସଂପତ୍ତିର ହିସାବ କରାଯାଉଥିବା ଭିଜିଲାନ୍ସ ଅତିରିକ୍ତ ଏସପି ଶ୍ରୀ ପ୍ରଧାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର